ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଟୋକନ୍ ଧରି ବସିଛନ୍ତି ୧୦ ହଜାର ଚାଷୀ

ବିକି ପାରୁନାହାନ୍ତି ଧାନ, ରବି ଫସଲ ପାଇଁ କଲେଣି ୩୪ ଶହ ପଞ୍ଜୀକରଣ

କଟକ: ଟୋକନ୍ ଧରି ମାସେ ହେଲାଣି ବସିଛନ୍ତି ଚାଷୀ। ଟୋକନର ଅବଧି ତାରିଖ ସରିବା ଉପରେ। କିନ୍ତୁ ସେମାନେ ଧାନ ବିକି ପାରୁନାହାନ୍ତି । ଖରିଫ୍‌ ଧାନ କିଣା ସରିନି, ଏପଟେ ଏବେ ରବି ଧାନ ଆସିଲାଣି। ଖରିଫ ଧାନ ବିକ୍ରି ମାର୍ଚ୍ଚ ୩୧ରେ ସରିବା କଥା। କିନ୍ତୁ କରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ଯୋଗୁଁ ଧାନ ବିକ୍ରି ପାଇଁ ଟୋକନ୍ ଧରି ଜିଲ୍ଲାର ପାଖାପାଖି ୧୦ ହଜାର ଚାଷୀ ଅପେକ୍ଷା କରି ରହିଛନ୍ତି। କଟକ ଜିଲ୍ଲାରେ ପାଖାପାଖି ୭ ଲକ୍ଷ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଚାଷୀଙ୍କ ହାତରେ ଟୋକନ୍ ରହିଛି। କିନ୍ତୁ ଖରିଫ୍‌ ଧାନ ସଂଗ୍ରହ ବନ୍ଦ ଯୋଗୁଁ ଜିଲ୍ଲାର ୧୦ ହଜାରରୁ ଅଧିକ ଚାଷୀ ଏବେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରି ରହିଛନ୍ତି। ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଜିଲ୍ଲାରେ ଏ ଅବସ୍ଥା ଏବେ ଚାଷୀ ମହଲରେ ଅସନ୍ତୋଷର କାରଣ ହୋଇଛି।

