ନିଆଁରେ ପୋଡି ଭାଣିଜୀକୁ ହତ୍ୟା ଉଦ୍ୟମ,ମାମୁ ଅଟକ

ବ୍ରହ୍ମପୁର: ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଜୈନକ ବ୍ୟକ୍ତି ତାର ଭଉଣୀର ଝିଅ(ଭାଣିଜୀ) ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ସିପ୍ରାନ ଡିଗଲ ନାମକ ଜୈନକ ବ୍ୟକ୍ତି ନିଜର ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ଜେଲରେ ଥିଲା ଏବଂ କିଛିଦିନ ପୂର୍ବେ ଅନ୍ତରୀଣ ଜାମିନ ପାଇ ଜେଲରୁ ମୁକୁଳି ଥିଲା। ସୋମବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ସ୍ଥିତ ବୈଦ୍ୟନାଥପୁର ବିଦ୍ୟାନଗରରେ ରହୁଥିବା ତାର ଭଉଣୀ ଘରକୁ ଆସିଥିଲା।ସେତେବେଳେ ସେ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ରହି ଭଉଣୀ ଘରେ ପାଟି ତୁଣ୍ଡ କରୁଥିଲା।

ସେହି ସମୟରେ ଅଭିଯୁକ୍ତର ଭଉଣୀ ଘର ବାହାରେ ବସିଥିବା ବେଳେ ତାଙ୍କର ୧୩ବର୍ଷର ନାବାଳିକା କନ୍ୟା ଘର ଭିତରେ ଶୋଇ ଥିଲା। ଘର ଭିତରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ମାମୁ ଘରେ ଥିବା  କିରାସିନିକୁ ନେଇ ଶୋଇ ଥିବା ଭାଣିଜୀ ଉପରେ ଢାଳି ନିଆଁ ଲଗାଇ ଦେଇଥିଲା। ଶିଶୁ ଟିର ଆର୍ତ୍ତ ଚିତ୍କାର ଶୁଣି ଘର ବାହାରେ ବସିଥିବା ଅଭିଯୁକ୍ତର ଭଉଣୀ ଓ ପଡିଶା ଲୋକେ ଦଉଡି ଆସି ଝିଅ ଟିକୁ ଉଦ୍ଧାର କରି ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଝିଅ ଶରୀରର ପ୍ରାୟ ୭୦ଭାଗ  ଜଳି ଯାଇଥିବା ଜଣାପଡ଼ିଛି। ଖବର ପାଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କବ୍ଜାକୁ ନେଇ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର