ଭିତ୍ତିଭୂମି ସଜାଡ଼ିବାକୁ ନିଘା ନାହିଁ, ବିଦ୍ୟୁତ୍ ବିଲ୍ ପୈଠ ପାଇଁ ନାଲିଆଖି

ଆସିକାରେ ଅଘୋଷିତ ପାୱାର୍ କଟ୍ ସବୁଦିନିଆ ସମସ୍ୟା

ଆସିକା : ଉତ୍ତମ ସେବା ଓ ଉନ୍ନତଧରଣର ବିଦ୍ୟୁତ୍ ସ˚ଯୋଗ ଲକ୍ଷ୍ୟରେ ରାଜ୍ୟ ସରକାର ଟାଟା ପାୱାର୍‌କୁ ବିଦ୍ୟୁତ୍ ସେବା ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିଥିଲେ। ଟାଟା ପାୱାର୍ ଦାୟିତ୍ବ ନେବା ପରେ ଅସଜଡ଼ା ଭିତ୍ତିଭୂମି ପୁଣି ସଜଡ଼ାଯିବ। ଆଉ ଉନ୍ନତମାନର ନିରବଚ୍ଛିନ୍ନ ସେବା ମିଳିବ ବୋଲି ଗଞ୍ଜାମ ଜିଲ୍ଲାର ଆସିକା ସହରବାସୀ ଆଶା ବାନ୍ଧିଥିଲେ। ଏହାସହ ଭିତ୍ତିଭୂମି ବିକାଶ ପରେ ଗ୍ରୀଷ୍ମରେ କୌଣସି ପରିସ୍ଥିତିରେ ବି ପାୱାରକଟ୍ ହେବନି ବୋଲି ବିଭାଗୀୟ ସଚିବ ଗତମାସରେ ପ୍ରତିଶ୍ରୁତି ଦେଇଥିଲେ।

ତେବେ ଅବଶୋଷର ବିଷୟ ହେଉଛି, ସ୍ଥିତିରେ ସୁଧାର ଆସୁନାହିଁ। ଉଚିତ ସେବା ବଦଳରେ ଟାଟା ପାୱାର୍ ‌ଏଠାରେ ଯେମିତି ଖାଉଟି ଶୋଷଣ ନୀତିକୁ ଆପଣାଇଛି। ଫଳରେ ଜିଲ୍ଲାର ଅନ୍ୟତମ ପ୍ରମୁଖ ସହର ଆସିକାରେ ଘନ ଘନ ଘନ ପାୱାରକଟ୍ ସାଙ୍ଗକୁ ଲୋଭୋଲଟେଜ୍ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଗୋଟିଏ ପଟେ ଠିକ୍ ସମୟରେ ବିଲ୍ ପୈଠ କରିବାକୁ ଖାଉଟିଙ୍କ ଉପରେ ଚାପ ପଡ଼ୁଥିବା ବେଳେ ଅନ୍ୟପଟେ ଟାଟା ପାୱାର୍‌ର ଏଭଳି ମନମୁଖି କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମାଳ ମାଳ ଯନ୍ତ୍ରୀ ଥାଇ ବି କୌଣସି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି।

ଉଦାହରଣ ସ୍ବରୂପ ଗତକାଲିର କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ସହ ବର୍ଷା ହେବାରୁ କିଛି ସ୍ଥାନରେ ତାର ଛିଣ୍ଡି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ହେଲେ ଦୀର୍ଘ ୨୦ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ୍ ସେବା ବନ୍ଦ ରହିବାରୁ ସହରବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ହେଲେ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ ହୋଇଛି। ସାମାନ୍ୟ ବର୍ଷା ଓ ପବନ ହେଲେ ଘଣ୍ଟା ଘଣ୍ଟା ଧରି କାହିଁକି ବିଦ୍ୟୁତ୍ ସେବା ଠପ୍ ହୋଇଯାଉଛି, ଏହି କଥା ଚିନ୍ତା କରାଯାଉନି। ବର୍ତ୍ତମାନ ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ତାର ଉପରେ ଗଛ ଡାଳ ଜାଲ ଭଳି ମାଡ଼ି ରହିଥିଲେ ଏଥିପ୍ରତି ଧ୍ୟାନ ଦିଆଯାଉ ନଥିବା ଅଭ‌ିଯୋଗ ହୋଇଛି। ସେହିପରି କୌଣସି କର୍ମଚାରୀ ରାତିରେ ଜରୁରୀକାଳୀନ ସେବା ଯୋଗାଇପାରୁନାହାନ୍ତି। ଆସିକା ସହର ଦୁଇ ନଦୀ ମଧ୍ୟରେ ରହୁଥିବାରୁ ପାନୀୟ ଜଳ ଯୋଗାଣ ସମେତ ଅନ୍ୟ ଆନୁଷଙ୍ଗିକ କାମ ପାଇଁ ବିଭାଗୀୟ କର୍ମଚାରୀ ୨୪ ଘଣ୍ଟା ସକ୍ରିୟ ହୋଇ କାମ କରିବାର ଆବଶ୍ୟକ ରହିଛି।

ମେଡ଼ିକାଲ ଫିଡର୍‌ରୁ ରାତିରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲେ ସହରର ୮୦ ପ୍ରତିଶତ ସାହିକୁ ବିଦ୍ୟୁତ୍ ଯୋଗାଣ ସ୍ବାଭାବିକ ହୋଇପାରନ୍ତା। କିନ୍ତୁ ଯନ୍ତ୍ରୀଙ୍କ ଅପାରଗତା ଯୋଗୁଁ ଲୋକଙ୍କୁ କଷ୍ଟ ସହିବାକୁ ପଡ଼ୁଛି। ବିଦ୍ୟୁତ୍ ଯୋଗାଣର ସ୍ୱତନ୍ତ୍ର ବ୍ୟବସ୍ଥା ଦୂରର କଥା ବିଦ୍ୟୁତ୍ ତାର ସଜାଡ଼ିବାକୁ ବି ବିଭାଗର ତତ୍ପରତା ନାହିଁ। ସହରର ତାପମାତ୍ରା ଦିନରେ ୪୦ ଡିଗ୍ରି ଉପରେ ରହୁଥିବା ବେଳେ ଘନ ଘନ ବିଦ୍ୟୁତ୍ କାଟକୁ ଅସନ୍ତୋଷ ତୀବ୍ର ହେଉଛି। ସବୁ ସାହିରେ ପୋତାଯାଇଥିବା ପୁରୁଣା ଖୁଣ୍ଟ କେଉଁଠି ବଙ୍କା ହୋଇ ରାସ୍ତାକୁ ଢଳି ରହିଛି ତ, ଆଉ କେଉଁଠି ସମ୍ପୂର୍ଣ୍ଣ ଭାବେ କଳଙ୍କି ଲାଗିଛି। କିନ୍ତୁ ସହରରେ କନିଷ୍ଠ ଯନ୍ତ୍ରୀଙ୍କଠୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଥାଇ ସୁଦ୍ଧା ସମସ୍ୟାର ସ୍ଥାୟୀ ସମାଧାନ ହେଉନି। ଯନ୍ତ୍ରୀ ଖୋଦ୍ ଆସିକାରେ ରହିଲେ, ବିଦ୍ୟୁତ କାଟ ଯନ୍ତ୍ରଣାକୁ ଅନୁଭବ କରିପାରିବେ ବୋଲି ମତପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର