ଗଣିଜାଙ୍ଗ: ବନ୍ତ ବ୍ଲକ ରାମପୁର ପଞ୍ଚାୟତ କୁଣ୍ଡଳା ଗ୍ରାମର ଉମାକାନ୍ତ ରାଉତ (୪୧)। ୨୦୦୮ ମସିହାରେ ବନ୍ତ ତହସିଲରେ ଠିକା ଚାଳକ ଭାବେ ଦୈନିକ ୯୦ ଟଙ୍କା ମଜୁରି ହିସାବରେ କାର୍ଯ୍ୟ କରି ଆସୁଥିଲେ। ସ୍ୱଳ୍ପ ରୋଜଗାରରେ ଅନ୍ଧୁଣି ବୁଢ଼ୀ ମା, ସ୍ତ୍ରୀ ଓ ପୁଅଝିଅକୁ ନେଇ ବହୁ କଷ୍ଟରେ ଝାଟିମାଟି ଚାଳଛପର ଘରେ ରହୁଛନ୍ତି। ସରକାରୀ ଗାଡ଼ି ଚଳାଇବା ସାଙ୍ଗକୁ ବାବୁମାନଙ୍କ ହୁକୁମ ମାନି ଚପରାସି କାର୍ଯ୍ୟ ମଧ୍ୟ କରୁଥିଲେ ଉମାକାନ୍ତ। ଦୀର୍ଘ ୧୫ ବର୍ଷ ଧରି ଠିକା ମଜୁରିରେ କାମ କରି ଆସୁଥିବା ଉମାକାନ୍ତ ଭୁଲ୍ ବୁଝାବଣାର ଶିକାର ହୋଇ ଗତ ଅକ୍ଟୋବର ମାସରେ ଚାକିରିରୁ ଅଲୋଡ଼ା ହୋଇ ପଡ଼ିଥିଲେ। କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ତାଙ୍କୁ ଆଉ କାମ ଦିଆଯାଇନଥିଲା।

Advertisment

ଇତିମଧ୍ୟରେ ଉଚ୍ଚ ନ୍ୟାୟାଳୟ ଠିକା ମଜୁରିରେ ଖାଲି ପଡ଼ିଥିବା ପଦରେ ନିଯୁକ୍ତ କରିବାକୁ ଆଦେଶ ଦେବା ପରେ ଏହାକୁ ଆଧାର କରି ଉମାକାନ୍ତ ଉଚ୍ଚ ନ୍ୟାୟାଳୟରେ ଏକ ମାମଲା ନଂ (୨୨୬୩/୨୦୧୭) ଦାଖଲ କରିଥିଲେ। ଏହାର ବିଚାର କରି ଉଚ୍ଚ ନ୍ୟାୟାଳୟ ଗତବର୍ଷ ସେପ୍ଟେମ୍ବର ୮ ତାରିଖରେ ଉମାକାନ୍ତଙ୍କୁ ତହସିଲରେ ଖାଲିଥିବା ଡ୍ରାଇଭର ପଦରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏ ଯାଏ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି ଉମାକାନ୍ତ। ରୋଜଗାର ହରାଇ ପରିବାର ମୁହଁରେ ଆହାର ଦେବାକୁ ଉମାକାନ୍ତ ଏବେ ଅକ୍ଷମ। ମାନବିକତା ଦୃଷ୍ଟିକୋଣରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଉମାକାନ୍ତଙ୍କ ପ୍ରତି ସମ୍ବେଦନଶୀଳ ହୋଇ ତାଙ୍କୁ ପୂର୍ବବତ ଚାକିରି ଦେବାକୁ ଗ୍ରାମବାସୀ ସମେତ ପରିବାର ଲୋକେ ନିବେଦନ କରିଛନ୍ତି।