ସୂଚନା ଅନୁଯାୟୀ, କଟକ ଜିଲ୍ଲାରେ ନଭେମ୍ବର ୨୯ରୁ ଆରମ୍ଭ ହୋଇଥିଲା ଧାନ ସଂଗ୍ରହ ପ୍ରକ୍ରିୟା। ଚଳିତବର୍ଷ ନୂଆ ବ୍ୟବସ୍ଥା‌ରେ ଆରମ୍ଭରୁ ଟୋକନ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ଅନେକ ଚାଷୀଙ୍କର ଦୁଇ/ତିନି ଥର ଲେଖାଏ ଟୋକନ ଆସିଥିବାବେଳେ ଅନ୍ୟମାନେ ବିଲକୁଲ୍ ଟୋକନ୍ ପାଇ ନଥିଲେ। କଟକ ଜିଲ୍ଲାରେ ଧାନ ବିକ୍ରି ପାଇଁ ୪୯ ହଜାର ୮ଶହ ଚାଷୀ ନାମ ପଂଜିକୃତ କରିଥିଲେ। ଗତବର୍ଷ ତୁଳନାରେ ବି ଏହି ସଂଖ୍ୟା ୩, ୪୦୦ କମ୍‌। ବର୍ତ୍ତମାନ ସୁଦ୍ଧା ୪୯,୮୦୦ ଚ‌ାଷୀଙ୍କ ମଧ୍ୟରୁ ୩୯ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି। ଜିଲ୍ଲାରୁ ୧୩ ଲକ୍ଷ ୭୬ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। କିନ୍ତୁ ଏବେ ବି ୧୦ ହଜାର ୮୦୦ଜଣ ଚାଷୀଙ୍କ ଟୋକନ୍‌ ଆସି ଥିଲେ ବି ସେମାନେ ଧାନ ବିକ୍ରି କରି ପାରିନାହାନ୍ତି। କେନ୍ଦ୍ର ସରକାରଙ୍କ ଧାନ ସଂଗ୍ରହ ନୀତି କହୁଛି, ମାର୍ଚ୍ଚ ୩୧ ସୁଦ୍ଧା ସରିବ ଧାନକିଣା। ଏହାପରେ ଆପେ ଆପେ ସର୍ଭର ବନ୍ଦ ହୋଇଯିବ। ହେଲେ କରୋନା ଲକ୍‌ଡାଉନ୍‌ ଯୋଗୁଁ ଧାନ କିଣା ବନ୍ଦ ହୋଇ ପଡିଛି। ଏବେ ଅବଧି ମଧ୍ୟ ସରିଗଲାଣି। କିନ୍ତୁ ସରକାର ଟୋକନ୍ ଧରି ବସିଥିବା ଚାଷୀଙ୍କ କଥା ଚିନ୍ତା ନ କରି ଏବେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଂଜୀକରଣ ଉପରେ ଗୁରୁତ୍ବ ଦେଉଛନ୍ତି। ଗୋଟିଏ ପଟେ କଟକ ଜିଲ୍ଲା‌ରେ ରବି ଧାନ ସଂଗ୍ରହ ପ୍ରକ୍ରିୟା କେବଳ ନାମକୁ ମାତ୍ର ହୁଏ। ଜିଲ୍ଲାର ବାଙ୍କୀ, ବଡମ୍ବା ବ୍ଲକ୍‌ର ୨୩ଟି ପ୍ୟାକ୍ସରେ ରବି ଧାନ ପାଇଁ ଚାଷୀଙ୍କୁ ଠାରୁ ଧାନ ସଂଗ୍ରହ କରାଯାଏ। ବର୍ତ୍ତମାନ ସୁଦ୍ଧା ମାତ୍ର ୩ହଜାର ୪ଶହ ଚାଷୀ ଧାନ ବିକ୍ରି ପାଇଁ ପଂଜୀକରଣ କରିଛନ୍ତି। କରୋନା ମାଡ ଯୋଗୁଁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବାବେଳେ ସରକାର ପୁଣି ଧାନ କିଣିବେ ନା ନାହିଁ ସେହି ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ଚାଷୀ। ଖରିଫ୍‌-ରବିର ଲୁଚକାଳି ଖେଳ ଭିତରେ ଟୋକନ୍ ଧରି ଆଶା, ଆଶଙ୍କାରେ ଧାନ ବିକ୍ରି ପାଇଁ ଅପେକ୍ଷା କରିଛି ଚାଷୀ।

ଏ ସଂପର୍କରେ କଟକ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଯେ, ଖରିଫ୍‌ ଧାନ କିଣାର ସମୟ ସରିଛି। ଏବେ ରବି ଧାନ କିଣାଯିବ। ତେବେ ଯେଉଁମାନେ ଧାନ ବିକ୍ରି କରିନାହାନ୍ତି ବୋଲି ଅଭିଯୋଗ ଆସିଛି, ସେ ସଂପର୍କରେ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଅନ୍ୟପଟେ ନରସିଂହପୁର ରଘୁନାଥଜୀଉ କୃଷକ ସଂଘ ସଭାପତି ସନାତନ ସ୍ବାଇଁ କହିଛନ୍ତି ଯେ, ସରକାରଙ୍କ ପର୍ଯ୍ୟନ୍ତ ଚାଷୀଙ୍କ କଥା ପହଞ୍ଚି ପାରୁନି। ଅନେକ ଚାଷୀ ଖରିଫ୍‌ ଧାନ ବିକ୍ରି ପାଇଁ ଟୋକନ୍ ଧରି ହତାଶ ହୋଇ ବସିଛନ୍ତି। କିନ୍ତୁ ସରକାର ବର୍ତ୍ତମାନ କରୋନା ମୁକାବିଲାରେ ବ୍ୟସ୍ତ ଥିବା ଦର୍ଶାଇ ଚାଷୀଙ୍କ କଥା ଭୁଲି ଯାଇଛନ୍ତି।

ସମ୍ବନ୍ଧିତ ଖବର