ନିରସ୍ତ୍ର ମହିଳା ନକ୍ସଲଙ୍କୁ ଧରି ହତ୍ୟା ଅଭିଯୋଗ

ପ୍ରେସ୍‌ ବିବୃତ୍ତି ଜାରି କଲେ ନକ୍ସଲ ସଚିବ ସାଇନାଥ

ମାଲକାନଗିରି : ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ କୁଞ୍ଜରାସ ଠାରେ ଗତ ୩୧ତାରିଖ ଦିନ ହୋଇଥିବା ଏନକାଉଣ୍ଟରକୁ ନେଇ ସନ୍ଦେହ ପ୍ରକାଶ କରିଛି ନକ୍ସଲ ସଂଗଠନ। ଡିଆରଜି ଯବାନଙ୍କ ବିରୋଧରେ ସଂଗିନ୍‌ ଅଭିଯୋଗ କରିଛନ୍ତି ସଂଗଠନର ଦରଭା ଡିଭିଜନ ସଚିବ ସାଇନାଥ। ପ୍ରେସ୍ ବିବୃତ୍ତି ଜାରି କରି ନିରସ୍ତ୍ର ମହିଳା ନକ୍ସଲଙ୍କୁ ଧରିବା ପରେ ଅତି ନିର୍ମମ ଭାବେ ହତ୍ୟା କରିଥିବା ପ୍ରକାଶ କରିଛନ୍ତି। ତେଣୁ ଏହି ଅପରେସନର ନ୍ୟାୟିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ନିହତ ମହିଳା ନକ୍ସଲ ଗୀତା ମାଡ଼ମାକ ୨୦୦୯ ମସିହାରେ ସଂଗଠନରେ ଯୋଗଦେଇ ବର୍ତ୍ତମାନ ଡିକେଏମ୍‌ଏସ୍‌ ଅଧ୍ୟକ୍ଷ ଭାବେ କାମ କରୁଥିଲେ। ସେହିପରି ଜ୍ୟୋତି ନୁପ୍ପୋ ୨୦୧୦ ମସିହାରେ ପାର୍ଟିରେ ସାମିଲ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ସତ୍ତ୍ବେ ସେ ଚେତନା ନାଟ୍ୟ ମଣ୍ଡଳୀର ଅଧ୍ୟକ୍ଷା ରୂପେ ଦାୟିତ୍ବ ତୁଲାଉଥିଲେ। ଅନ୍ୟ ଜଣେ ମହିଳା ନକ୍ସଲ କୋସି ମାଣ୍ଡବି ୨୦୧୩ ମସିହାରୁ ପିଏଲ୍‌ଜିଏ ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ। କୋସିର ଭଉଣୀ ସୁକ୍କି ମାଓ କମାଣ୍ଡର କମଲେଶକୁ ବିବାହ କରିଥିବା ବେଳେ ଦୁହେଁ ପୁଲିସ ପରବର୍ତ୍ତୀ ସମୟରେ ପୁଲିସକୁ ସହାୟତା କରୁଥିଲେ ବୋଲି ସାଇନାଥ ପ୍ରେସ୍‌ ବିବୃତ୍ତିରେ ଉଲ୍ଲେଖ କରିଛନ୍ତି। ନିହତ ମହିଳା ନକ୍ସଲ ପାର୍ଟି ପାଇଁ ସଂପଦ ଥିଲେ। ଏମାନଙ୍କୁ ହରାଇ ପାର୍ଟି ଏକ ପ୍ରକାର ଦୁର୍ବଳ ହୋଇଥିବା ସାଇନାଥ ସ୍ବୀକାର କରିଛନ୍ତି।

କେନ୍ଦ୍ର ସରକାର ମିଥ୍ୟା ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛନ୍ତି। ଛତିଶଗଡ଼ ସରକାର ବି ମିଥ୍ୟା ରାଜ୍ୟ ସ୍ଥାପନ ଦିବସ ପାଳନ କରୁଛନ୍ତି। କାରଣ ଆଦିବାସୀଙ୍କ ଅଧିକାର କଥା କହି ଆଦିବାସୀଙ୍କ ପାଇଁ ଲାଗୁ ହୋଇଥିବା ପେଶା ଆଇନକୁ ଅବମାନନା କରୁଛନ୍ତି। ଗ୍ରାମସଭା ନ କରି ପ୍ରାକୃତିକ ସଂପଦକୁ ଲୁଟ୍‌ କରି ଚାଲିଛନ୍ତି। ବଡ଼ ବଡ଼ କମ୍ପାନି ଏବଂ କର୍ପୋରେଟ୍‌ଙ୍କୁ ମୂଲ୍ୟବାନ ସଂପତ୍ତି ଟେକି ଦେଉଛନ୍ତି। କୁଞ୍ଜରାସ ଠାରେ ନିହତ ହୋଇଥିବା ତିନି ମହିଳା ନିରସ୍ତ୍ର ଥିଲେ। ଏମାନଙ୍କୁ ପୁଲିସ ସହଜରେ ଧରି ପାରିଥାନ୍ତା। କିନ୍ତୁ ଜାଣିଶୁଣି ଏମାନଙ୍କୁ ଅତି ନିର୍ମମ ଭାବେ ପୁଲିସ ହତ୍ୟା କରିଛି ବୋଲି ସାଇନାଥ ଅଭିଯୋଗ କରିଛି। ଏହି ହତ୍ୟା ଘଟଣାକୁ ସମସ୍ତେ ନିନ୍ଦା କରନ୍ତୁ। ମୂଳବାସୀ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି। ଏହି ହତ୍ୟାକାଣ୍ଡର ନ୍ୟାୟିକ ତଦନ୍ତ କରାଯାଉ ବୋଲି ସଂଗଠନ ତରଫରୁ ସାଇନାଥ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର