ଅନିଶ୍ଚିତତାରେ ସୁନ୍ଦରଗଡ଼ ଏମ୍‌ସ

ଷଡ଼୍‌ଯନ୍ତ୍ର ଚଳାଇଛି ହସ୍‌ପିଟାଲ ଶିଳ୍ପ ଲବି! ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ଦାନା ବାନ୍ଧୁଛି

ସୁନ୍ଦରଗଡ଼ : କଟକ ଓ ଭୁବନେଶ୍ବରର ହସପିଟାଲ ଶିଳ୍ପ ଲବି ସୁନ୍ଦରଗଡ଼ରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ସ୍ଥାପନ ବିରୋଧରେ ଭିନ୍ନ ଭିନ୍ନ ସ୍ତରରେ ଚାପ ପକାଉଥିବାର ଖବର ମିଳୁଛି। ଏହାକୁ ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ କ୍ରମଶଃ ଦାନା ବାନ୍ଧୁଛି।

ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ଏମ୍ସ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସୁନ୍ଦରଗଡ଼ ଏନ୍‌ଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ଉପଯୁକ୍ତ ମଣିଥିଲେ ସରକାର। ସ୍ବାସ୍ଥ୍ୟକ୍ଷେତ୍ରରେ ପଛୁଆ ପଶ୍ଚିମ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଝ‌ାଡ଼ଖଣ୍ଡ, ଛତିଶଗଡ଼ର କିଛି ଅଞ୍ଚଳ ପାଇଁ ଏହା ବରଦାନ ହେବ ବୋଲି କୁହାଗଲା। ପ୍ରସ୍ତାବ ପରେ ଗତ ଏପ୍ରିଲ ୩ ତାରିଖରେ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ନେତୃତ୍ବରେ ୯ ଜଣିଆ କେନ୍ଦ୍ର ବୈଷୟିକ ଟିମ୍‌ ଏହାର ଭିତ୍ତିଭୂମି ଅନୁଧ୍ୟାନ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି ଫେରି ଯାଇଥିଲେ। ଟିମ୍‌ ଆଗରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଉପଲବ୍ଧ ସୁବିଧାଗୁଡ଼ିକ ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏମ୍ସ ପାଇଁ ଜମି, ଅର୍ଥ ଓ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ। ୨୦୦ ଏକର ଜମି ସହ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ପର୍ଯ୍ୟାପ୍ତ ଅର୍ଥ, ବିଶାଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏନଟିପିସି ଓ ଏମସିଏଲର ସାମାଜିକ ଦାୟିତ୍ବବୋଧ ପାଣ୍ଠି ଏମ୍ସ ପ୍ରତିଷ୍ଠା ପ‌ାଇଁ ଖୋଲା ରହିବ ବୋଲି ଜିଲ୍ଲାପାଳ କହିଥିଲେ।

ଏହାମଧ୍ୟରେ ସାଢ଼େ ୩ ମାସ ବିତିଗଲାଣି। କିନ୍ତୁ ବୈଷୟିକ ଟିମ୍‌ କି ରିପୋର୍ଟ ଦେଲେ, ତାହା କେଉଁସ୍ତରରେ ଅଛି, ପ୍ରସ୍ତାବ ଉପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କି ପ୍ରକାର ବିଚାରବିମର୍ଶ କରୁଛି ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳୁନାହିଁ। ଏହିକ୍ରମରେ ୨ ମାସ ତଳେ ସୁନ୍ଦରଗଡ଼ର ଜ‌ଣେ ସଚେତନ ନାଗରିକ ସନ୍ତୋଷ ଅମାତ ସୂଚନା ଅଧିକାର ଆଇନରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ କେନ୍ଦ୍ର ବୈଷୟିକ ଟିମ୍‌ର ଅନୁଧ୍ୟାନ ରିପୋର୍ଟ ମାଗିଥିଲେ। ହେଲେ ଏଯାଏ ତାଙ୍କୁ କୌଣସି ସୂଚନା ମିଳି ନଥିବା ସେ ପ୍ରକାଶ କରିଛନ୍ତି। ଏପଟେ ବୈଷୟିକ ଟିମ୍‌ର ଅନୁଧ୍ୟାନ ପରେ ରାଜ୍ୟ ସରକାର ମଧ୍ୟ ଏ ପ୍ରସଙ୍ଗ ଉପରେ ଏକ ପ୍ରକାର ନିରବ ରହିଥିବା ଦେଖାଯାଉଛି। ଏହି ସ୍ଥିତିରେ ପଶ୍ଚିମ ଓଡ଼ିଶାରେ ଏକ ଭିନ୍ନ ଚର୍ଚ୍ଚା ଶୁଣିବାକୁ ମିଳିଛି। କୁହାଯାଉଛି ଯେ ରାଜଧାନୀ ଭୁବନେଶ୍ବର ଓ କଟକରେ ହସ୍ପିଟାଲ ଶିଳ୍ପ ସହ ଜଡ଼ିତ ଏକ ଶକ୍ତିଶାଳୀ ଗୋଷ୍ଠୀ ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠାକୁ ବିରୋଧ କରୁଛି। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେଲେ ଦ୍ବୈତ ନଗରୀର ଘରୋଇ ହସ୍ପିଟାଲ ଶିଳ୍ପ ଉପରେ ବିପରୀତ ପ୍ରଭାବ ପଡ଼ିବା ଭୟରେ ସମ୍ପୃକ୍ତ ଗୋଷ୍ଠୀ ଏହା ବିରୋଧରେ ଚାପ ପକାଉଥିବା କୁହାଯାଉଛି। ଏହି ଦୁଇ ସହରରେ ଥିବା ଡାକ୍ତରଖାନାଗୁଡ଼ିକ ଉପରେ ପଶ୍ଚିମ ଓଡ଼ିଶାର ଅନେକ ରୋଗୀ ନିର୍ଭରଶୀଳ। ସାଧାରଣତଃ ବୁର୍ଲା ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲର ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବା ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଥାଏ। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେଲେ ପଶ୍ଚିମ ଓଡ଼ିଶାର ରୋଗୀ କଟକ, ଭୁବନେଶ୍ବର ବଦଳରେ ସୁନ୍ଦରଗଡ଼ ମୁହାଁ ହେବେ। ଏହା କଟକ ଓ ଭୁବନେଶ୍ବରର ହସ୍ପିଟାଲ ବ୍ୟବସାୟରେ କ୍ଷତି ଘଟାଇବ ବୋଲି ସେମାନେ ଆଶଙ୍କା ପ୍ରକାଶ କରୁଥିବା କୁହାଯାଉଛି।

ଏହା ମଧ୍ୟରେ ଅନ୍ୟ ଏକ ଚକିତ କଲା ଭଳି ଅନ୍ୟଏକ ଚର୍ଚ୍ଚା ମଧ୍ୟ ଶୁଣା ଯାଉଛି: ରାଜ୍ୟ ସରକାର କୁଆଡ଼େ କୌଣସି ଏକ ବେସରକାରୀ ସଂସ୍ଥାକୁ ସୁନ୍ଦରଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ଏନଟିପିସି କୋଠାକୁ ଟେକିଦେବା ଲାଗି ଯୋଜନା କରୁଛନ୍ତି! ଏସବୁ ଚର୍ଚ୍ଚା ମଧ୍ୟରେ ଦ୍ବିତୀୟ ଏମ୍ସ ଘୋଷଣାରେ ବିଳମ୍ବ ସୁନ୍ଦରଗଡ଼ ତଥା ପଶ୍ଚିମ ଓଡ଼ିଶାବାସୀଙ୍କୁ ସଂଶୟରେ ପକାଇଛି।

ପ୍ରକାଶଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼ରେ ଆବଶ୍ୟକ ସୁଦୃଢ଼ ଭିତ୍ତିଭୂମି ଥିବାରୁ ଏଠାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଗତ ୨୦୨୦ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କୁ ପତ୍ର ଲେଖି ପ୍ରସ୍ତାବ ଦେଇଥିଲେ। ବିହାରରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ଦ୍ବିତୀୟ କ୍ୟାମ୍ପସ ଖୋଲିବା ସହ ଅନେକ ରାଜ୍ୟରେ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ଦ୍ବିତୀୟ କ୍ୟାମ୍ପସ ଖୋଲିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଥିଲେ। ଏହା ପରେ ମାର୍ଚ୍ଚ ୨୯ରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର