ରାଉରକେଲା: ଦୂର ହେଉନି ବିସ୍ଥାପିତଙ୍କ ସମସ୍ୟା। ଆଗେଇ ପାରୁନି ବହୁ ପ୍ରକଳ୍ପ। ଏମିତି ଅନେକ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ୧୦ରୁ ୧୫% କାମ ପରେ ବନ୍ଦ ରହିଛି। ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି, ବିରୋଧୀଦଳଗୁଡ଼ିକ ମଧ୍ୟ ଚୁପ୍ ବସିଛନ୍ତି। ତେଣୁ କେବେ ଏସବୁ ପ୍ରକଳ୍ପର କାମ ଆରମ୍ଭ ହେବ ବା ସରିବ, କାହାରି ପାଖରେ ଉତ୍ତର ନାହିଁ। ରାଉରକେଲା ସହର ସାରା ଏମିତି ପ୍ରକଳ୍ପ ଭରି ରହିଛି। ଉଦାହରଣସ୍ବରୂପ, ସେକ୍ଟର-୧୩ ଓମଫେଡ୍ ଫ୍ୟାକ୍ଟ୍ରି କାରଖାନାର ପଛ ପାର୍ଶ୍ବର ପ୍ରାୟ ୫୦ ଏକର ଜାଗାରେ ହେବାକୁ ଯାଉଥିବା ଜିଲ୍ଲାର ଦ୍ବିତୀୟ କୃଷି ବିଜ୍ଞାନ କେନ୍ଦ୍ର ଅଧପନ୍ତରିଆ ପାଚେରିରେ ସୀମିତ ରହିଛି। ପାଚେରି ନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୧ କୋଟି ୩୫ ଲକ୍ଷ ଟଙ୍କା ମଞ୍ଜୁରି ହୋଇଥିଲା। ତେବେ ଓଡ଼ିଶା ଏବଂ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟ (ଓୟୁଏଟି) ଭୁବନେଶ୍ବର ପକ୍ଷରୁ ପାଚେରି ନିର୍ମାଣକୁ ଆଦିବାସୀ ମୂଳବାସୀ ବଞ୍ଚାଓ ମଞ୍ଚ ପକ୍ଷରୁ କଡା ବିରୋଧ କରାଯାଇଥିଲା। ବିସ୍ଥାପିତଙ୍କ ଆର୍ଏସ୍ପି ଚାଷ ଜମିରେ ହେଉଥିବା ଏହି ବିଜ୍ଞାନ କେନ୍ଦ୍ର ଅନ୍ୟତ୍ର କରିବାକୁ ଦାବି କରିଥିଲେ।
ଉତ୍ତେଜନା ସୃଷ୍ଟି ହେବାରୁ ଘଟଣାସ୍ଥଳରେ ୧୪୪ ଜାରି ହୋଇଥିଲା। ବିବାଦ ସମାଧାନ ହେଉଥିବାରୁ ଆଜିକୁ ପ୍ରାୟ ୭ ବର୍ଷ ଧରି ପ୍ରକଳ୍ପ ସେମିତି ପଡିଛି। ଏଠାରେ ଚାଷୀଙ୍କ ପାଇଁ ଦୁଇଟି ହଷ୍ଟେଲ, କର୍ମଚାରୀଙ୍କ କ୍ବାର୍ଟର୍ସ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା, ଫାର୍ମ ଗୋଦାମ ଗୃହ, ଡାଏରୀ ୟୁନିଟ୍, କୁକୁଡା ଫାର୍ମ, ଛତୁ ଲାବରେଟୋରି, ଛତୁ ଉତ୍ପାଦନ ୟୁନିଟ୍ ଆଦି ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଥିଲା। ନୂଆଗାଁ, କୁଆରମୁଣ୍ଡା, ବିଶ୍ରା, ଲାଠିକଟା, ବଣାଇଗଡ, କୋଇଡା, ଲହୁଣିପଡା, ରାଜଗାଙ୍ଗପୁର, ଗୁରୁଣ୍ଡିଆ ଆଦି ବ୍ଲକର ଚାଷୀମାନେ ଏହା ଦ୍ବାରା ବେଶ୍ ଉପକୃତ ହୋଇଥାନ୍ତେ। ବିସ୍ଥାପିତଙ୍କ ବିରୋଧୀ ଯୋଗୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ ଆଗେଇ ପାରୁନି। ସେହିପରି ସ୍ମାର୍ଟସିଟିରେ ଟ୍ରାଫିକ୍ ସମସ୍ୟା ସହ ଭାରିଯାନ ଚଳାଚଳ ରୋକିବାକୁ ବେଲ୍ଡିହିରେ ୧୨ ଏକରରେ ଜାଗାରେ ପ୍ରାୟ ୩୦୦ କୋଟିରେ ନିର୍ମାଣ ହେବାକୁ ଥିବା ଟ୍ରାନ୍ସପୋର୍ଟ ନଗରର ମଧ୍ୟ ସେହି ସମାନ ସ୍ଥିତି। ପୂର୍ବତନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଜାଗା ଚିହ୍ନଟ କରି ନିର୍ମାଣ କାମ ଆଗେଇ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିବାଦ ଯୋଗୁଁ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡିଏ ମଧ୍ୟ ପଡିପାରିଲା ନାହିଁ। ଅନୁରୂପ ଭାବେ ସେକ୍ଟର-୧୩ କୃଷି ବିଜ୍ଞାନ କେନ୍ଦ୍ର ପାର୍ଶ୍ବର ପ୍ରାୟ ୧୬ ଏକର ଜାଗାରେ ନିର୍ମାଣ ହେବାକୁ ଯାଉଥିବା ଓଏମ୍ସି ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ମଧ୍ୟ ବିସ୍ଥାପିତମାନେ କଡା ବିରୋଧ କରିଛନ୍ତି।
ତେବେ ତାହା ବିବାଦୀୟ ଜମି ହୋଇଥିବାରୁ ଓଏମ୍ସି ଓଡ଼ିଶା ମାଇନିଂ ଆଦର୍ଶ ନିର୍ମାଣ ପାଇଁ ଖଣ୍ଡିଏ ଇଟା ମଧ୍ୟ ଏଯାଏ ପକାଇ ପାରିନି। ଜିଲ୍ଳା ପ୍ରଶାସନ ଓଏମ୍ସିକୁ ଏହି ଜାଗା ହସ୍ତାନ୍ତର କରୁଥିବାବେଳେ ବିସ୍ଥାପିତମାନେ କଡ଼ା ବିରୋଧ କରିଥିଲେ। ବିରୋଧ ଯୋଗୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରିବାକୁ ବାଧ୍ୟ ହୋଇଥିଲେ। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ବିସ୍ଥାପିତ ପରିବାରଙ୍କୁ ବୁଝାସୁଝା କରିଥିଲେ ହେଁ ସମାଧାନର ସେମିତି କୌଣସି ବାଟ ବାହାରି ପାରି ନଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ନିରୁପାୟ ହୋଇ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଓଏମ୍ସିକୁ ଓବିସି ହଷ୍ଟେଲକୁ ଟେକି ଦେଇଛନ୍ତି। ପ୍ରଶାସନର ଏହି ନିଷ୍ପତ୍ତିକୁ ଓବିସି ବର୍ଗର ପିଲାଙ୍କ ଅଭିଭାବକମାନେ ଘୋର ନାପସନ୍ଦ କରିଛନ୍ତି। ଏପରି ଆହୁରି ଅନେକ
ଅଧାରେ ଅଟକି ରହିଛି, କିଛି ମୂଳରୁ ଆରମ୍ଭ ହୋଇ ପାରୁନାହିଁ। ପ୍ରଶାସନ ପକ୍ଷରୁ ନିରନ୍ତର ନିଷ୍ଠାପର ପ୍ରୟାସ ହେଉ ନଥିବା ଏହାର ମୁଖ୍ୟ କାରଣ ବୋଲି ଆଲୋଚନା ହେଉଛି।