କଟକ: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ପ୍ରକ୍ରିୟା ପରେ ରାଜ୍ୟରେ ନୂଆ ଆଶା ସୃଷ୍ଟି ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ (ମହାତ୍ମା ଗାନ୍ଧୀ ମେମୋରିଆଲ୍‌ ହସ୍ପିଟାଲ୍‌) ସହିତ ଅକ୍ଟୋବରରେ ଚୁକ୍ତି ସ୍ବାକ୍ଷର କରିଥିଲେ। କିନ୍ତୁ ଚୁକ୍ତି ସ୍ବାକ୍ଷର ଘଟଣାକୁ ଅଢ଼େଇ ମାସ ପୂରି ଯାଇଥିବାବେଳେ ଆନୁଷଙ୍ଗିକ ପ୍ରକ୍ରିୟା ଅଟକି ରହିବା ଘଟଣା ଅନିଶ୍ଚିତତା ସୃଷ୍ଟି କରିଛି। ଏପଟେ ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ଯେଉଁ ୮ଜଣ ପଞ୍ଜୀକରଣ କରିଥିଲେ, ସେମାନଙ୍କ ମଧ୍ୟରୁ ପୁରୁଷୋତ୍ତମ ଜେନାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହୃତ୍‌ପିଣ୍ଡ ପ୍ରତିରୋପଣ ପାଇଁ ୨ଟି ପର୍ଯ୍ୟାୟରେ ୫ଜଣ ଡାକ୍ତର ଓ ଅନ୍ୟ କର୍ମଚାରୀ ତାଲିମ ନେଇଥିବା ବେଳେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବି ଏଯାଏଁ ଏସ୍‌ସିବିକୁ ଅଣାଯାଇ ନାହିଁ। ଏଭଳି ସ୍ଥିତିରେ ୩ ମାସ ଭିତରେ ଏସ୍‌ସିବିରେ ହୃତ୍‌ପିଣ୍ଡ ପ୍ରତିରୋପଣ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କରିଥିବା ଘୋଷଣା କାର୍ଯ୍ୟକାରୀ ହୋଇ ନ ପାରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। 

Advertisment

 ଚୁକ୍ତି କରି ଚୁପ୍‌ ବସିଗଲା ସ୍ବାସ୍ଥ୍ୟ ବିଭାଗ 
ଏସ୍‌ସିବିକୁ ଆସିଲେନି ତାଲିମ ନେଇଥିବା ଡାକ୍ତର 
ପ୍ରତିରୋପଣ ପାଇଁ ପଞ୍ଜୀକରଣ କରିଥିବା ରୋଗୀ ଆଖିବୁଜିଲେ

ରାଜ୍ୟରେ ହୃ୍ତ୍‌ପିଣ୍ଡ ପ୍ରତିରୋପଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଚେନ୍ନାଇସ୍ଥିତ ଏମ୍‌ଜିଏମ୍‌ (ମହାତ୍ମା ଗାନ୍ଧୀ ମେମୋରିଆଲ୍‌ ହସ୍ପିଟାଲ୍‌) ସହିତ ଅକ୍ଟୋବର ୨୩ରେ ଚୁକ୍ତି ସ୍ବାକ୍ଷର କରିଥିଲା। ଏହାପରେ ସେଠାକାର ଟିମ୍‌ ଦୁଇ ଦୁଇଥର ଏସ୍‌ସିବି ଆସି ଭିତ୍ତିଭୂମି ଓ ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମଧ୍ୟ ନଭେମ୍ବର ୧୬ରେ ଏସ୍‌ସିବିକୁ ଆସି ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ୩ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହୋଇ ହୃ୍ତ୍‌ପିଣ୍ଡ ପ୍ରତିରୋପଣ  ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏପଟେ ଦୁଇଟି ପର୍ଯ୍ୟାୟରେ ୫ଜଣ ଡାକ୍ତର ଓ କର୍ମଚାରୀ ତାଲିମ ନେଇ ‌ପାଖାପାଖି ୧ବର୍ଷ ହେବ ଫେରିଲେଣି। ସିଟିଭିଏସ୍‌ ବିଭାଗ ମୁଖ୍ୟ ପ୍ରେଫେସର୍‌ ଡାକ୍ତର ମନୋଜ କୁମାର ପଟ୍ଟନାୟକ, ନିଶ୍ଚେତକ ବିଭାଗ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ, ହୃଦ୍‌ରୋଗ ବିଭାଗ ଆସୋସିଏଟ୍‌ ପ୍ରଫେସର ଡାକ୍ତର ଦୀପକରଂଜନ ଦାସ, ଆସୋସିଏଟ୍‌ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସାହୁ, ଆସିଷ୍ଟାଣ୍ଟ ପ୍ରଫେସର ସୁବ୍ରତ କୁମାର ନାୟକ ପ୍ରମୁଖ ଦୁଇଟି ପର୍ଯ୍ୟାୟରେ ତାଲିମ ନେବାକୁ ଯାଇଥିଲେ। ସେଥିରୁ ନିଶ୍ଚେତକ ବିଭାଗ ପ୍ରଫେସର ଡାକ୍ତର ଦେବାଶିଷ ସ୍ବାଇଁ ଓ ଆସୋସିଏଟ୍‌ ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସାହୁ ଏସ୍‌ସିବିରେ ନାହାନ୍ତି। ଡାକ୍ତର ସ୍ବାଇଁ କେନ୍ଦୁଝର ମେଡିକାଲ କଲେଜ ଓ ଡାକ୍ତର ସାହୁ ଏମ୍‌କେସିଜି ବ୍ରହ୍ମପୁରରେ ଅଛନ୍ତି। ସେମାନଙ୍କୁ ଏପର୍ଯ୍ୟନ୍ତ ଏସ୍‌ସିବିକୁ ଅଣାଯାଇ ଏକ ଟିମ୍‌ ଗଠନ କରି ପ୍ରତିରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯିବା କଥା। କିନ୍ତୁ ତାହା ଏଯାଏଁ ସମ୍ଭବ ହୋଇପାରିନି। ୫ କୋଟିର ଉପକରଣ ଯୋଗାଣ ପାଇଁ ୨ ବର୍ଷ ହେବ ଓଏସ୍‌ଏମ୍‌ସିଏଲ୍‌କୁ ତାଲିକା ଦିଆଯାଇଥିଲେ ବି ତାହା ଆସିପାରୁନି। ହାର୍ଟ ପ୍ରତିରୋପଣ ପାଇଁ ୨୦୨୧ରୁ ଅନୁମତି ମିଳିଥିବା ବେଳେ ବିଧିବଦ୍ଧ ବ୍ୟବସ୍ଥା ଆରମ୍ଭ କରିବାକୁ ୩ ବର୍ଷ ଲାଗି ଯାଇଥିଲା। ଏବେ ପୁଣି ସମୟ ଗଡ଼ିବା ଘଟଣା ସଂପୂର୍ଣ୍ଣ ପ୍ରକ୍ରିୟାକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇଛି।