ପିଏମ୍‌ କେୟାର୍ସ ସହାୟତା ନେଇ ଅନିଶ୍ଚିତତା

ଭୁବନେଶ୍ବର : କୋଭିଡ୍‌ ଯୋଗୁଁ ବାପା-ମା’ ଛେଉଣ୍ଡ ପିଲାଙ୍କୁ ସହାୟତା ପାଇଁ ‘ପିଏମ୍‌ କେୟାର୍ସ’ ଘୋଷଣା କରିଥିଲେ କେନ୍ଦ୍ର ସରକାର। କିଛି ମାସ ତଳେ ଏହାର ଗାଇଡ୍‌ଲାଇନ୍‌ ଓଡ଼ିଶା ସରକାରଙ୍କ ପାଖରେ ପହଞ୍ଚିବା ପରେ କୋଭିଡରେ ଅନାଥ ହୋଇଥିବା ୬୪ପିଲାଙ୍କୁ ଏଥିରେ ସାମିଲ କରିବା ପାଇଁ ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଆବଶ୍ୟକ ଦସ୍ତାବିଜ୍‌ ସହ ନାମ ପଠାଯାଇଛି। ଜିଲ୍ଲାପାଳଙ୍କ ସହିତ ସେମାନଙ୍କ ନାମରେ ଆକାଉଣ୍ଟ ଖୋଲାଯାଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ମଧ୍ୟ ଏହି ଯୋଜନାରେ ସହାୟତା ଦିଆଯାଇନାହିଁ। ଏହାକୁ ନେଇ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ମଧ୍ୟ କିଛି ସ୍ପଷ୍ଟ ମଧ୍ୟ କରୁ ନାହାନ୍ତି। ତେଣୁ ଓଡ଼ିଶାରେ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ଏବେ ବି ଅନିଶ୍ଚିତତା ଜାରି ରହିଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପକ୍ଷରୁ ମେ’ ୩୦ ତାରିଖରେ କୋଭିଡ୍‌ରେ ପ୍ରାଣ ହରାଇଥିବା ମୃତକଙ୍କ ସନ୍ତାନଙ୍କ ପାଇଁ ପିଏମ୍‌ କେୟାର୍ସର ଘୋଷଣା କରାଯାଇଥିଲା। ଯୋଜନାନୁଯାୟୀ, କୋଭିଡ୍‌ରେ ଉଭୟ ପିତାମାତା ହରାଇଥିବା ପିଲାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ୧୮ବର୍ଷ ହେବା ପରେ ପିଲାକୁ ଏହି ଟଙ୍କା ଷ୍ଟାଇପେଣ୍ଡ ଭାବେ ମିଳିବ। ଏହା ତାଙ୍କ ଶିକ୍ଷା ଏବଂ ବ୍ୟକ୍ତିଗତ ଖର୍ଚରେ ଲାଗି। ୨୩ବର୍ଷ ହେବା ପରେ ବାକି ଟଙ୍କା ସେମାନଙ୍କୁ ମିଳିଯିବ। ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଯାଇ ପାରିବ। ଏପରିକି ଶିଶୁଟି ଘରୋଇ ସ୍କୁଲରେ ପଢୁଥିଲେ, ଅଭିଭାବକଙ୍କ ମୃତ୍ୟୁ ପରେ ତାଙ୍କୁ ସ୍କୁଲ ଛାଡ଼ିବାକୁ କୁହାନଯାଇ ତାଙ୍କ ସ୍କୁଲ ଫି’ ଏବଂ ବହିକ୍ରୟ ଖର୍ଚ ମଧ୍ୟ ପିଏମ୍‌ କେୟାର୍ସ ଫଣ୍ଡରୁ ଦିଆଯିବ। ୧୧ରୁ ୧୮ବର୍ଷୀୟ ପିଲା ନବୋଦୟରେ ମଧ୍ୟ ପଢ଼ି ପାରିବେ। କିନ୍ତୁ ଓଡ଼ିଶାରେ କେହି ଏହି ଯୋଜନାର ଲାଭ ପାଇନାହାନ୍ତି। ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ୬୪ପିଲାଙ୍କ ନାମରେ ଆକାଉଣ୍ଟ ଖୋଲାଯାଇଛି। ସାବାଳକ ହେବା ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟ ଖାତାରେ ଜିଲ୍ଲାପାଳଙ୍କ ନାମ ରହିବ। ପରେ ଜିଲ୍ଲାପାଳଙ୍କ ନାମ ହଟିଯିବ ଏବଂ ପିଲା ଏହାର ସୁବିଧା ପାଇବେ।

ସମ୍ବନ୍ଧିତ ଖବର