ବରଗଡ଼: କିଛି ଦିନ ହେଲା ଜିଲ୍ଲାରେ ଅଚାନକ ପରିବା ଦର ବଢ଼ିଛି। ଦରବୃଦ୍ଧି ଗ୍ରାହକଙ୍କୁ ଅସହ୍ୟ କରିଛି। ୫ଶହ ଟଙ୍କାର ପରିବା ଖରିଦ କଲେ ବି ବ୍ୟାଗ୍‌ ଭର୍ତ୍ତି ହେଉନାହିଁ। ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବଢ଼ୁଥିବାବେଳେ ପରିବା ଦର ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।  କ୍ରମଶଃ ଜିଲ୍ଲାରେ ପରିବା ଉତ୍ପାଦନ ହ୍ରାସ ପାଉଛି। ସେଥିରେ ପୁଣି ବାହାର ଜିଲ୍ଲାର ବେପାରୀ ବିଲରୁ ହିଁ କମ୍‌ ଦରରେ ପରିବା ନେଉଛନ୍ତି। ତେଣୁ ସ୍ଥାନୀୟ କୃଷକଙ୍କ ପରିବା କମ୍‌ ପରିମାଣରେ ବଜାରକୁ ଆସୁଛି। ଯଦ୍ବାରା ଏଭଳି ଅଦିନିଆ ଝଡ଼ ସୃଷ୍ଟି ହୋଇଛି।

Advertisment

ଶନିବାର ବରଗଡ଼  ବଜାରରେ  ବାଇଗଣ କିଲୋ ୪୦ ଟଙ୍କା, ଟମାଟୋ ୫୦ ଟଙ୍କା, ଫୁଲକୋବି ୬୦ଟଙ୍କା, ବନ୍ଧାକୋବି ୪୦ ଟଙ୍କା, ବିନ୍‌ସ ୬୦ ଟଙ୍କା, ପୋଟଳ ୮୦ ଟଙ୍କା, ଶିମ୍ବ ୬୦ ଟଙ୍କା, ମୂଳା ୨୦ଟଙ୍କା, ସଜନା (ମୁନ୍‌ଗା) ୩ଶହ ଟଙ୍କା ଏବଂ ଅଦା କିଲୋ ୬୦ ଟଙ୍କା ଦରରେ ବିକ୍ରି ହେଉଥିଲା। କୌଣସି ପରିବା କିଲୋ ଦର ୪୦ ଟଙ୍କା ତଳକୁ ରହୁନାହିଁ। ତେଣୁ ଖାଉଟୀଙ୍କୁ ଚିନ୍ତା ଘାରିଛି। ଆମିଷପ୍ରିୟ ଲୋକଙ୍କ ବିକଳ୍ପ ଯୋଗାଡ଼ ରହିଛି। କିନ୍ତୁ ନିରାମିଷ ଲୋକଙ୍କୁ ପରିବା ଦର ଘାଇଲା କରିଛି। ସ୍ଥିତି ଏଭଳି ଯେ ମଧ୍ୟବିତ୍ତ ପରିବାରର ଥାଳିରୁ ପରିବା ତରକାରୀ ଉଭାନ ହେବାକୁ ଲାଗିଛି। ହୋଟେଲ୍‌, ‌ରେଷ୍ଟୁରାଣ୍ଟରେ ମଧ୍ୟ କୁନ୍ଥକୁନ୍ଥ ହୋଇ ଗ୍ରାହକଙ୍କୁ ତରକାରୀ ଦିଆଯାଉଛି।

ଏହି ସମସ୍ୟା ଆଗକୁ ଆହୁରି ବଢ଼ିବ ବୋଲି ବେପାରୀମାନେ କହୁଛନ୍ତି। ପ୍ରଥମତଃ ବାରମ୍ବାର ଧୋକା ଖାଉଥିବା ଚାଷୀ ଚାଷଠାରୁ ଦୂରେଇ ଯାଉଛି। ଫଳରେ ଚାଷ ଜମି ହଜିବାକୁ ଲାଗିଛି। କ୍ଷେତଗୁଡ଼ିକ ପ୍ଲଟ୍‌ ପାଲଟିଛି। ଅର୍ଥାତ ଚାଷରୁ ଆଉ ଲାଭ ମିଳୁନଥିବାରୁ ଚାଷୀ ଜମି ବିଲ୍‌ଡର୍‌ମାନଙ୍କୁ ବିକ୍ରି କରୁଛନ୍ତି। ପ୍ରତି ସହରର ଉପକଣ୍ଠସ୍ଥ ଏବଂ ରାସ୍ତାକଡ଼ରେ ଥିବା ଚାଷଜମି ପ୍ଲଟ୍‌ର ରୂପ ନେଇଛି। ଚାଷଜମି ପୋତି ସେଥିରେ ପ୍ଲଟିଂ କରାଯାଉଛି। ଫଳରେ ସବୁଜ ଦିଶୁଥିବା କ୍ଷେତ ଏବେ ବିଲୁପ୍ତ ହେବାକୁ ଲାଗିଛି।

ଜିଲ୍ଲାର ପରିସୀମା ହେଲା ୫,୮୩,୨୦୦ ବର୍ଗ କିଲୋମିଟର୍‌। ଏଥିରୁ ୩,୪୮,୭୪୭ ହେକ୍ଟ‌ର ହେଲା ଚାଷ ଜମି। ଏଥିରୁ ପୁଣି ୨,୦୩,୨୩୩ ହେକ୍ଟର ହେଲା ଅଣଜଳସେଚିତ ଅଂଚଳ। ଅନ୍ୟପକ୍ଷରେ ଖରିଫରେ ୧,୫୩,୯୨୦ ହେକ୍ଟର ଏବଂ ରବି ଋତୁରେ ୨,୦୩,୨୩୩ ହେକ୍ଟରରେ ଚାଷ ହେଉଛି। ଏସବୁ ପରିସଂଖ୍ୟାନ ୨୦୧୧ ମସିହା ଜନଗଣନାରୁ ଆକଳନ କରାଯାଇଛି। କିନ୍ତୁ ଗୋଟିଏ ଦଶନ୍ଧି ଭିତରେ ଏସବୁ ପରିସଂଖ୍ୟାନ ଏପଟ ସେପଟ ହେଲାଣି। ସରକାରୀ ତଥ୍ୟରେ ଯେତିକି ଚାଷଜମି ଥିବା କୁହାଯାଉଛି, ବାସ୍ତବରେ ଏବେ ସେତିକି ନାହିଁ। ଚାଷ ଜମି ବିକ୍ରି ହୋଇ କୋଠାବାଡ଼ି ତିଆରି ହେଉଛି। ଦ୍ବିତୀୟରେ ଚାଷୀଙ୍କ ପାଇଁ ଏଯାଏଁ ଶୀତଳ ଭଣ୍ଡାର ନିର୍ମାଣ ହେଲାନାହିଁ। ବମ୍ପର ଉତ୍ପାଦନ କଲେ ପରିବା ରଖିବାକୁ ବିକଳ୍ପ ବ୍ୟବସ୍ଥା ନାହିଁ। ଫଳରେ ଅଧିକାଂଶ ଚାଷୀ ଏବେ ନିଜ ପରିବାରକୁ ଖୁଆଇଲା ଭଳି ପରିବା ଉତ୍ପାଦନ କରୁଛନ୍ତି।