ଅସହ୍ୟ ହେଲାଣି  ହାତୀ ଉପଦ୍ରବ

ଘଟଗାଁ: ରବିବାର ରାତିରେ ଘଟଗାଁ ଗ୍ରାମ ଭିତରେ ଦନ୍ତାହାତୀ ପଶି ଜଣଙ୍କ ଦୋକାନ ଭାଙ୍ଗି ଜିନିଷପତ୍ର ନଷ୍ଟ କରିବା ସହ ଖସା ଖାଇଦେଇଛି। ସଂପୃକ୍ତ ଦୋକନୀଙ୍କ ନାମ ଯଦୁନାଥ ଦାସ ଅଧିକାରୀ। ଘଟଗାଁ –ହରିଚନ୍ଦନପୁର ରାସ୍ତା ପାର୍ଶ୍ବରେ ଥିବା ଦୋକାନ ଘର ଭାଙ୍ଗି ଦନ୍ତାଟି ନାହିଁ ନଥିବା କ୍ଷତି ଘଟାଇଛି। ରାସ୍ତା ଆରପାଖରେ ଥିବା ରଂଜନ କୁମାର ସିଂହଙ୍କ  ବଗିଚାରେ ପଶି ଦଳିଚକଟି ନଷ୍ଟ କରିଦେଇଛି। ସେହିପରି ଉପରଡିହା ଗ୍ରାମ ଦୁଃଖାବାହାଳୀ ଗ୍ରାମରେ ପଶି ଢୁଲ ନାଏକ ଘର ଭାଙ୍ଗିଦେଇଥିବା ଜଣାଯାଇଛି। ଗତ କିଛି ଦିନ ହେଲା ଦନ୍ତାଟି ଘଟଗାଁ ଗ୍ରାମରେ ବାରମ୍ବାର ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ଅଭିଯୋଗ ହେଉଛି। କିଛି ଦିନ ତଳେ ଧାନ ମଣ୍ତିରେ ପଶି ଧାନ ଖାଇବା ସହ ୭ ବସ୍ତା ଧାନ ନଷ୍ଟ କରିଦେଇଥିଲା। କିଛିଦିନ ପରେ ଘଟଗାଁ ପଡ଼ୋଶୀ ସାହି କେନ୍ଦୁଆପଡ଼ା ଗ୍ରାମରେ ପଶି ୩ ଜଣଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଧାନ ଖାଇ ନଷ୍ଟ କରିଥିଲା।

ଗତ ସପ୍ତାହରେ ଘଟଗାଁ ଗାଁ ଭିତରେ ପଶି ବାବୁଲୀ ମୁଦୁଲୀ ଘର ପାଚେରି ଭାଙ୍ଗି କଦଳୀ ଓ ସପୁରୀ ଗଛ ନଷ୍ଟ କରିଥିଲା। ସେହିପରି ଜିତୁ ନାଏକ ଘର ନଡ଼ିଆ କୋରା ଓ ମିଠାଶାଳ ଭାଙ୍ଗି ବହୁ ଜିନିଷ ନଷ୍ଠ କରିଥିବା ଜଣାଯାଇଛି। ଦିନେ ଦୁଇଦିନ ଛାଡିବା ପରେ ଦନ୍ତାହାତୀ ଘଟଗାଁ ଗାଁ ମୁହାଁହୋଇ ଆସୁଥିବାରୁ ଗ୍ରାମବାସୀଙ୍କ ନିଦ ହଜାଇଦେଲାଣି। ସବୁଠାରୁ ପରିତାପର ବିଷୟ ଯେ ଘଟଗାଁ ଉକ୍ତ ରେଞ୍ଜ ଅଫିସ ଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟଗାଁ ଗ୍ରାମରେ ହାତୀ ଉପଦ୍ରବର ଚରମସୀମା ପହଞ୍ଚିଥିବା ବେଳେ ବନବିଭାଗ ଜାଣି ଅଜଣା ପରି ରହୁଛି।

ଲୋକଙ୍କୁ ସୁରକ୍ଷା ଦେବା ପାଇଁ ବନବିଭାଗର ଆନ୍ତରିକତା ଥିବା ଭଳି ଜଣାପଡୁନାହିଁ। ହାତୀକୁ ଘଉଡାଇବା ଦିଗରେ ବନବିଭାଗ ସଂପୂର୍ଣ୍ଣ ବିଫଳ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି।  ପୂର୍ବରୁ ବନବିଭାଗ ତରଫରୁ ଉଜ୍ଜ୍ବଳ ଆଲୋକ ଓ ବାଣ ଫୁଟାଇ ହାତୀକୁ ଘଉଡାଇ ଥିବା ବେଳେ ଏବେ କେବଳ ହାତୀର ଗତିବିଧିକୁ ଲକ୍ଷ୍ୟ କରାଯାଉଛି।  କ୍ଷତିପୂରଣ ଦେବାରେ ବନବିଭାଗ ମଧ୍ୟ ଅହେତୁକ ବିଳମ୍ବ ଘଟାଉଛି। ହାତୀ ଉପଦ୍ରବ କାରଣରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛି। ତୁରନ୍ତ ଗୋଠଛଡ଼ା ଦନ୍ତାଟିକୁ ଘଉଡ଼ାଇବାକୁ ବନ ବିଭାଗ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର