ଅନ୍‌ଲକ୍ ନେଇ ଅନିଶ୍ଚିତତା; ଟିକାକରଣ, ଲକ୍‌ଡାଉନ୍ ସତ୍ତ୍ବେ କରୋନା ନିୟନ୍ତ୍ରଣରେ ନାହିଁ

ଖୋର୍ଦ୍ଧା, କଟକ ପାଇଁ ହାତ ଟେକିଦେଲେଣି ସରକାର

ଭୁବନେଶ୍ବର : ସାରା ରାଜ୍ୟରେ ସଂକ୍ରମଣ କମୁଛି। ସଂକ୍ରମଣ ହାର ୫ ପ୍ରତିଶତ ତଳେ। ‘କାଟାଗୋରି-ବି’ରେ ଥିବା ୧୦ ଜିଲ୍ଲାରୁ ୭ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦୦ ତଳେ। ୧୦ରୁ ଅଧିକ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦ ତଳେ ରହୁଛି। ସବୁପ୍ରକାର ଅନୁକୂଳ ଯୁକ୍ତି ଥିବା ସତ୍ତ୍ବେ ‘ଅନ୍‌ଲକ୍’ କରିବାକୁ ସରକାର ସାହସ ଜୁଟାଇପାରୁ ନାହାନ୍ତି। କରୋନା ସଂକ୍ରମଣ ଗଣିତ ଦିନକୁ ଦିନ ଏମିତି ଜଟିଳ ହୋଇପଡ଼ୁଛି ଯେ ସରକାର ଯେମିତି ଅସହାୟ ହୋଇପଡ଼ିଛନ୍ତି। ଖୋର୍ଦ୍ଧା ଓ କଟକରେ ଅନ୍‌ଲକ୍‌ ଏବେ ସମ୍ଭବ ନୁହେଁ କହି ଏକପ୍ରକାର ହାତ ଟେକି ଦେଇଛନ୍ତି। କିନ୍ତୁ ଅନ୍ୟ ଜିଲ୍ଲାଗୁଡ଼ିକ ସମ୍ପର୍କରେ କି ନିଷ୍ପତ୍ତି ନେବେ, ସେ ନେଇ ବ୍ୟାପକ ମାନସ ମନ୍ଥନ ଚାଲିଥିଲେ ବି ନିଷ୍ପତ୍ତିରେ ପହଞ୍ଚିପାରୁ ନାହାନ୍ତି।

ଜୁଲାଇ ମାସରେ କରୋନା କଟକଣାକୁ କିଛିଟା କୋହଳ କରାଯାଇଛି। ଜୀବନ ଓ ଜୀବିକା ମଧ୍ୟରେ ସମନ୍ବୟ ରକ୍ଷା ପାଇଁ ଗୁରୁତ୍ବ ଦେଇ କିଛି କ୍ଷେତ୍ରକୁ ସ୍ବାଭାବିକ କରିବା ପାଇଁ କଟକଣାମୁକ୍ତ କରାଯାଇଛି। କିନ୍ତୁ ଆହୁରି ବହୁ କ୍ଷେତ୍ର ରହିଛି, ଯେଉଁଥିରେ କି କଟକଣା ଏବେ ବି ବଳବତ୍ତର ରହିଛି। ହୋଟେଲ୍, ରେସ୍ତୋଁରାରେ ଖାଦ୍ୟ ପାର୍ସଲ ପାଇଁ ଅନୁମତି ଦିଆଯାଇଛି ସତ। କିନ୍ତୁ ସେଠାରେ ବସିକି ଖାଇବା ପାଇଁ ଅନୁମତି ନ ଥିବାରୁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ରହିଛି। ମଲ୍, ସିନେମା ହଲ୍ ଖୋଲିବାକୁ ଏ ଯାଏ ଅନୁମତି ମିଳିନି। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ଅନୁମତି ମିଳି ନ ଥିବାରୁ ବହୁ କଳାକାର ଦୟନୀୟ ସ୍ଥିତିରେ ଦିନ କାଟୁଛନ୍ତି। ପୁଣି ବିବାହ, ବ୍ରତ ଆଦିରେ ଭୋଜିକୁ ଅନୁମତି ନ ଥିବାରୁ ଟେଣ୍ଟ୍, କ୍ୟାଟରିଂ ସଂସ୍ଥାକୁ ଜୀବିକା କରିଥିବା ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲିଯାଇଛି। ତିନି ମାସ ହେଲାଣି ରୋଜଗାର ହରାଇ ଏହିସବୁ କ୍ଷେତ୍ରର ଲୋକମାନେ ଅତ୍ୟନ୍ତ ଖରାପ ସ୍ଥିତିରେ ଦିନ କାଟୁଛନ୍ତି। ଏମିତି ସମୟରେ ଦିନକ ପରେ ଆସିବାକୁ ଥିବା ଅଗଷ୍ଟ ମାସର ଅନ୍‌ଲକ୍‌ ଗାଇଡ୍‌ ଲାଇନ୍‌ ଉପରେ ସମସ୍ତଙ୍କ ନଜର ରହିଛି।

