ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କଚରାପାରା -୨ ଗ୍ରାମର ଜଣେ ଗର୍ଭବତୀ  ମହିଳା ବିଷ ପିଇ ଜୀବନ ହାରିଛନ୍ତି। ମାନସିକ ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିଥିବା କନ୍ୟାପିତା ରାଇଘର ଥାନାରେ ଏତଲା ଦେଇଛନ୍ତି। ମୃତା ଅପର୍ଣ୍ଣା ଗୋୟଲଙ୍କ ସ୍ବାମୀଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି।

Advertisment

ଏହି ବ୍ଲକର ପରଚିପାରା (ଡି.ଏନ.କେ) ଗ୍ରାମର ସୁଧୀର ଗୋୟଲଙ୍କ ଝିଅ ଅପର୍ଣ୍ଣା (୨୦) କଚରାପାରା -୨ ଗ୍ରାମର ପ୍ରଶାନ୍ତ ମଲ୍ଲିକଙ୍କୁ ଗତ ୮ ମାସ ପୂର୍ବେ ବିବାହ କରିଥିଲେ। ଇତି ମଧ୍ୟରେ ଅପର୍ଣ୍ଣା ୪ ମାସର ଗର୍ଭବତୀ ଥିଲେ। ଗତ ୧୫ ଦିନ ପୂର୍ବେ ଅପର୍ଣ୍ଣା ବାପ ଘରକୁ ବୁଲିବାକୁ ଆସି ଥିବାବେଳେ ସପ୍ତାହ ପୂର୍ବେ ତାଙ୍କ ଶଶୁର ଆସି ଘରକୁ ନେଇ ଯାଇଥିଲେ l କିନ୍ତୁ ଗତ ୩ ତାରିଖ ରାତିରେ ଅପର୍ଣ୍ଣା ଘରେ ଥିବା କୀଟନାଶକ ଔଷଧ ପିଇଦେଇଥିଲେ।

ଏହା ଜଣାପଡ଼ିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଶଶୁରଘର ପରିବାର ପ୍ରଥମେ ଉମରକୋଟ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ସାଂଘାତିକ ହେବାରୁ ଗତ ୪ ତାରିଖ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଝିଅର ମୃତ୍ୟୁ ଖବର ପାଇ ସୁଧୀର କଚରାପାରା -୨ ଗାଁକୁ ଯାଇଥିଲେ। ଗର୍ଭବତୀ ଅବସ୍ଥାରେ ମାନସିକ ନିର୍ଯ୍ୟାତନା ଅଧିକ ହେବାରୁ ଅପର୍ଣ୍ଣା ବିଷ ପିଇବା ଭଳି ପଦକ୍ଷେପ ନେଇଛି ବୋଲି ତାଙ୍କ ପିତା କହିଛନ୍ତି। ସୁଧୀରଙ୍କ ଏତଲା ଅନୁଯାୟୀ ପୁଲିସ ନଂ.୧୭୭/୨୨ରେ ଏକ ମାମଲା ରୁଜୁ କରି ସ୍ବାମୀ ପ୍ରଶାନ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।