ବିଦେଶ ମୋହ ଛାଡ଼ି ନିଜ ଗାଁ’ରେ ଦେଶୀ ଚିକିତ୍ସା ଯୋଗାଉଛନ୍ତି ବାଣପୁର ବ୍ଲକ୍ ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗାଁ’ର ଉମାକାନ୍ତ ସାହୁ

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ନୀଳାଦ୍ରିପ୍ରସାଦ ପଞ୍ଚାୟତର ନିପଟ ମଫସଲ ଗାଁ’ ଅରାଙ୍ଗ। ଏହି ଗାଁ’ର ଉମାକାନ୍ତ ସାହୁ ଅତି କଷ୍ଟରେ ଇଞ୍ଜିନିୟରିଂ ପାଠ ପଢ଼ି ରୋଜଗାର ନିମନ୍ତେ ଦୁବାଇ ଚାଲି ଯାଇଥିଲେ। ସେଠାରେ ସେ ଇଞ୍ଜିନିୟର୍‌ ଭାବେ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଥିଲେ। ସେଠାରେ ପ୍ରାୟ ୨ ବର୍ଷ କାମ କରିବା ପରେ ସେ ରାଜୀବ ଦୀକ୍ଷିତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମାନବ ଓ ଗୋ‌ସେବା ପ୍ରତି ଆଗ୍ରହ ଦେଖାଇଥିଲେ। ଚାକିରି ଛାଡ଼ି ଚେନ୍ନାଇର ପ‌କବ୍ୟା ଗୁରୁକୁଳରୁ ଏମ୍‌ଡିପିଟି ପାସ୍‌ କରିବା ପରେ ସେ ଗ୍ରାମକୁ ଫେରି ଆସି ଶ୍ରୀରାଧାକୃଷ୍ଣ ଟ୍ରଷ୍ଟ୍‌ ନାମକ ଏକ ଗୋଶାଳା ନିର୍ମାଣ କରି ୧୫ଟି ଗାଈ ରଖି ତାଙ୍କ ଅଭିଯାନ ଆରମ୍ଭ କରିଥିଲେ। ପରେ ଉମାକାନ୍ତ କ୍ଷୀର, ଘିଅ, ଗୋମୂତ୍ର ଓ ଗୋବରକୁ ମିଶାଇ ବିଭିନ୍ନ ପ୍ରକାରର ଔଷଧ ତିଆରି କରି ଲୋକଙ୍କୁ ସେବା ସେବା ଯୋଗାଇ ଦେଇଥିଲେ। ତା ପରଠାରୁ ଉମାକାନ୍ତ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି।

ଏହି ଔଷଧ ସେବା ୨୦୧୨ ମସିହାରେ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ତାଙ୍କ ନିକଟରେ ୨୦ ଜଣ କର୍ମଚାରୀ କାମ କରୁଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ମଧୁମିତା ସାହୁ ଅଧିକାଂଶ କାମକୁ ତୁଲାଉଥିବା ବେଳେ ବାହାରକୁ ମଧ୍ୟ ଔଷଧ ରପ୍ତାନୀ ହେଉଛି। ବିଶେଷକରି ରକ୍ତଚାପ, ମଧୁମେହ, ଚର୍ମରୋଗ, ଚକ୍ଷୁ, ନାସା ଓ କର୍ଣ୍ଣ ରୋଗ ଏବଂ ବିଭିନ୍ନ ବାତ ରୋଗର ନିରାକରଣ ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର, ଦିଲ୍ଲୀ, ବମ୍ବେରୁ ଲୋକ ଆସି ଉମାକାନ୍ତଙ୍କଠାରୁ ଔଷଧ ନେଉଛନ୍ତି। ଏଥିରୁ ମିଳୁଥିବା ଅର୍ଥକୁ ଉମାକାନ୍ତ ରୋଗୀ ସେବାରେ ଖର୍ଚ୍ଚ କରୁଥିବା ଗ୍ରାମବାସୀ କହିଛନ୍ତି। ଔଷଧ ତିଆରି ପାଇଁ ବିଭିନ୍ନ ପ୍ରକାର ମେସିନ୍ ଓ ଅନ୍ୟାନ୍ୟ ଜଡ଼ିବୁଟି ନିମନ୍ତେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବଟଙ୍କା ଖର୍ଚ୍ଚ ହୋଇଛି ବୋଲି ଉମାକାନ୍ତ କହିଛନ୍ତି।

ସମ୍ବନ୍ଧିତ ଖବର