ଯାଜପୁର : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବୃହତ ଭୂତଳ ତୈଳଭଣ୍ଡାର ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି। ବର୍ଷ ବର୍ଷ ଧରି କାମ ଆରମ୍ଭ ନକରି ଶେଷରେ ଘରୋଇ କମ୍ପାନି ହାତରେ ଟେକିଦେବାକୁ ମସୁଧା ଚାଲିଛି। ଜିଲ୍ଲାର ପ୍ରଭାବଶାଳୀ କଳାପଥର ଖାଦାନ ମାଲିକଙ୍କ ଗୋଷ୍ଠୀ ଏହି ପ୍ରକଳ୍ପକୁ ରୋକିବାକୁ ଉଦ୍ୟମ ଚଳାଇଛନ୍ତି। ଏପରିକି ରାଜସ୍ବ ବିଭାଗ ମଧ୍ୟ ଏହି କଳାପଥର ବ୍ୟବସାୟୀଙ୍କ ସମର୍ଥନରେ ବାହାରି ସମାନ ଯୁକ୍ତି ଦର୍ଶାଇ ରାଜସ୍ବ କ୍ଷତି ହେବ ବୋଲି କହିଆସୁଛି। ୨୦୧୮ ମସିହାର ୯୯୫୨କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଏହି ପ୍ରକଳ୍ପ ଏବେ ଘରୋଇ କମ୍ପାନି ଜରିଆରେ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବାର ଚର୍ଚ୍ଚା ଜୋର ଧରିଛି।
ବିଶ୍ବରେ ବିଭିନ୍ନ ସମୟରେ ତୈଳର ଅଚାନକ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ବିଦେଶରୁ ଆମଦାନୀ ହେଉଥିବା ଅଶୋଧିତ ତୈଳକୁ ବ୍ୟାପକ ପରିମାଣରେ ଗଚ୍ଛିତ ରଖିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଥିଲେ। ଓଡ଼ିଶାର ଚଣ୍ଡିଖୋଲ ଓ କର୍ଣ୍ଣାଟକର ଉଡୁପି ନିକଟ ପାଡୁର ଠାରେ ଦୁଇଟି ବୃହତ ତୈଳଭଣ୍ଡାର ନିର୍ମାଣ କରିବାକୁ ଯୋଜନା କରି ୨୦୧୮ ମସିହାରେ କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେବା ସହିତ ଅର୍ଥ ବ୍ୟୟ ବରାଦ କରାଯାଇଥିଲା। ପେଟ୍ରୋଲିୟମ ମନ୍ତ୍ରଣାଳୟର ଉଦ୍ୟୋଗ ଇଣ୍ଡିଆନ ଷ୍ଟ୍ରାଟାଜିକ ପେଟ୍ରୋଲିୟମ ରିଜର୍ଭସ ଲିମିଟେଡ଼ ଦ୍ଵାରା କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପ ଦୁଇଟିକୁ ଘରୋଇ କମ୍ପାନି ଜରିଆରେ କରିବାକୁ ଯୋଜନା ଚାଲିଛି। ପିପିପି ମୋଡରେ ଏହି ପ୍ରକଳ୍ପର କାମ ପାଇଁ ଟେଣ୍ଡର କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ଆଲୋଚନା ହେଉଛି।
ପ୍ରଥମ ପର୍ଯ୍ୟାୟରେ ବିଶାଖାପାଟଣା, ମାଙ୍ଗଲୁରୁ ଓ ପାଡୁର ଠାରେ ମୋଟ ୫.୩୩ ନିୟୁତ ଟନ କ୍ଷମତାର ତୈଳଭଣ୍ଡାର କେନ୍ଦ୍ର ସରକାର ନିର୍ମାଣ କରିଛନ୍ତି। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନ ଅଏଲ ଇଣ୍ଡଷ୍ଟ୍ରି ଡେଭଲପମେଣ୍ଟ ବୋର୍ଡର ଶତ ପ୍ରତିଶତ ମାଲିକାନାରେ ଥିବା ଇଣ୍ଡିଆନ ଷ୍ଟ୍ରେଟେଜିକ ପେଟ୍ରୋଲିୟମ ରିଜର୍ଭସ ତୈଳ ଭଣ୍ଡାର ନିର୍ମାଣ କରି ପରିଚାଳନା କରୁଛି। ଦ୍ବିତୀୟ ପର୍ଯ୍ୟାୟରେ ଦେଶର ଭଣ୍ଡାର କ୍ଷମତା ଦୁଇ ଗୁଣ ଅର୍ଥାତ ୧୨.୮୩ ନିୟୁତ ଟନକୁ ବୃଦ୍ଧି କରିବାକୁ ଯୋଜନା ହୋଇଥିଲା। ୯୯୫୨ କୋଟି ଟଙ୍କା ବ୍ୟୟରେ ଚଣ୍ଡିଖୋଲ ଠାରେ ୪ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏବଂ ୬୯୮୬ କୋଟି ଟଙ୍କା ବ୍ୟୟରେ ପାଡୁର ଠାରେ ୨.୫ ନିୟୁତ ଟନ୍ କ୍ଷମତାର ଦୁଇଟି ଭୂତଳ ତୈଳଭଣ୍ଡାର ନିର୍ମାଣ କରିବାର ଚୂଡ଼ାନ୍ତ ହୋଇଥିଲା। ବର୍ତ୍ତମାନ ଏହାକୁ ଘରୋଇ କମ୍ପାନି ଦ୍ବାରା କରାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଫଳରେ ଏହି ପ୍ରକଳ୍ପର ଭବଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି ବୋଲି ଆଲୋଚନା ହେଉଛି। ଜାଣିଶୁଣି ପ୍ରକଳ୍ପ ନିର୍ମାଣ କାମକୁ ବିଳମ୍ବ କରିବାକୁ ପାଇଁ ଯୋଜନା କରାଯାଉଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/oil-a.jpg)