ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି: ନିଜ ଗାଁରେ ରୋଜଗାର ଯୋଗାଇ ଦେବା ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହୋଇଥିଲା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା। କିନ୍ତୁ ଜଳଭଣ୍ଡାର ଯୋଗୁଁ ବିସ୍ଥାପିତ ହୋଇ ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ତେନ୍ତୁଳିଖୁଣ୍ଟି ବ୍ଲକର ତଳଙ୍ଗ ଗ୍ରାମବାସୀ। ପୂରା ଗାଁରୁ ମାତ୍ର ଦୁଇ ଜଣଙ୍କୁ ଜବକାର୍ଡ ମିଳିଛି। ଜଳଭଣ୍ଡାର ଭିଟାମାଟି ଛଡ଼ାଇ ନେବା ପରେ ରୋଜଗାର ହରାଇଥିବା ପରିବାର ଏବେ ମୂଲ ଲାଗୁଛନ୍ତି। ମନରେଗା କାମ କରିବାକୁ ଇଚ୍ଛୁକ ଥିଲେ ବି କାର୍ଡ ନଥିବାରୁ ଗାଁ ଛାଡ଼ିବାକୁ ବାଧ୍ୟ ହୋଇଥିବା ମଧ୍ୟ କହିଛନ୍ତି।
ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହେବା ପୂର୍ବରୁ ମଞ୍ଚାଗାଁ ପଞ୍ଚାୟତର ଉପରୋକ୍ତ ଗାଁକୁ ନିତିଦିନିଆ ରାସ୍ତା ରହିଥିଲା। ଜଳଭଣ୍ଡାରରେ ପାଣି ଭର୍ତ୍ତି ହେବା ପରେ ଗାଁକୁ ସଂଯୋଗ କରୁଥିବା ରାସ୍ତା ନିଶ୍ଚିହ୍ନ ହୋଇଗଲା। ଏହାପରେ ଗ୍ରାମବାସୀ ଜଳଭଣ୍ଡାରର ବାରିହା ଡଙ୍ଗାଘାଟରୁ ପ୍ରାୟ ୧୦କିମି ଡଙ୍ଗାରେ ଅତିକ୍ରମ କରି ଜୀବିକା ପାଇଁ ଇନ୍ଦ୍ରାବତୀ ଆସୁଛନ୍ତି। ଗାଁରେ ପ୍ରାୟ ୩୫ଟି ପରିବାର ଏବଂ ୧୫୦ଜଣ ବସବାସ କରୁଛନ୍ତି। କିନ୍ତୁ ଶଶି କମାର ଓ ସନାଇ କମାରଙ୍କୁ ବାଦ୍ ଦେଲେ ଅନ୍ୟ କେହି ମନରେଗା ଜବକାର୍ଡ ପାଇନାହାନ୍ତି। ଜବକାର୍ଡର ଗୁରୁତ୍ବ କଣ ଗ୍ରାମବାସୀ ଭଲ ରୂପେ ଅବଗତ। ତେଣୁ ବାରମ୍ବାର ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଛନ୍ତି। ଜବକାର୍ଡ ଯୋଗାଇ ଦେବାକୁ ଗୁହାରି ମଧ୍ୟ କରିଛନ୍ତି। ପ୍ରତ୍ୟେକ ଥର ପ୍ରତିଶ୍ରୁତି ମିଳିଛି, ଅଥଚ ଜବକାର୍ଡ ମିଳୁନାହିଁ। ଜଳଭଣ୍ଡାର ଜୀବିକା ସହ ଆଶ୍ରୟ ଛଡ଼ାଇ ନେଲା। ଏହା ଯେତିକି ପୀଡ଼ା ଦେଇନଥିଲା ବର୍ତ୍ତମାନ ରୋଜଗାର ନଥାଇ ବଞ୍ଚିବା ପାଇଁ ସଂଘର୍ଷ କରିବା ଅଧିକ ଯନ୍ତ୍ରଣା ଦେଉଛନ୍ତି। ତଥାପି ଗ୍ରାମବାସୀ ବଞ୍ଚିବା ନିମନ୍ତେ ପାହାଡ଼ରୁ ଜାଳେଣି କାଠ ଓ କୋଇଲା ସଂଗ୍ରହ କରୁଛନ୍ତି। ଜଳଭଣ୍ଡାରରୁ ମାଛ ଧରି ବିପଦପୂର୍ଣ୍ଣ ଭାବେ ଦେଶୀ ଡଙ୍ଗାରେ ଇନ୍ଦ୍ରାବତୀ ଆସି ବିକ୍ରି କରୁଛନ୍ତି। ଯାହା ମିଳୁଛି ସେଥିରେ ବହୁ କଷ୍ଟରେ ଚଳୁଛନ୍ତି।
ଅପରପକ୍ଷରେ ଗାଁରେ ରୋଜଗାର ପାଇଁ କୌଣସି ସାଧନ ନଥିବାରୁ ଅଧିକାଂଶ ଯୁବକ ଗାଁ ବାହାରେ ରହୁଛନ୍ତି। ରାଜ୍ୟ ବାହାରେ କଠିନ ପରିଶ୍ରମ କରୁଛନ୍ତି। ବିଡ଼ମ୍ବନା ହେଲା ରୋଜଗାର ପାଇଁ ଗତ ମେ ମାସରେ ଏହି ଗାଁର ପ୍ରାୟ ୪୦ଜଣ ଗୁରୁମାଇଗୁଡ଼ାରୁ ତଳଙ୍ଗ ପର୍ଯ୍ୟନ୍ତ ରାସ୍ତା କାମ ୨୦ଦିନ ଧରି କରିଥିଲେ। ଯାହାକୁ ଅନ୍ୟ ଗ୍ରାମର ଲୋକ ବିରୋଧ କରିବା ସହ ସେମାନଙ୍କୁ ମାଡ଼ ମାରିଲେ। ତେଣୁ କାମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ସେହି ୨୦ଦିନର ମଜୁରି ମିଳିବାରେ ସମସ୍ୟା ହେଉଛି। କାରଣ ଜବକାର୍ଡ ନଥିବାରୁ ମଜୁରି ଦେବା ସମ୍ଭବ ହେଉନି। ରୋଜଗାରରୁ ବଞ୍ଚିତ କରି ଆମକୁ ଅବହେଳିତ ଅବସ୍ଥାରେ ଛାଡ଼ି ଦିଆଯାଇଛି ବୋଲି ଗାଁର ଯୁଧିଷ୍ଠିର କମାର, ତାମେଶ୍ବର କମାର, ମାତିଲି କମାର, ଜଗନ୍ନାଥ କମାର, ରମେଶ ମୁଦୁଲି, ସନମନ ମୁଦୁଲି, ମନ ନାୟକ, ବାରୁ ମୁଦୁଲି, ବୁଡୁ ମୁଦୁଲି, ବୈଦ୍ୟ କମାର ପ୍ରମୁଖ କ୍ଷୋଭର ସହ କହିଛନ୍ତି। ଏନେଇ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ପୂର୍ବରୁ ଗ୍ରାମବାସୀ ଜବକାର୍ଡ ପାଇଥିଲେ। ବହୁ ଦିନ ଧରି ମନରେଗା କାମ କରିନଥିବାରୁ କାର୍ଡ ରଦ୍ଦ ହୋଇଯାଇଛି। ବର୍ତ୍ତମାନ ୧୮ଜଣ ଜବକାର୍ଡ ପାଇଁ ଆବେଦନ କରିଥିବା ବେଳେ ସେଥିରୁ ୧୪ଜଣଙ୍କ ଜବକାର୍ଡ ଅନୁମୋଦନ ହୋଇଛି। ଅନ୍ୟମାନେ ବି ଆଗକୁ ପାଇବେ। ଜବକାର୍ଡ ପାଇଁ ଆବେଦନ କଲେ ଅବଶିଷ୍ଟ ଶ୍ରମିକଙ୍କୁ ମଧ୍ୟ କାର୍ଡ ଦିଆଯିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sffhfhff.jpg)