ବାଲେଶ୍ବର: ମଙ୍ଗଳବାର ସକାଳେ ବାଲେଶ୍ବର ସହରର ଆନନ୍ଦବଜାର ଠାରେ ଜଣେ ମହିଳା ନିଜ ୬ ମାସର ସନ୍ତାନ ସହ ରେଳଧାରଣାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ନିରଞ୍ଜନ ଦାସ ତାଙ୍କୁ ଉଦ୍ଧାର କରିିଥିଲେ। ପରେ ସମ୍ପୃକ୍ତ ମହିଳା ଓ ତାଙ୍କ ଶିଶୁସନ୍ତାନ ପାଇଁ ସେ ଖାଇବାର ବନ୍ଦୋବସ୍ତ କରିବା ସହ ନିକଟସ୍ଥ କରୁଣାଗୌରୀ ଆଶ୍ରୟସ୍ଥଳରେ ଛାଡ଼ିଥିବା ସୂଚନା ରହିଛି। ଏନେଇ ଆଶ୍ରୟସ୍ଥଳର ପରିଚାଳକ ଗଣେଶ୍ବର ରାଉତଙ୍କ କହିବା ମୁତାବକ, ଉଦ୍ଧାର ହୋଇଥିବା ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା ବହଳଦା ଅଞ୍ଚଳର। ସେ ଜଣେ ଉଚ୍ଚଶିକ୍ଷିତା ମହିଳା।
ତେବେ ସନ୍ତାନ ଲାଭ ପରେ ତାଙ୍କ ସ୍ବାମୀ ଅନ୍ୟଜଣେ ମହିଳାଙ୍କ ସହ ଗୁପ୍ତସମ୍ପର୍କ ରଖି କୁଆଡ଼େ ପଳାଇ ଯାଇଥିବାରୁ ମା’ ଛୁଆଙ୍କ କଥା ବୁଝିବାକୁ ଘରେ କେହିନଥିଲେ। ଏଭଳି ପରିସ୍ଥିତିରେ ସେ ୩/୪ଦିନ ପୂର୍ବରୁ ବହଳଦାରୁ ଚାଲିଚାଲି ବାରିପଦା ଆସିବା ପରେ ସେଠାରୁ ଟ୍ରେନ୍ରେ ବାଲେଶ୍ବରକୁ ପଳାଇ ଆସିଥିଲେ। ଏଠାରେ ଦୁଇ ଦିନଯାଏ ଭୋକଉପାସରେ ରହି ଲୋକଙ୍କୁ ଖାଇବାକୁ ମାଗିଥିଲେ ହେଁ ତାଙ୍କ ଭେକ ଦେଖି କେହି ସାହାଯ୍ୟ କରିନଥିଲେ। ତେଣୁ ସେ ନିଜ ଛଆକୁ କାଖରେ ଧରି ଆଜି ସକାଳେ ଆନନ୍ଦବଜାର ନିକଟରେ ଏକ ଟ୍ରେନ୍ ଆଗକୁ ଯାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ବାଲିଆ ଅଞ୍ଚଳର ନିରଞ୍ଜନ ଦାସ ତାଙ୍କୁ ଉଦ୍ଧାର କରିଥିଲେ। ଏବେ ମହିଳାଙ୍କ ମାନସିକ ସ୍ଥିତି ଭଲ ନଥିବା ବେଳେ ଭୋକଉପାସରେ ରହିଥିବାରୁ ତାଙ୍କ ସ୍ବାସ୍ଥ୍ୟ ବି ଭଲ ନାହିଁ। କେହି ସହୃଦୟ ବ୍ୟକ୍ତି କିମ୍ବା ପ୍ରଶାସନ ତରଫରୁ ଏହି ମହିଳାଙ୍କୁ ସହାୟତାର ହାତ ବଢ଼ାଇବାକୁ ଶ୍ରୀ ରାଉତ ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/21-6.jpg)