କଟକ: ଏକ ମାସର ଛୁଆକୁ ଧରି ସ୍ତ୍ରୀ ସ୍ବାମୀର ଶବ ପାଖରେ ବାହୁନି କାନ୍ଦୁଥିବାର ଦୃଦୟ ବିଦାରକ ଚିତ୍ର ଆଜି ଦେଖିବାକୁ ମିଳିଛି କଟକ ବଡ଼ଡାକ୍ତରଖାନାରେ। ଗାଁକୁ ସ୍ବାମୀର ଶବ ନେବାକୁ ସମ୍ବଳ ନଥିବା ବେଳେ ବନ୍ଧୁ ପରିଜନ ସହଯୋଗ କରିବାକୁ ମନା କରିଦେବା ଫଳରେ ମହିଳା ଜଣକ ଅସହାୟ ହୋଇ ପଡ଼ିଥିଲେ। ଏ ସଂପର୍କରେ ଖବର ପାଇ ସମାଜସେବୀ ଅଭିମନ୍ୟୁ ଦାସ ପୁଲିସ ସହାୟତାରେ ମୃତଦେହକୁ ସତ୍କାର କରିବା ସହ ମହିଳା ଓ ତାଙ୍କର ମାସକର ଛୁଆକୁ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି।
ସ୍ବେଚ୍ଛାସେବୀ, ପୁଲିସର ସହଯୋଗରେ ହେଲା ଶେଷକୃତ୍ୟ
ସୂଚନା ଅନୁଯାୟୀ ଦେବଗଡ଼ ଜିଲ୍ଲା ରମ୍ଭେଇ ପଞ୍ଚାୟତର କନ୍ଛଡ଼ା ଗ୍ରାମର ଟିକେଶ୍ବର କାଲୋ(୩୦) ବୁର୍ଲା ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ତାଙ୍କୁ ଏସ୍ସିବିକୁ ଅଣାଯାଇଥିଲା। ଏସ୍ସିବିରେ ପହଞ୍ଚିବା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ସହିତ ସ୍ତ୍ରୀ ସୁଭଦ୍ରା, ଶାଶୂ ଭମା ଓ ଏକମାସର ଶିଶୁକନ୍ୟା ଆସିଥିଲେ। ଆଜି ଏସ୍ସିବିରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। କିନ୍ତୁ ବ୍ୟବଚ୍ଛେଦ ପରେ ଅର୍ଥାଭାବରୁ ଶବ ଗାଁକୁ ନେଇ ନ ପାରି ଅସହାୟ ଅବସ୍ଥାରେ ବସି ରହିଥିଲେ। ସ୍ବେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ନେତୃତ୍ବରେ ଲଳିତ ରାୟ ଓ ଦେବୀ ରଞ୍ଜନ ଜେନା ପହଞ୍ଚି ଶବ ସତ୍କାରରେ ସହଯୋଗ କରିଥିବା ବେଳେ ଫାଣ୍ଡି ଅଧିକାରୀ ମାନେଶ୍ୱର ପ୍ରଧାନ ମଧ୍ୟ ଗାଡ଼ି ଯୋଗାଇ ଦେଇଥିଲେ। ଏଭଳି ଘଟଣା ଏସ୍ସିବି ମେଡିକାଲ ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଅନେକ ସମୟରେ ଘଟୁଥିବାରୁ ଏ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/13/jKQc0YApmri7ppmAmIBr.jpg)