ନୂଆଗାଁ: ବିଭିନ୍ନ ସମସ୍ୟା ଭିତରେ ଆଉଟୁପାଉଟୁ ହେଉଥିବା ଆଦିବାସୀଙ୍କ ଅବସ୍ଥା ମହାମାରୀ କରୋନା ସମୟରେ ଅଧିକ ବେଦନାଦାୟକ ହୋଇଛି। ଭୋକ ଯନ୍ତ୍ରଣାରେ ଅସହ୍ୟ ହେଉଛନ୍ତି ସମସ୍ତେ। ଲୋକଙ୍କ ପାଇଁ ମୌଳିକ ସୁବିଧା ସାତସପନ ହୋଇଥିବା ବେଳେ ପୂର୍ବକାଳର ଆଦିବମାନବ ଭଳି ଲୋକେ ଫଳମୂଳ ଉପରେ ଭରସା କରୁଛନ୍ତି। ଏବେ ଆଦିବାସୀମାନେ ଅଭିଶପ୍ତ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ପାଖରେ ନା ଅଛି ଖାଦ୍ୟପେୟ ନା ଅଛି ରୋଜଗାର। ଆର୍ଥିକ ସମ୍ବଳ ନଥିବା ଯୋଗୁ ଲୋକେ ପରିବାର ଧରି ସେହି ନୁଆଁଣିଆ ଝୁମ୍ପୁଡ଼ି ଘରେ ବସବାସ କରୁଛନ୍ତି। ସେମାନଙ୍କ ଅବସ୍ଥା ଦେଖିବାକୁ ଥରେ କେହି ଆସୁନଥିବା କହିଛନ୍ତି। ପଲ୍ଲୀ ଅଂଚଳର ଲୋକଙ୍କ କଥା ପାର୍ଲିଆମେଣ୍ଟରେ ବସୁଥିବା ନେତାମାନେ କେମିତି ବୁଝିବେ ବୋଲି ଆଦିବାସୀମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

Advertisment

ଏଠାରେ ସରକାରଈ ଯୋଜନା କହିଲେ କେବଳ ରାସନ ସାମଗ୍ରୀ, ଭତ୍ତା ବ୍ୟତୀତ ଅନ୍ୟ କୌଣସି ସରକାରୀ ସହାୟତା ଲୋକଙ୍କ ପାଖରେ ପହଞ୍ଚି ନଥାଏ। ଏଭଳି ଘଟଣା ଏଠିସେଠି ଆଉ କେଉଁଠି ନୁହଁ, ନୟାଗଡ଼ ଜିଲ୍ଲା ସଦରମହକୁମାଠାରୁ ମାତ୍ର ୨୦ କିଲୋମିଟର ଦୂର ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ଅଧୀନରେ ଥିବା ଜାକେଡ଼ା ପଞ୍ଚାୟତ ବଡ଼ଜିରି, ସାନଜିରି, ଲୁଣି ଓ ତୁକୁଡ଼ା ଅଂଚଳର। ସରକାରୀ ବାବୁମାନେ କେବଳ ବ୍ଲକ୍‌ର ଆଖପାଖ ପଞ୍ଚାୟତ ଉପରେ ଗୁରୁତ୍ବ ଦେଉଥିବା ବେଳେ ଏହି ଦୁର୍ଗମ ଅଂଚଳ ପ୍ରତି ଧ୍ୟାନ ଦେଉନଥିବା ଜଣାପଡ଼ିଛି। ଏହି ଅଂଚଳକୁ ଆଜି ପର୍ଯ୍ୟନ୍ତ ନିତିଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ସେହି ଜଙ୍ଗଲିଆ ଆବୁଡାଖାବୁଡା ରାସ୍ତାରେ ଲୋକମାନେ ପ୍ରତିଦିନ ଯିବା ଆସିବା କରୁଛନ୍ତି। ଗାଁ’ଗୁଡ଼ିକର ଚାରିପଟୁ ପାହାଡ଼ ଘେରି ରହିବା ଫଳରେ ହିଂସ୍ରଜନ୍ତୁମାନଙ୍କ ଚଳପ୍ରଚଳ ସବୁବେଳେ ଲାଗି ରହିଥାଏ। ଗାଁ’ରେ ବନ୍ୟଜନ୍ତୁମାନେ ପଶି ଫସଲ ନଷ୍ଟ କରିବା ସହିତ ବୃକ୍ଷଲତା ଭାଙ୍ଗି ଦେଉଛନ୍ତି। ଦିନରେ ମାଙ୍କଡ଼ମାନଙ୍କ ଉତ୍ପାତ ଚାଲିଥିବା ବେଳେ ରାତିରେ ହାତୀ ଉପଦ୍ରବ ଯୋଗୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଗାଁ’ ଲୋକ‌େ ଧାନ, ବିରି, ମୁଗ, ମକା କିମ୍ବା ଅନ୍ୟ କୌଣସି ଫସଲ କଲେ ମାଙ୍କଡ଼ମାନେ ଆସି ଖାଇ ଦିଅନ୍ତି। ରାତିରେ ହାତୀପଲ ଗାଁ’ରେ ପଶି ପଣସ, ଆମ୍ବ, ନଡ଼ିଆ ଖାଇ ନଷ୍ଟ କରୁଥିବା ଲୋକେ କହିଛନ୍ତି। ଅନେକ ସମୟରେ ରାସ୍ତା ଅଭାବରୁ ଲୋକମାନେ ରୋଗ ଯନ୍ତ୍ରଣାରେ ଅକାଳ ମୃତ୍ୟୁରେ ପଡ଼ୁଛନ୍ତି। ରୋଗୀକୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପୂର୍ବରୁ ରୋଗୀର ଜୀବନ ଚାଲି ଯାଇଥାଏ। ବାରମ୍ବାର ଏଭଳି ହେବା ଫଳରେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଖଟିଆ (ଷ୍ଟ୍ରେଚର୍‌) ଗ୍ରାମବାସୀଙ୍କୁ ଦିଆଯାଇଛି। ସେହି ଖଟିଆ ଯୋଗେ ରୋଗୀକୁ ୧୦ କିଲୋମିଟର ରାସ୍ତା ନେଇଯିବାକୁ ପଡ଼ିଥାଏ।

କରୋନାର କରୁଣ କାହାଣୀ
ଦେହରେ ତେଲ ନାହିଁ କି ସାବୁନ୍ ନାହିଁ। ଭଲ ଲୁଗା ଖଣ୍ତିଏ ପିନ୍ଧିବାକୁ ନାହିଁ। ଘରେ ସ୍ବାମୀ ରୋଗଗ୍ରସ୍ତ, ପୁଅ-ବୋହୂ ନିଜ କାମଧନ୍ଦାରେ ବ୍ୟସ୍ତ। ଦିଓଳି ଦିମୁଠା ଖାଇବାକୁ ଠିକ୍‌ରେ ମିଳୁନି। ଏବେ ସରକାରଙ୍କ ପକ୍ଷରୁ ମିଳିଥିବା ୩ ମାସର ରାସନ ସାମଗ୍ରୀ ଏବଂ ୧ ହଜାର ଟଙ୍କା ତାଙ୍କ ପାଇଁ ବଡ଼ ବୋଲି କହିଛନ୍ତି ବଡ଼ଜିରୀ ଗ୍ରାମର ସୁନ୍ଦରୀ ବେହେରା। ସେ କହିଛନ୍ତି ପ୍ରତିଦିନ ଆମେ ଦୁଃଖ କଷ୍ଟରେ ଚଳି ଆସୁଛୁ। ପ୍ରତିଦିନ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି, ଠୁଙ୍ଗା ତିଆରି କରି ବ୍ୟବସାୟୀକୁ ଦେଉଥିଲୁ। ଏବେ ସବୁ ଦୋକାନ ବଜାର ବନ୍ଦ ରହୁଥିବାରୁ ଖଲି, ଠୁଙ୍ଗା ନେବାକୁ କେହି ଆସୁନାହାନ୍ତି। ଜଙ୍ଗଲରୁ ସଂଗ୍ରହ କରୁଥିବା ପାଣିଆଳୁ, ଚେରେଙ୍ଗା, ମହୁଲ, କେନ୍ଦୁ ଖାଇ ଜୀବନ ବିତାଉଥିବା ସେ କହିଛନ୍ତି।

ସେହିପରି ଶିକ୍ଷା କଥା ନ କହିବା ଭଲ। ଗାଁ’ରେ ବିଦ୍ୟାଳୟ ନଥିବାରୁ ପିଲାଙ୍କୁ ପରିବାରଠାରୁ ଅଲଗା କରି ଦୂର ସ୍ଥାନରେ ଛାଡ଼ିବାକୁ ପଡ଼ିଥାଏ। ଗାଁ’ରେ ପାଣି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିଛି। ପାହାଡ଼ିଆ ଅଂଚଳ ହୋଇଥିବାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ନଳକୂପ ଖୋଳା ଯାଇନାହିଁ। ଗାଁ’କୁ କିଛିଦିନ ହେବ ବିଦ୍ୟୁତ୍ ସଂଯୋଗ କରାଯାଇଥିବା ବେଳେ ମାସକରେ ୫ ଦିନ ବିଦ୍ୟୁତ୍ ରହିବା ବଡ଼କଥା। ସେହିପରି ଗାଁ’ରେ ପରିମଳ ଯୋଜନା ବାଟ ହୁଡ଼ିଛି। ହିତାଧିକାରୀଙ୍କ ପାଇଁ ଗୋଟିଏ ହେଲେ ପାଇଖାନା ନିର୍ମାଣ କରାଯାଇ ନାହିଁ। ସେଠାରେ ମୋବାଇଲ ଲାଗୁନଥିବା ବେଳେ ବିଦ୍ୟୁତ୍ ସମସ୍ୟା ଲାଗି ମୋବାଇଲ ଚାର୍ଜ ହୋଇନଥାଏ। ଏତେ ସବୁ ସମସ୍ୟା ଭିତରେ ବି ସମସ୍ତେ ଏହି ଭିଟାମାଟି ଛାଡ଼ି ଯିବାକୁ ଅନିଚ୍ଛା ପ୍ରକାଶ କରିଥାନ୍ତି। ତେବେ କିଛି ବ୍ୟକ୍ତି ରାଜ୍ୟ ବାହାରେ ଶ୍ରମିକ ଭାବେ କାମ କରୁଛନ୍ତି। ଲକ୍‌ଡାଉନ୍‌ ପରିସ୍ଥିତିରେ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ ଫେରି ଆସି ଏବେ ଘରେ ହାତବାନ୍ଧି ବସିଛନ୍ତି। ମହାମାରୀ କରୋନା ସଂପର୍କରେ ଲୋକେ ଜାଣିନଥିବା କହିଛନ୍ତି। କେବଳ ଏତିକି କହିଛନ୍ତି କ’ଣ ଗୋଟେ ବଡ଼ରୋଗ ଆସିଛି ବୋଲି ଶୁଣିଛନ୍ତି। ବ୍ଲକ୍ ପ୍ରଶାସନ ସହର ବ୍ୟତୀତ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି କି ସେମାନଙ୍କୁ କରୋନା ସଂପର୍କରେ ସତର୍କ କରିନାହାନ୍ତି। ତେବେ ସରକାର ଏହି ଆଦିବାସୀଙ୍କ ପ୍ରତି ଏତେ ନିଷ୍ଠୁର କାହିଁକି ବୋଲି ଗଣମାଧ୍ୟମ ଆଗରେ ଲୋକେ ନିଜର ଦୁର୍ଦ୍ଦଶା ବଖାଣିଛନ୍ତି। ଏହିସବୁ ଗାଁ’କୁ ରାସ୍ତାଘାଟ ନିର୍ମାଣ କରିବା ସହ ମୌଳିକ ସୁବିଧା ଯୋଗାଇ ଦେବାକୁ ଅଂଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ମୋବାଇଲ୍‌ ନେଟ୍‌ୱର୍କ ପାଇଁ ଗାଁ’ ମୁଣ୍ଡରେ ଜଗିବସୁଛନ୍ତି
ନୂଆଗାଁ ବ୍ଲକ୍ ବଡ଼ଜିରୀ, ତୁକୁଡ଼ା ପରି ଏକ ଅପହଞ୍ଚ ଇଲାକାରେ ମୋବାଇଲ ସେବା ମଧ୍ୟ ଅପହଞ୍ଚ। ଗାଁ’ର ଛାତ୍ରଛାତ୍ରୀ ହୁଅନ୍ତୁ ଅବା ବନ୍ଧୁବାନ୍ଧବ କିମ୍ବା ବାହାରେ ରହୁଥିବା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ଅସମ୍ଭବ। ତୁକୁଡ଼ା ଗାଁ’ର ରଘୁନାଥ ମଳିକ ନେଟ୍‌ୱର୍କ ପାଇଁ ଗାଁ’ମୁଣ୍ତରେ ଯାଇ ବସି ରହିଛନ୍ତି। ଗୋଟିଏ ବାଉଁଶ ଖୁଣ୍ଟରେ ମୋବାଇଲ୍‌ ରଖିବା ପରେ ନେଟ୍‌ୱର୍କ ଆସିଲେ ସେ ସଂପର୍କିୟଙ୍କ ସହିତ କଥା ହୋଇଥାନ୍ତି। ପ୍ରତିଦିନ ଏଭଳି ଯୋଗାଯୋଗ କରିବାକୁ ହେଲେ ଗାଁ’ ମୁଣ୍ତରେ ଆସି ଜଗି ବସିବାକୁ ପଡ଼ିଥାଏ। ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ମୋବାଇଲକୁ ବାହାରେ ଆଣି ରଖିବା ପରେ ନେଟ୍‌ୱର୍କ ଆସିଲେ କଥା ହେବାକୁ ପଡ଼ିଥାଏ।