ବିବାଦ ତୁଟୁନି, ବିଲ୍ଟ ଚାଲୁ ହେବ କେବେ? : ଦୀର୍ଘ ଦିନ ଧରି ପ୍ଲାଣ୍ଟ ବନ୍ଦ ହେବା ପରେ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ

ଜୟପୁର : ଗାଗନପୁରସ୍ଥିତ ବିଲଟ ପେପର ମିଲକୁ ନେଇ ବିବାଦ ତୁଟୁ ନଥିବା ବେଳେ ଦିନକୁ ଦିନ ଏହା ଅଧିକ ଘନୀଭୂତ ହେବାରେ ଲାଗିଛି । କଂପାନି କର୍ତ୍ତୃପକ୍ଷ କିଛି କର୍ମଚାରୀଙ୍କ ଧାରଣା ଓ ବିଶୃଙ୍ଖଳିତ ଆଚରଣକୁ ଆଳ କରି ପ୍ଲାଣ୍ଟ ବନ୍ଦ କରିଥିବା କହୁଥିବା ବେଳେ ପ୍ରକୃତରେ ପ୍ଲାଣ୍ଟ ବନ୍ଦ ହେବା ପଛରେ ଏହା କାରଣ ନା ପରିଚାଳନା କର୍ତ୍ତୃପକ୍ଷଙ୍କ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡୁନାହିଁ । ଦୀର୍ଘ ଦିନ ଧରି ପ୍ଲାଣ୍ଟ ବନ୍ଦ ହେବା ପରେ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଯେକୌଣସି ପରିସ୍ଥିତିରେ ବି କଂପାନି ଚାଲୁ କରିବାକୁ ଦାବି କରିଛନ୍ତି । କଂପାନି କର୍ତ୍ତୃପକ୍ଷଙ୍କ ମନୋଭାବ ସ୍ପଷ୍ଟ ହେଉନଥିବା ବେଳେ ଏବେ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଥିବା ସଂଘ ମଧ୍ୟରେ ବି ସମନ୍ଵୟର ଅଭାବ ଦେଖାଦେଇଛି । ତିନୋଟି ସଂଘ ଏକଜୁଟ ହୋଇଥିବା ବେଳେ ଗୋଟିଏ ସଂଘ କଂପାନି କର୍ତ୍ତୃପକ୍ଷଙ୍କ ଆଚରଣକୁ ବିରୋଧ କରୁଛି ।

କଂପାନି ଚାଲୁ କରିବା ପାଇଁ ତୁହାକୁ ତୁହା ବୈଠକ ହେଉଥିଲେ ହେଁ କୌଣସି ନିର୍ଯାସ ବାହାରିପାରୁନାହିଁ । ଇତି ମଧ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ଏକ ଲିଖିତ ପତ୍ର ବିଲଟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରୁଥିବା ଜଣାଯାଇଛି । ଏହି ପତ୍ରରେ କର୍ମଚାରୀଜଣକ କୌଣସି ବିଶୃଙ୍ଖଳିତ କାର୍ଯ୍ୟରେ ସାମିଲ ହେବେ ନାହିଁ କିମ୍ବା ଆନ୍ଦୋଳନକାରୀଙ୍କ ସହ ସାମିଲ ହେବେ ନାହିଁ, ଆନ୍ଦୋଳନ ସମୟରେ ନିଜର ଦରମା ଦାବି କରିବି ନାହିଁ ଭଳି କଥା ଉଲ୍ଲେଖ ରହିଛି । ଉକ୍ତ ପତ୍ରକୁ ଦେଖିଲେ ଏହା ସଂପୂର୍ଣ୍ଣ କଂପାନିର ସ୍ୱାର୍ଥରେ ହିଁ ରହିଛି । ତେବେ ପ୍ରକୃତରେ କର୍ମଚାରୀମାନେ ଏଭଳି ପତ୍ରରେ ଦସ୍ତଖତ କରିବା ପଛରେ କୌଣସି ବାଧ୍ୟବାଧକତା ନାହିଁ ତ ? ବୋଲି ପ୍ରଶ୍ନ ଉଠିଛି। ଏଥିନେଇ ୨ ନମ୍ବର ୟୁନିଅନର କର୍ମକର୍ତ୍ତା ଜୟନ୍ତ ସାନ୍ତ୍ରାଙ୍କ ସହ ଯୋଗାଯୋଗ କରାଯିବାରେ କର୍ମଚାରୀ ନିଜେ ନିଜେ ଏଭଳି ଲେଖା ଦେଉଥିବା ପ୍ରକାଶ କରିଛନ୍ତି । ପ୍ରଥମତଃ କଂପାନି ଚାଲୁ ହେବା ଦରକାର । ଏହା ପଛରେ କାହାରି ବାଧ୍ୟବାଧକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ତେବେ ଏହି ୟୁନିଅନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ବ୍ୟକ୍ତିଗତ ଭାବେ ଏଭଳି ଲେଖା କର୍ମଚାରୀଙ୍କ ସ୍ୱାର୍ଥ ବିରୋଧୀ ବୋଲି କହିବା ସହ ବିଲଟ ଚାଲୁ ହେବା ସମସ୍ତେ ଚାହୁଁଛନ୍ତି । ଏଥିରେ ଯେଉଁମାନେ ସହଯୋଗ କରିବେ ସମସ୍ତଙ୍କୁ ସ୍ୱାଗତ କରାଯାଉଛି ବୋଲି ସେ କହିଛନ୍ତି । କର୍ମଚାରୀଙ୍କ ଠାରୁ ବାଧ୍ୟବାଧକତାରେ ଏଭଳି ଲିଖିତ ପତ୍ର ନେବା ଆଦୌ ଗ୍ରହଣୀୟ ନୁହଁ ବୋଲି କହିବା ସହ କଂପାନି କର୍ମଚାରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେବ କି ? ବୋଲି ପ୍ରଶ୍ନ କରିଛନ୍ତି । କଂପାନି ଠିକ୍‌ ସମୟରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବ, କର୍ମଚାରୀଙ୍କ ସମସ୍ତ ସୁବିଧାସୁଯୋଗ ଦେବା ସହ କାହା ପ୍ରତି ଆକ୍ରୋଶ ମନୋଭାବ ପ୍ରଦର୍ଶନ କରିବ ନାହିଁ ଏବଂ କେବେ ଠାରୁ ପ୍ଲାଣ୍ଟ ଚାଲୁ କରିବ ତାହା ଲିଖିତ ଭାବେ ପ୍ରଦାନ କରିବ କି ? ବୋଲି ପ୍ରଶ୍ନ କରିଛନ୍ତି । ସେଭଳି ସ୍ୱୀକୃତିପ୍ରାପ୍ତ ୟୁନିଅନର ସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନିପତି ପ୍ରଥମେ ପ୍ଲାଣ୍ଟ ଚାଲୁ ରହିବା ଆବଶ୍ୟକ । ୟୁନିଅର କର୍ମକର୍ତ୍ତା ଓ କର୍ମଚାରୀ ତାଙ୍କୁ ଭେଟି ପ୍ରଥମେ ପ୍ଲାଣ୍ଟ ଚାଲୁ କରିବାକୁ ଅନୁରୋଧ କରିଥିବା କହିଥିଲେ । ଶାନ୍ତିଶୃଙ୍ଖଳାର ପରିବେଶ ମଧ୍ୟରେ ପ୍ଲାଣ୍ଟ ଚାଲୁ ରଖିବା ସହ ଯେଉଁମାନେ ବେଆଇନ ଭାବେ ଆନ୍ଦୋଳନ କରୁଛନ୍ତି ତାହାକୁ ଦୃଢ଼ ହସ୍ତରେ ଦମନ କରାଯିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର