ଭୁବନେଶ୍ବର: ଗତ କିଛି ବର୍ଷ ହେଲା ବିଜେପି ଓ କଂଗ୍ରେସ ବିଜେଡିକୁ ଛିଗୁଲେଇ ଆସୁଥିଲେ ସୋହେଲା ସମାବେଶରେ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଚାଷୀଙ୍କୁ ଧାନ କ୍ବିଣ୍ଟାଲ ପିଛା ଏମ୍ଏସ୍ପି ଉପରେ ୧୦୦ ଟଙ୍କା ବୋନସ୍ ଦେବେ, ୧୦୦ ଟଙ୍କା କୁଆଡ଼େ ଗଲା? ଦୀର୍ଘ ଦିନ ପରେ ବିଜେଡି କହିଛି କାହିଁକି ସେମାନେ ଧାନ ଉପରେ ୧୦୦ ଟଙ୍କା ବୋନସ୍ ଘୋଷଣା କରିକି ବି ଦେଇପାରିଲେନି। ଆଜି ବିଧାନସଭାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନାବେଳେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଥିଲେ, ଆମେ ୧୦୦ ଟଙ୍କା ବୋନସ୍ ଦେବୁ ବୋଲି ଘୋଷଣା କରିଥିଲୁ। ହେଲେ କେନ୍ଦ୍ରର ବିଜେପି ସରକାର ଆମକୁ ଧମକ ଦେଇଥିଲା, ଧାନ ଏମ୍ଏସ୍ପି ଉପରେ ତୁମେ ଅଧିକ ଟଙ୍କା ଦେଇପାରିବନି। ଯଦି ଅଧିକ ଟଙ୍କା ଦେବ ତେବେ ଏଫ୍ସିଆଇ ଧାନ କିଣିବନି। ଏଫ୍ସିଆଇ ଧାନ ନନେଲେ ଆମେ ଏତେ ଧାନ କ’ଣ କରିବୁ ବୋଲି ଭାବିକି ଚାଷୀଙ୍କୁ ୧୦୦ ଟଙ୍କା ଦେଇପାରିଲୁନି। ସେତେବେଳେ ଆମର ଛୋଟ ଇଞ୍ଜିନ୍କୁ ବଡ଼ ଇଞ୍ଜିନ୍ ଡରାଇ ଦେଇଥିଲା। ଏବେ ତ ଡବଲ୍ ଇଞ୍ଜିନ୍ ହେଲା। ତେଣୁ ତୁମେ ଏମ୍ଏସ୍ପି ଉପରେ ୮୦୦ ଟଙ୍କା ଦେଇପାରିଲ। ସେଥିପାଇଁ ଧନ୍ୟବାଦ।
ବିଜେଡି ବିଧାୟକ ବ୍ୟୋମକେଶ ରାୟ, ଦିବ୍ୟଶଙ୍କର ମିଶ୍ର, ସୁଦର୍ଶନ ହରିପାଲ, ସାରଦା ପ୍ରସନ୍ନ ଜେନା ଖର୍ଚ୍ଚ ଦାବିକୁ ବିରୋଧ କରି କହିଥିଲେ, ରାଜ୍ୟ ସରକାର କଟ୍ନିଛଟ୍ନି ହେବନି ବୋଲି କହିଥିଲେ। ହେଲେ ପ୍ରତି ମଣ୍ଡିେର ୮ରୁ ୧୦ କେଜି ଧାନ କଟ୍ନିଛଟ୍ନି ହେଲା। ଚାଷୀଙ୍କ ଠାରୁ ଅଖା ନେଲେ, ହେଲେ ଟଙ୍କା ଦେଲେନି। ନୂଆ ଅଖା ବାବଦକୁ ଟଙ୍କା ବି ବାଟମାରଣା ହେଲା। ମିଲରଙ୍କ ପ୍ରତି ପ୍ରିୟାପ୍ରୀତି ଦେଖାଇ ଧାନ କିଣା ଟାର୍ଗେଟ୍ରେ ପାତରଅନ୍ତର କଲେ। ହେଲେ ସରକାର ଚୁପ୍। ସବୁ ଆଡ଼େ ବଜାର ଦର ମହଙ୍ଗା ହୋଇ ଯାଇଥିବାବେଳେ ସରକାର କିଛି ପଦକ୍ଷେପ ନେଉନାହାନ୍ତି। ଗ୍ରାମାଞ୍ଚଳରେ ୧୦ ହଜାର, ସହରାଞ୍ଚଳରେ ୧୫ ହଜାର ଟଙ୍କା ରୋଜଗାର କରୁଥିବା ଲୋକଙ୍କର ରାସନ୍ କାର୍ଡ କଟିବ ବୋଲି କହୁଛନ୍ତି। ଏମିତିରେ ତ ସବୁ ଦିନ ମଜୁରିଆଙ୍କର ବି କାର୍ଡ କଟିଯିବ। ସରକାର ନିଷ୍ପତ୍ତି ଉପରେ ବିଚାର କରନ୍ତୁ।ଶାସକ ଦଳ ପକ୍ଷରୁ ଅମର ନାୟକ, ସନ୍ତୋଷ ଖଟୁଆ, ଓମ୍ପ୍ରକାଶ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରତାପଚନ୍ଦ୍ର ନାୟକ, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଦୁଷ୍ମନ୍ତ ସ୍ବାଇଁ, ନରସିଂହ ଭାତ୍ରା, ଅଖିଳ ଚନ୍ଦ୍ର ନାୟକ, ରୁପୁ ଭାତ୍ରା, ପଦ୍ମଲୋଚନ ପଣ୍ଡା ପ୍ରମୁଖ ଖର୍ଚ୍ଚ ଦାବିକୁ ସମର୍ଥନ କରିଥିଲେ।