କେନ୍ଦୁଝର: ଜେଏସ୍ଡବ୍ଲ୍ୟୁର ସ୍ଲରି ପାଇପ୍ଲାଇନ୍ ବିଛାଇବା ପାଇଁ ହଜାର ହଜାର ଗଛ କାଟି ଦିଆଯାଇଛି। ସବୁଜାଣି ସରକାରୀ କଳ ଚୁପ୍ ବସିଛି। ଜୀବିକା ଚାଲିଯିବା ଭୟରେ ସ୍ଲରି ପାଇପ୍ଲାଇନ୍କୁ କେନ୍ଦୁଝରର ଯୁବଗୋଷ୍ଠୀ ବିରୋଧ କରୁଥିବା ବେଳେ ବ୍ୟାପକ ଗଛକଟା ଯୋଗୁଁ ଜିଲ୍ଲାର ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ିବ ବୋଲି ପରିବେଶବିତ୍ ଉଦ୍ବେଗ ପ୍ରକାଶ କରିଛନ୍ତି।
ଯୋଡ଼ା ଖଣି ମଣ୍ଡଳର ଜେଏସ୍ଡବ୍ଲୁ ଖଣିରୁ ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍ଲାଇନ୍ କାମ ଚାଲିଛି। ଯୋଡ଼ା ବ୍ଲକର ଗୁଆଲିରୁ ଏହି ପାଇପ୍ଲାଇନ୍ ୨୦ ନମ୍ବର ଜାତୀୟ ରାଜପଥ ଦେଇ ପାରାଦୀପକୁ ସଂଯୋଗ କରିବ। ୨୦ ନମ୍ବର ଜାତୀୟ ରାଜପଥ କଡ଼ରେ ଏକାଧିକ ସଂରକ୍ଷିତ ଜଙ୍ଗଲ ରହିଛି। ପାଇପ୍ଲାଇନ୍ ବିଛାଇବା ପାଇଁ ଜଙ୍ଗଲରୁ ଗଛ କାଟିବାକୁ ପଡ଼ୁଛି। ମୋଟ ୩୪୮୦ଟି ଗଛ କଟାଯିବାକୁ ଅନୁମତି ରହିଛି। ଏଯାଏ ଘଟଗାଁ ଓ ସଦର ରେଞ୍ଜ ଅଞ୍ଚଳରୁ ୨୫୦୦ରୁ ଊର୍ଦ୍ଧ୍ବ ଗଛ କଟା ସରିଛି। ଘଟଗାଁ ରେଞ୍ଜରେ ୧୧୧୩ଟି ମୂଲ୍ୟବାନ ଶାଳ ଓ ଅନ୍ୟାନ୍ୟ ଗଛ କଟାଯାଇଥିବା ବେଳେ କେନ୍ଦୁଝର ସଦର ରେଞ୍ଜରେ ୧୪୩୧ଟି ଗଛ କଟାଯାଇଛି। ଚମ୍ପୁଆ ରେଞ୍ଜରେ ଗଛକଟା ଆରମ୍ଭ ହୋଇନାହିଁ। ଏଠାରେ ୨୯୧ଟି ଗଛ କଟାଯିବ। ପାଇପ୍ଲାଇନ୍ ପାଇଁ ମୋଟ ୩୪୮୦ଟି ଗଛ କାଟିବାକୁ ଅନୁମତି ଦିଆଯାଇଥିବା ବେଳେ ଏହାଠାରୁ ଢେର ଅଧିକ ସଂଖ୍ୟାରେ ଗଛ କଟା ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ ଖଣିଜ ପରିବହନ ପାଇଁ ପାଇପ୍ ବିଛାଇବାକୁ ବ୍ୟାପକ ଗଛ କଟା ଯାଉଥିବା ବେଳେ ଅନ୍ୟପଟେ ପାଇପ୍ଲାଇନ୍କୁ କେନ୍ଦୁଝର ଜିଲ୍ଲାର ଯୁବଗୋଷ୍ଠୀ ବିରୋଧ କରିଆସୁଛନ୍ତି। ଜିଲ୍ଲାର ଏକାଧିକ ଟ୍ରକ୍ ମାଲିକ ସଂଘ ପାଇପ୍ ଯୋଗେ ଲୁହାପଥର ପରିବହନକୁ ବିରାଧ କରି ବିକ୍ଷୋଭ, ଶୋଭାଯାତ୍ରା କରିଛନ୍ତି। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟି ନଦେଇ ପାଇପ୍ଲାଇନ୍ ବିଛାଇବା ପାଇଁ ଜେଏସ୍ଡବ୍ଲ୍ୟୁକୁ ଅନୁମତି ଦେଇ ଟ୍ରକ୍ ମାଲିକଙ୍କ ପେଟକୁ ଲାତ ମାରିଛନ୍ତି।
ଟ୍ରକ୍ ମାଲିକ ସଂଘର କହିବା କଥା ହେଲା, ଜିଲ୍ଲାର ଜୀବନ ଜୀବିକା ଖଣି ଉପରେ ନିର୍ଭରଶୀଳ। ଖଣିର ଲୁହାପଥର ଟ୍ରକ୍ ଯୋଗେ ପରିବହନ କରି ଜିଲ୍ଲାର ଯୁବକମାନେ ଜୀବିକା ନିର୍ବାହ କରୁଛନ୍ତି। କେନ୍ଦୁଝର ଜିଲ୍ଲା ଟ୍ରକ୍ ମାଲିକ ସଂଘର ୪ ହଜାରରୁ ଊର୍ଦ୍ଧ୍ବ ସଦସ୍ୟ ଥିବା ବେଳେ ଯୋଡ଼ା, ବଡ଼ବିଲ ଟ୍ରକ୍ ମାଲିକ ସଂଘର ସଦସ୍ୟମାନେ ଖଣିଜ ପରିବହନ ଉପରେ ନିର୍ଭରଶୀଳ। ସ୍ଲରି ପାଇପ୍ଲାଇନ୍ ଦ୍ବାରା ସେମାନଙ୍କ ଜୀବିକା ପ୍ରଭାବିତ ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପାଇପ୍ଲାଇନ୍ ପାଇଁ ବ୍ୟାପକ ପରିମାଣର ଶାଳଗଛ କଟାଯାଉଛି। ସାଧାରଣତଃ ଶାଳଗଛ ପ୍ରାକୃତିକ ଉପାୟରେ ଉଠିଥାଏ। ଶାଳମଞ୍ଜିକୁ ଗଜା କରି ଚାରା ପ୍ରସ୍ତୁତ କରିବା ଓ ଏହାକୁ ରୋପଣ କରି ବଞ୍ଚାଇ ରଖିବା ଅତ୍ୟନ୍ତ କଷ୍ଟକର। ପାଇପ୍ଲାଇନ୍ ପାଇଁ ବ୍ୟାପକ ପରିମାଣର ମୂଲ୍ୟବାନ ଶାଳଗଛ କଟା ଯାଉଥିବାରୁ ଏହାକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/jsw1.jpg)