ଅନଭିଜ୍ଞଙ୍କୁ ପ୍ରିଜାଇଡିଂ ଅଫିସର ଦାୟିତ୍ବ: ଦୁଇ ଦିନ ବଦଳରେ ଦିନକ ପୂର୍ବରୁ ପହଞ୍ଚିବେ ପୋଲିଂ ପାର୍ଟି

ରାଉରକେଲା: ଦୁଇ ଦିନ ପରେ ଆରମ୍ଭ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ମୋଟ୍‌ ୫ଟି ପର୍ଯ୍ୟାୟ, ଅର୍ଥାତ୍‌ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। ନିର୍ବାଚନ ପରିଚାଳନା ପାଇଁ ଦାୟିତ୍ବ ବଣ୍ଟନ, ସୁରକ୍ଷା ବ୍ୟବସ୍ଥା ଆଦି ସମ୍ପନ୍ନ ହୋଇସାରିଲାଣି। ତେବେ ଏଥର ଅନେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯଦ୍ବାରା, ନିର୍ବାଚନ ଡ୍ୟୁଟିରେ ନିଯୁକ୍ତ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ରାଜ୍ୟ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶାନୁଯାୟୀ, ନିର୍ବାଚନର ଦୁଇ ଦିନ ପୂର୍ବରୁ ପୁଲିଂ ପାର୍ଟି ଅର୍ଥାତ୍‌, ପ୍ରିଜାଇଡିଂ ଅଫିସର, ପ୍ରଥମ ଓ ଦ୍ବିତୀୟ ପୋଲିଂ ଅଫିସର ପ୍ରମୁଖ ନିଜ ନିଜ ଆବଣ୍ଟିତ ପୋଲିଂ ଷ୍ଟେସନରେ ପହଞ୍ଚିବେ। ପ୍ରଥମେ ପୋଲିଂ ପାର୍ଟି ଦୁଇ ଦିନ ପୂର୍ବେ ସଂପୃକ୍ତ ବ୍ଲକ ମୁଖ୍ୟାଳୟରେ ପହଞ୍ଚିବେ। ସେଠାରୁ ସେମାନେ ବିଭିନ୍ନ ନିର୍ବାଚନ ପରିଚାଳନା ସାମଗ୍ରୀ, ଯଥା- ବାଲାଟ୍‌ ବକ୍ସ, ବାଲାଟ୍‌ ପେପର୍‌, କାଳି, କିରାସିନ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ନିଜ ନିଜ ପୋଲିଂ ଷ୍ଟେସନ ଅଭିମୁଖେ ବାହାରିବେ। ତେବେ ଏହି ନିୟମକୁ ଜିଲ୍ଲାରେ ଅନୁପାଳନ କରାଯାଇନି। ଦୁଇ ଦିନ ବଦଳରେ ପୋଲିଂ ପାର୍ଟିକୁ କେବଳ ଦିନକ ପୂର୍ବରୁ ବ୍ଲକ ମୁଖ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅର୍ଥାତ୍‌, ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପୋଲିଂ ପାର୍ଟିଂ ୧୫ ତାରିଖ ସକାଳ ୮ଟାରେ ବ୍ଲକ ମୁଖ୍ୟାଳୟରେ ପହଞ୍ଚିବେ। ଏହାଦ୍ବାରା ବ୍ଳକ ମୁଖ୍ୟାଳୟରୁ ପୋଲିଂ ଷ୍ଟେସନର ଦୂରତା ମାତ୍ରାଧିକ ଥିଲେ, ପୋଲିଂ ପାର୍ଟିଙ୍କ ସମସ୍ୟା ଦ୍ବିଗୁଣିତ ହେବ। ପୋଲିଂ ପାର୍ଟିଂକୁ ନିର୍ବାଚନ ପୂର୍ବରୁ ରହଣୀ ବ୍ୟବସ୍ଥା, ଖାଦ୍ୟପେୟ ସଂଗ୍ରହ, ବିଦ୍ୟୁତକରଣ(ବିଦ୍ୟୁତ ସଂଯୋଗ ନଥିଲେ), ଶୌଚାଳୟ, ଟେବୁଲ, ଚେୟାର ସମେତ ପ୍ରାକ୍‌ ଭୋଟ୍‌ଦାନ ପ୍ରସ୍ତୁତିରେ ଦୀର୍ଘ ସମୟ ଅତିବାହିତ କରିବାକୁ ପଡ଼ିଥାଏ। ଏଣୁ ପୋଲିଂ ପାର୍ଟି ଯଦି ୧୫ ତାରିଖ ସନ୍ଧ୍ୟାରେ ପୋଲିଂ ଷ୍ଟେସନରେ ପହଞ୍ଚିବେ, ତା’ହେଲେ ରାତିସାରା

