ଯଶିପୁର: ଭାରତ ସରକାରଙ୍କ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ଓ ୟୁଥ୍ ଆଫେୟାର୍ସ ଆଣ୍ଡ ସ୍ପୋର୍ଟସ୍ ପକ୍ଷରୁ ଶ୍ରୀନଗରର ଶେର୍ କାଶ୍ମୀର ଇଣ୍ଡୋର୍ ସ୍ପୋର୍ଟସ କପ୍ଲେକ୍ସରେ ଚଳିତ ମାସ ୨୧ ରୁ ୨୪ ପର୍ଯ୍ୟନ୍ତ ପୁରୁଷ ଓ ମହିଳା ପେନକାକ୍ ସିଲେଟ ଜାତୀୟ ଚାମ୍ପିଅନସିପ୍ ଆୟୋଜିତ ହେଉଛି। ଏଥିରେ ଓଡ଼ିଶାରୁ ପୁରୁଷ ଓ ମହିଳା ବିଭାଗର ୨୦ଜଣିଆ ଟିମ୍ ଯୋଗଦେବେ। ମୟୂରଭଞ୍ଜ ଯଶିପୁର ଅଞ୍ଚଳ ଚାଇଁନେବଦା ଗ୍ରାମର ଉମାବତୀ ପାତ୍ର ଭାଗ ନେବା ପାଇଁ ଆସନ୍ତାକାଲି କାଶ୍ମୀର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଠାରେ ୮ ଓ ୯ ଅକ୍ଟୋବରରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯଶିପୁର ବ୍ଲକ୍ ଚାଇଁନେବଦା ଗ୍ରାମର ରବୀନ୍ଦ୍ର ପାତ୍ରଙ୍କ ଝିଅ ଉମାବତୀ ପାତ୍ର ରାଜ୍ୟ କରାଟେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଛନ୍ତି। ଗତବର୍ଷ ମଧ୍ୟ ଓଡ଼ିଶା ମନୋନୀତ ହୋଇ ପଞ୍ଜାବ ଲୁଧିଆନାରେ ଅନୁଷ୍ଠିତ ଜାତୀୟ ଚାମ୍ପିଅନସିପ୍ରେ ଉମାବତୀ ଭାଗ ନେଇଥିଲେ। ତାଙ୍କର ଏହି ସଫଳତା ପାଇଁ ବେଗୁନିଆ ସମିତିସଭ୍ୟ ସୋହନ ରାମ ବାସଭବନରେ ପହଞ୍ଚି ଉମାବତୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।