କିନ୍ତୁ କରୋନାର ଗଣିତ ଏପରି ରହିଛି ଯେ ସରକାର କି ନିଷ୍ପତ୍ତି ନେବେ ଜାଣିପାରୁ ନାହାନ୍ତି। ଆଜି କେବଳ ତିନିଟି ଜିଲ୍ଲା ପୁରୀ, ଖୋର୍ଦ୍ଧା ଓ କଟକକୁ ଛାଡ଼ି ଦେଲେ ଆଉ ସବୁଠି ସଂକ୍ରମଣ ୧୦୦ ତଳେ ରହିଛି। ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ଆଦୌ କମୁ ନାହିଁ କହିଲେ ଚଳେ। ଟିକାକରଣରେ ସାରା ଦେଶରେ ଭୁବନେଶ୍ବର ଆଗରେ ଥିଲେ ବି ଏଠାରେ ସଂକ୍ରମଣ ଆଶାନୁରୂପକ କମୁନି କି କଟକଣା କୋହଳ ହୋଇପାରୁନି। ଆହୁରି ମଧ୍ୟ ‘କାଟାଗୋରି-ଏ’ରେ ଥିବା ଅନୁଗୁଳ ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବାର ଲକ୍ଷ୍ୟ କରାଯାଉଛି। ଅନୁଗୁଳର ସଂକ୍ରମଣ ଅଧିକ ରହିଛି। ‘କାଟାଗୋରି-ବି’ରେ ୧୦ରୁ ଅଧିକ ଜିଲ୍ଲାରେ ଦୈନିକ ସଂକ୍ରମଣ ୧୦ ତଳକୁ ରହୁଥିବାରୁ ସେଠାରେ ସମ୍ପୂର୍ଣ୍ଣ ଅନ୍‌ଲକ୍ କରା ନ ଗଲେ ଲୋକମାନେ ଅଯଥା ହଇରାଣ ହେବାର ଆଶଙ୍କା ରହିଛି। ସେହି ଜିଲ୍ଲାଗୁଡ଼ିକୁ ସମ୍ପୂର୍ଣ୍ଣ ଅନ୍‌ଲକ୍ କରିବେ ନା ପୁଣି କଟକଣା

ଜାରି କରିବେ, ତାହା ଏବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ୍। ତେବେ ସବୁଦିନେ ଏଭଳି ବନ୍ଦ ହୋଇ ରହିବା ସମ୍ଭବ ନୁହେଁ ବୋଲି ଆଜି ଖୋଦ୍ ଡିଏମ୍ଇଟି ପ୍ରଫେସର ସିବିକେ ମହାନ୍ତି ସ୍ବୀକାର କରିଛନ୍ତି। ପ୍ରଫେସର ମହାନ୍ତି କହିଛନ୍ତି ଯେ କେନ୍ଦ୍ର ସରକାର ୫ଟି ରାଜ୍ୟରେ କେସ୍ ଲୋଡ୍ ଅଧିକ ରହୁଥିବା କହିଛନ୍ତି। ଯଦିଓ ଏଥିରେ ଓଡ଼ିଶା ରହିଛି, ମାତ୍ର ଜାତୀୟ ହାର ତୁଳନାରେ ଆମ ରାଜ୍ୟର ସଂକ୍ରମଣ ସଂଖ୍ୟା ନଗଣ୍ୟ। ରାଜ୍ୟରେ ସଂକ୍ରମଣର ସ୍ଥିତି ସ୍ଥିର ରହିଛି। ଗତ କିଛି ଦିନ ହବ ୧୬୦୦ରୁ୧୭୦୦ ଭିତର ଦୈନିକ ସଂକ୍ରମଣ ରହିଛି। ତେଣୁ ସଂକ୍ରମଣ ହାର, ବିଭିନ୍ନ ଜିଲ୍ଲାର ସ୍ଥିତିକୁ ସମୀକ୍ଷା କରି ରାଜ୍ୟ ସରକାର ଅନ୍‌ଲକ୍ ପ୍ରକ୍ରିୟାକୁ ଯିବେ। ବିଶେଷଜ୍ଞ କମିଟି ଯାହା କହିବ ସେହି ଅନୁସାରେ ନିଷ୍ପତ୍ତି ନିଆଯିବ।

ଖୋର୍ଧା, କଟକ ଜିଲ୍ଲାରେ ଅନ୍‌ଲକ୍ ହେବାର ସମ୍ଭାବନା କମ୍ ବୋଲି ଡିଏମ୍ଇଟି ରୋକ୍‌ଠୋକ୍ ଜଣାଇଦେଇଛନ୍ତି। କାରଣ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସପ୍ତାହିକ ଉଚ୍ଚ ସଂକ୍ରମଣ ହାର ତାଲିକାରେ ରାଜ୍ୟର କେବଳ ଖୋର୍ଧା ଓ କଟକ ଜିଲ୍ଲା ରହିଛି। ଗତ ୨୨-୨୮ତାରିଖ ଭିତରେ ସଂକ୍ରମଣ ହାର ଖୋର୍ଧାରେ ୭.୫୯ ଓ କଟକରେ ୫.୪୨ ପ୍ରତିଶତ ରହିଛି। ତେଣୁ ଦୀର୍ଘଦିନ ଧରି ଲକ୍‌ଡାଉନ୍/ସଟ୍‌ଡାଉନ୍ ଓ ସର୍ଭେଲାନ୍ସ ସତ୍ତ୍ବେ ଏହି ଦୁଇ ଜିଲ୍ଲାରେ କରୋନା ସଂକ୍ରମଣ ଏବେ ବି ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରି ନାହିଁ। ଭୁବନେଶ୍ବର ଓ କଟକରେ କଟକଣା ନ ଉଠିଲେ ସାରା ରାଜ୍ୟ ଉପରେ ଏହାର ପ୍ରଭାବ ପଡ଼ିବାର ଆଶଙ୍କା ରହୁଛି। ତେଣୁ ଅର୍ଥନୀତି ସ୍ବାଭାବିକ ସ୍ଥିତିକୁ ଆସିବାର ସମ୍ଭାବନା କମ୍।

କାଟାଗୋରି ‘ବି’ ଜିଲ୍ଲାରେ ଥିବା ଜଗତସିଂହପୁରରେ ସଂକ୍ରମଣ ହାର ସର୍ବାଧିକ ୬ ପ୍ରତିଶତ ରହିଛି। ପୁରୀ ୫.୧, କଟକ ୩.୯, ବାଲେଶ୍ବର ୩.୭, ଖୋର୍ଧା ୩.୬, ଯାଜପୁର ୨.୨, ଭଦ୍ରକ ୨.୧ ପ୍ରତିଶତ ରହିଛି। ରାଜ୍ୟରେ ସଂକ୍ରମଣ ହାର ୨.୧ ପ୍ରତିଶତ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଖୋର୍ଧାରୁ ୪୪୨ ଆକ୍ରାନ୍ତ ବାହାରିଛନ୍ତି। କଟକ ୨୨୯, ପୁରୀ ୧୨୩, ବାଲେଶ୍ବର ୯୮, ଜଗତସିଂହପୁର ୯୬, ଅନୁଗୁଳ ୭୨, ଭଦ୍ରକ ୬୦, ଯାଜପୁର ୭୦, ମୟୂରଭଞ୍ଜ ୪୮, ନୟାଗଡ଼ ୪୨ ଓ ଷ୍ଟେଟ୍ ପୁଲ୍ରୁ ୯୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୭୪ହଜାର ୧୩୨କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୬୫ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଘୋଷଣା କରାଯାଇଛି। ମୃତକଙ୍କ ଭିତରେ ଖୋର୍ଧାରୁ ୯, ବରଗଡ଼ ୭, ସୁନ୍ଦରଗଡ଼ ୬, ସମ୍ବଲପୁର, ଝାରସୁଗୁଡ଼ା ୫ ଲେଖାଏଁ, ଅନୁଗୁଳ, ବଲାଙ୍ଗୀର, କଟକ, ଗଞ୍ଜାମ, ଯାଜପୁର, ପୁରୀରେ ୩ ଲେଖାଏଁ, ଭଦ୍ରକ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୨ ଲେଖାଏଁ, ନୂଆପଡ଼ା, ମୟୂରଭଞ୍ଜ, କୋରାପୁଟ, କେନ୍ଦୁଝର, କଳାହାଣ୍ଡି, ଢେଙ୍କାନାଳ, ବାଲେଶ୍ବରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତକଙ୍କ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୨୦୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୯ଲକ୍ଷ ୫୩ହଜାର ୮୮ ଜଣ କରୋନାରୁ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ୧୫,୨୨୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧.୫୬ ପ୍ରତିଶତ।

ସମ୍ବନ୍ଧିତ ଖବର