ଏସବୁ ଅତ୍ୟାବଶ୍ୟକ ପ୍ରାକ୍‌ ପ୍ରସ୍ତୁତି ସାରି ପୁଣି ସକାଳୁ ନିର୍ବାଚନ ପରିଚାଳନା କରିବାକୁ ବାଧ୍ୟହେବେ; ଯାହାକି ମାନସିକ ଓ ଶାରୀରିକସ୍ତର ଚାପ ବୃଦ୍ଧି କରିବା ସ୍ବାଭାବିକ୍‌। ଏତଦ୍‌ବ୍ୟତୀତ ନିର୍ବାଚନ ଡ୍ୟୁଟିରେ ଅନଭିଜ୍ଞ କର୍ମଚାରୀଙ୍କୁ ପ୍ରିଜାଇଡିଂ ଅଫିସର ଦାୟିତ୍ବ ଦିଆଯାଇଥିବା ଅଭିଯୋଗ ହୋଇଛି। ପ୍ରାୟତଃ ବରିଷ୍ଠ ଶିକ୍ଷକ, ପ୍ରଧାନ ଶିକ୍ଷକ, ଅନ୍ୟ ବିଭାଗର ବରିଷ୍ଠ କର୍ମଚାରୀ ତଥା ପୂର୍ବରୁ ନିର୍ବାଚନ ପରିଚାଳନା କରିସାରିଥିବା ଅଭିଜ୍ଞ କର୍ମଚାରୀଙ୍କୁ ଏହି ଗୁରୁଦାୟିତ୍ବ ପ୍ରଦାନ କରାଯାଇଥାଏ। ତେବେ ଜିଲ୍ଲାରେ ନିର୍ବାଚନ ପରିଚାଳନା କରିବାର ଆଦୌ ଅଭିଜ୍ଞତା ନ ଥିବା କେତେକ ଏକ୍ସକ୍ୟାଡର ଶିକ୍ଷକଙ୍କୁ ପ୍ରିଜାଇଡିଂ ଅଫିସର ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହାଦ୍ବାରା ସଂପୃକ୍ତ ଶିକ୍ଷକମାନେ ଯାବତୀୟ ଦୁଶ୍ଚିନ୍ତା‌ ଦେଇ ଗତି କରୁଛନ୍ତି। ଯଦିଓ ଏହି ସରକାରୀ ନିର୍ଦ୍ଦେଶାନାମାକୁ ବିରୋଧ କରୁନାହାନ୍ତି; କିନ୍ତୁ ନିର୍ବାଚନ ପରିଚାଳନା ପାଇଁ ଦୃଢ଼ ମନୋବଳର ଅଭାବ ସେମାନଙ୍କ ମୁହଁରେ ସ୍ପଷ୍ଟ ପରିଲକ୍ଷିତ ହୁଏ।

ଏହାବାଦ୍‌, ନିର୍ଦ୍ଦିଷ୍ଟ କର୍ମଚାରୀଙ୍କୁ ନିଜ ମୂଳ ଠିକଣାଠାରୁ ବେଶ୍‌ ଦୂରରେ ଥିବା ପୋଲିଂ ଷ୍ଟେସନରେ ନିୟୋଜିତ କରାଯାଇଛି। ବିଶେଷକରି ଦୁଇଟି ପର୍ଯ୍ୟାୟ ମତଦାନ ପାଇଁ ନିୟୋଜିତ କର୍ମଚାରୀ ମଧ୍ୟ ଦୂରବର୍ତ୍ତୀ ସ୍ଥାନରେ ନିୟୋଜିତ ହୋଇଛନ୍ତି; ଯାହାକି କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର