ଭୁବନେଶ୍ୱର : ଓଡ଼ିଆ କଥାସାହିତ୍ୟ ଜଗତର ଅନ୍ୟତମ ଖ୍ୟାତନାମା ସ୍ରଷ୍ଟା ଉମାଶଙ୍କର ମିଶ୍ର ଆଉ ନାହାନ୍ତି। ଆଜି ପୂର୍ବାହ୍ଣ ୧୦ଟା ସମୟରେ ନୂଆପଲ୍ଲୀ ଭିଆଇପି ଅଞ୍ଚଳସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ପ୍ରାପ୍ତ ଲେଖକ ଶ୍ରୀ ମିଶ୍ର ୧୦୦ରୁ ଊର୍ଧ୍ୱ କ୍ଷୁଦ୍ର ଗଳ୍ପ ରଚନା କରିଥିବା ବେଳେ ୧୩ଟି ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି, ଲେଖକ, ପ୍ରାକ୍ତନ ପ୍ରଶାସକ ତାଙ୍କର ଶେଷ ଦର୍ଶନ କରିଥିଲେ।
ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ରାମଚନ୍ଦ୍ରପୁରରେ ଚଣ୍ଡେଶ୍ୱର ମିଶ୍ର ଏବଂ ଚଞ୍ଚଳା କୁମାରୀ ଦେବୀଙ୍କ ଔରସରୁ ୧୯୩୭ ମସିହା ନଭେମ୍ବର ୨୮ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ଛାତ୍ରାବସ୍ଥାରେ ରେଭେନ୍ସା କଲେଜର ପଶ୍ଚିମ ଛାତ୍ରାବାସର ମୁଖପତ୍ର ‘ଉର୍ମି’ ଓ ଇଣ୍ଡିଆନ୍ ଷ୍ଟୁଡେଣ୍ଟ୍ସର ପତ୍ରିକା ‘ଆଗାମୀ’ର ସମ୍ପାଦନା କରିଥିଲେ। ପରେ ସେ ଉମାଶଙ୍କର ମିଶ୍ରଙ୍କ କାହାଣୀ ସ୍ତବକ, ଶ୍ୱେତ ଅନୃତ, ତ୍ରିଶଙ୍କୁ, ନୂଆ ଶତାବ୍ଦୀର ଫଗୁଣ, ବୋହୂବୋହୂକା, ମୋକ୍ଷଚକ୍ର, ବିଚକ୍ଷଣାରେ, କାନ୍ତବିନା, ଆକାଶ ନାବିକ, ପ୍ରବାଦ ସୁନ୍ଦରୀ, ଶୂନ୍ୟବାଣୀ, ଓଲଟ ବୃକ୍ଷ, ଭଗବାନଙ୍କ ଘର ଭଳି ଗଳ୍ପ ସଂକଳନମାନ ସୃଷ୍ଟି କରିଥିଲେ। ୧୯୮୭ରେ ‘ବୋହୂବୋହୂକା’ ଗଳ୍ପ ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଲାଭ କରିଥିଲେ। ଏଥିସହିତ ବହୁ ଜଣାଶୁଣା ଅନୁଷ୍ଠାନ ମଧ୍ୟ ତାଙ୍କୁ ସମ୍ମାନିତ କରିଥିଲା। ୧୯୯୫ ମସିହାରେ ଶିଳ୍ପ ବିଭାଗର ଅତିରିକ୍ତ ସଚିବ ଭାବେ ସର୍ବଭାରତୀୟ ସେବାରୁ ଅବସର ନେଇଥିଲେ। ମୃତ ଶରୀର ନିକଟରେ ପତ୍ନୀ ସ୍ନେହପ୍ରଭା ମିଶ୍ର, ପୁଅ ଅନିନ୍ଦ୍ୟ, ଅଚିନ୍ତ୍ୟଙ୍କ ସମେତ ବୋହୂ, ଝିଅ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ଼ ପୁଅ ଅନିନ୍ଦ୍ୟ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/umashankr-mishrank-photo.jpg)