ନାକଟିଦେଉଳ: ରାତିଅଧରେ ବିଷ ପିଇଲେ ମା’ ପୁଅ। ଏହି ଘଟଣାରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍‌ କିସିଣ୍ଡା ଥାନା ଅନ୍ତର୍ଗତ ପୋଡ଼ାଖୋଲ ଗାଁରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ ହେଉଛନ୍ତି ଗାଁର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସ୍ତ୍ରୀ ତାରା ପ୍ରଧାନ ଏବଂ ଗୁରୁତର ଅସୁସ୍ଥ ପୁଅ ତରୁଣ ପ୍ରଧାନ। ତେବେ ବିଷପାନର ପ୍ରକୃତ କାରଣ ଜଣାପଡ଼ି ନଥିଲେ ମଧ୍ୟ ଅତ୍ୟଧିକ ଋଣ ବୋଝ ସହିନପାରି ଉଭୟେ ଏମିତି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁସାରେ, ପୋଡ଼ାଖୋଲ ଗାଁର ଅନ୍ତର୍ଯ୍ୟାମୀ ପ୍ରଧାନ ଅନେକ ବର୍ଷ ହେଲା ନିଜ ସ୍ତ୍ରୀ ଏବଂ ପୁଅ ଝିଅ ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ନିକଟସ୍ଥ ବଲାସିଙ୍ଗା ଗାଁରେ ରହୁଛନ୍ତି। ତେବେ ତାରା ପ୍ରଧାନ ନିଜର ପୁଅ ଝିଅଙ୍କୁ ସାଙ୍ଗରେ ଧରି ପୋଡ଼ାଖୋଲ ଗାଁରେ ରହୁଥିଲେ।

Advertisment

ଗତ ବର୍ଷ ତାରା ନିଜର ଝିଅକୁ ବିବାହ କରାଇଥିବା ବେଳେ ବର୍ତ୍ତମାନ ମା’ ଓ ପୁଅ ଘରେ ଏକାକୀ ରହୁଥିଲେ। କୌଣସି କାରଣରୁ ଶନିବାର ଉଭୟ ମା’ ଓ ପୁଅ କଠୋର ନିଷ୍ପତ୍ତି ନେଇ ଘର ଭିତରେ ବିଷ ପିଇ ଦେଇଥିଲେ। ରବିବାର ସକାଳେ ଉଭୟେ ଉଠି ନଥିବା ବେଳେ ସେମାନଙ୍କ ପାଟି ତୁଣ୍ଡ ମଧ୍ୟ ଶୁଣାଯାଇ ନଥିଲା। ତାଙ୍କର ଜଣେ ସମ୍ପର୍କୀୟ ସନ୍ଦେହ ପ୍ରକାଶ କରି ଘର ଭିତରକୁ ଯାଇ ଗୁରୁତର ଭାବେ ଉଭୟ ମା’ ପୁଅ ବିଛଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖରେ ବିଷ ବୋତଲ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ସଙ୍ଗେ ସଙ୍ଗେ ଉଭୟ ମା’ ପୁଅଙ୍କୁ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାରାଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।