୩ ବର୍ଷର ଶିଶୁକୁ ଦୁଷ୍କର୍ମ: ସମ୍ପର୍କୀୟ ମାମୁ ଗିରଫ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଝାଡ଼ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦୋଳି ଖେଳିବାକୁ ଆମ୍ବତୋଟାକୁ ଯାଇଥିବା ଜଣେ ୩ ବର୍ଷର ଶିଶୁକନ୍ୟା ଦୁଷ୍କର୍ମର ଶିକାର ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପବିତ୍ର ନାଏକକୁ ଗିରଫ କରିଛି। ପୁଲିସ ସୂଚନା ଅନୁସାରେ, ୧୩ ତାରିଖରେ ଗାଁ ପାଖ ଆମ୍ବତୋଟାକୁ ଶିଶୁକନ୍ୟା ଜଣକ ଦୋଳି ଖେଳିବାକୁ ଯାଇଥିଲେ। ଏହି ସମୟରେ ସମ୍ପର୍କୀୟ ମାମୁ ପବିତ୍ର ତାକୁ କୁରୁକୁରେ ପ୍ୟାକେଟ ଦେଇ ଘରକୁ ‌ଡାକି ନେଇ ଦୁଷ୍କର୍ମ କରିଥିଲା। ଶିଶୁଟି କାନ୍ଦିକାନ୍ଦି ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ। ପରେ ଝିଅକୁ ନେଇ ଦୋଳି ଲାଗିଥିବା ସ୍ଥାନକୁ ଯାଇଥିଲେ। ଶିଶୁକନ୍ୟାଟି ପବିତ୍ରର ଘରକୁ ଦେଖାଇବା ସହ କାନ୍ଦିଥିଲା।

ଏନେଇ ଶିଶୁକନ୍ୟାର ମା ୧୪ ତାରିଖରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଘଟଣା ଦିନଠାରୁ ଅଭିଯୁକ୍ତ ‌ପବିତ୍ର ଫେରାର୍‌ ଥିଲା। ପୁଲିସ ଶିଶୁକନ୍ୟାର ଡାକ୍ତରୀମାଇନା କରିବା ସହ କେସ୍‌ ନମ୍ବର ୮୨/୨୦ ଦଫା ୩୭୬, ୩୭୭ ଆଇପିସି ଓ ୬ ପୋକ୍ସୋ ଆଇନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ତାର ପତ୍ତା ପାଇନଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଆଜି ଅଭିଯୁକ୍ତ ପବିତ୍ରକୁ ଭଦ୍ରାସାହି ନିକଟ ଟଣ୍ଟୋ ଉଡ଼ାଜାହାଜ ପଡ଼ିଆ ନିକଟରୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର