ଅସହ୍ୟ ହେଲା ନିର୍ଯାତନା: ପୁଅକୁ ହତ୍ୟାକଲେ ବାପା-ମା’

ଦଶପଲ୍ଲା: ସମସ୍ତ ବାପା-ମା’ଙ୍କ ଇଚ୍ଛା ଥାଏ ପୁଅଟିଏ ଥିଲେ ଜୀବନର ଶେଷ ସମୟରେ ମୁହଁରେ ନିଆଁ ଦେବ ଓ କୁଳ ଉଦ୍ଧାର କରିବ। ହେଲେ ନିଜ ପୁଅଠାରୁ ବର୍ଷବର୍ଷ ଧରି ନିର୍ଯାତନାର ଶିକାର ହୋଇ ଆସୁଥିବା ବାପା-ମା’ ଶେଷରେ ଅତି ନୃଶଂସ ଭାବେ ପୁଅକୁ ହତ୍ୟା କରିବା ଘଟଣା ଆଜି ସମଗ୍ର ଦଶପଲ୍ଲା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ସହର ନାହାକପଡ଼ା (ଦଣ୍ତାସାହି) ଗ୍ରାମର ପଞ୍ଚୁ ବେହେରା (୭୦) ଓ ପତ୍ନୀ ସରୋଜିନୀ ବେହେରା (୬୨)ଙ୍କ ପୁଅ ହେଉଛି ବସନ୍ତ ବେହେରା (୪୦)। ୩ଟି ଝିଅରେ ବସନ୍ତ ହେଉଛି ଏକମାତ୍ର ପୁଅ। ହେଲେ ବସନ୍ତକୁ ବାପା-ମା’ ଛୋଟରୁ ବଡ଼ କରିବା ସହ ବିବାହ ଦେଇଥିଲେ। ହେଲେ ରୋଜଗାର କରି ପରିବାର ଚଳାଇବା ପରିବର୍ତ୍ତେ ବସନ୍ତ ନିଶାସେବନ କରି ପରିବାରରେ ଅଶାନ୍ତି ସୃଷ୍ଟିକରେ। ବାପା-ମା’ଙ୍କୁ ଅଧିକାଂଶ ସମୟ ମାରପିଟ କରିଥାଏ। ପାଗଳ ଭଳି ଆଚରଣ କରିବା ସହ ଦାଣ୍ତ ବଜାରରେ ବୁଲି ବିଭିନ୍ନ ଚୋରି କରିବା ଓ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହେ। ଯାହାକି ବସନ୍ତର ପତ୍ନୀ ଅତିଷ୍ଠ ହୋଇ ଚାଲିଯାଇଛନ୍ତି। ଏହାସତ୍ତ୍ବେ ବି ବସନ୍ତ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତରହି ବିଭିନ୍ନ ସମୟରେ ପୁଲିସ ଦ୍ବାରା ଧରାହେବା ସହ ପୂର୍ବରୁ ଏକ ହତ୍ୟାକାଣ୍ତ ଘଟଣାରେ ଗିରଫ ମଧ୍ୟ ହୋଇଥିଲା।

ପ୍ରତିଦିନ ଭଳି ଗତକାଲି ରାତିରେ ବସନ୍ତ ଘରକୁ ଯାଇ ବାପା-ମା’ଙ୍କୁ ଗାଳିଗୁଲଜ କରିବା ସହିତ ସେମାନଙ୍କୁ ଘରୁ ପଦାକୁ ବାହାର କରି ଦେଇନଥିଲା। ଏଥିରେ ଉଭୟ ସ୍ବାମୀ-ସ୍ତ୍ରୀ ପୁଅର ଏଭଳି ଆଚରଣରେ ଅତିଷ୍ଠ ଓ ଭୟଭୀତ ହୋଇପଡ଼ିଥିଲେ। ଆଜି ପ୍ରତ୍ୟୁଷରୁ ପୁଅ ବସନ୍ତ ଘର ବାରଣ୍ତାରେ ଶୋଇଥିବାବେଳେ ଏହାର ସୁଯୋଗ ନେଇ ବାପା ଏକ ଠେଙ୍ଗାରେ ମୁଣ୍ତକୁ ଶକ୍ତ ପ୍ରହାର ଦେଇଥିଲେ। ପରେ ମା’ ଏକ ଧାରୁଆ ଟାଙ୍ଗିଆ ସହାୟତାରେ ମୁଣ୍ତକୁ ୫ ଚୋଟ ଆକ୍ରମଣ କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଅତି ଚତୁରତାର ସହ ପୁଅ ବସନ୍ତ ମୁମୂର୍ଷୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଘର ସମ୍ମୁଖ ଏକ ଡ୍ରେନ୍‌ରେ ପକାଇଦେଇ ଘରେ ପଡ଼ିଥିବା ରକ୍ତଛିଟାକୁ ଧୋଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଦୀର୍ଘ ୧ ଘଣ୍ଟା ପଡ଼ିରହିବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୩ ଘଣ୍ଟା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦଶପଲ୍ଲା ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା ଖବର ପାଇ ହତ୍ୟାକାଣ୍ତ ସ୍ଥଳକୁ ଯାଇ ଘରକୁ ବନ୍ଦ ରଖିବା ସହିତ ଶବକୁ ଜବତ କରି ଏକ ହତ୍ୟା ମୋକଦ୍ଦମା ରୁଜୁ କରିଛନ୍ତି। ହତ୍ୟାକାଣ୍ତରେ ସଂପୃକ୍ତ ଉଭୟ ସ୍ବାମୀ-ସ୍ତ୍ରୀକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅପରାହ୍ଣରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି। ହତ୍ୟାକାଣ୍ତରେ ବ୍ୟବହୃତ ଧାରୁଆ ଟାଙ୍ଗିଆ ଓ ଠେଙ୍ଗା ଜବତ କରାଯାଇଛି। ଅପରପକ୍ଷରେ ମୃତ ବସନ୍ତର ଶବକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ପରିବାରର ଭଉଣୀ ଓ ଭିଣୋଇଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର