ଭଣଜାକୁ ମାରି ଜାଳିଦେଲା ମାମୁ! ଅଭିଯୋଗକୁ ମାମୁଙ୍କ ଅସ୍ୱୀକାର

ଆନନ୍ଦପୁର : ଭଣଜାକୁ ମାରି ରାତାରାତି ଜାଳିଦେଲା ମାମୁ। ଏଭଳି ସାଂଘାତିକ ଏବଂ ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ରାଧିକାଦେଇପୁର ପଞ୍ଚାୟତ କେନ୍ଦୁଆ ଟିକରସାହିରେ। ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ଗ୍ରାମରକ୍ଷୀର ବୟାନକୁ ଭିତ୍ତି କରି ପୁଲିସ ନିଜଆଡ଼ୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଟିକରସାହିର ମନୋଜ ନାୟକଙ୍କ ପୁଅ ଶିବଚରଣ ନାୟକ (୧୦) ୨୪ ତାରିଖ ଅପରାହ୍‌ଣରେ ଖେଳିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ। ସେପଟେ ଶିବଙ୍କୁ ତାଙ୍କ ମାମୁ ଗୋପାଳ ପଲେଇ ହତ୍ୟା କରିବା ପରେ ନିକଟସ୍ଥ ପଡ଼ିଆରେ ପୋଡ଼ି ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଖବରପାଇ ଘସିପୁରା ପୁଲିସ ଗତକାଲି ସନ୍ଧ୍ୟାରେ କେନ୍ଦୁଆ ଗ୍ରାମକୁ ଯାଇଥିଲେ ମଧ୍ୟ କୌଣସି ସୁରାକ ନ ପାଇବାରୁ ଫେରିଆସିଥିଲା। ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ନ ହେବାରୁ ପୁଲିସ ନିଜଆଡୁ ଏକ ମାମଲା ରୁଜୁ କରି ଘଟଣାର ଛାନଭିନ୍ କରିଥିବା ଥାନା ଅଧିକାରୀ ମନୋରଞ୍ଜନ ବିଶି ସୂଚନା ଦେଇଛନ୍ତି। ଆସନ୍ତାକାଲି ଫରେନସିକ୍ ଟିମ୍ କେନ୍ଦୁଆ ଗାଁକୁ ଯାଇ ଶବ ପୋଡ଼ା ଯାଇଥିବା ସ୍ଥାନରୁ ନମୁନା ସଂଗ୍ରହ କରିବ ବୋଲି ପୁଲିସ କହିଛି।

ଏ ସମ୍ପର୍କରେ ମୃତ ଶିବଙ୍କ ବଡ଼ମା ରମାମଣି ନାୟକ କହିଛନ୍ତି, ଶିବ ନିଖୋଜ ହେବା ପରେ ସନ୍ଦେହ ବଢ଼ିଥିଲା। ତାର ମାମୁ ତାକୁ ମାରି ପୋଡ଼ି ଦେଇଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ପାଇଛୁ ବୋଲି କହିଛନ୍ତି। ସେହିପରି ମାମୁ ଗୋପାଳ ପଲେଇ କହିଛନ୍ତି, ସେ ୨୪ ତାରିଖ ରାତି ୧୨ଟା ବେଳେ ସେ ଘରୁ ବାହାରକୁ ବାହାରିଥିଲେ। ଶିବଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଶିବଙ୍କ ପାଟିରୁ ଗରଳ ବାହାରୁଥିଲା। ରାତିରେ ନିଜ ଭାଇ ସହ ମିଶି ଶବ ପୋଡ଼ି ଦେଇଥିବା ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି। ଯଦି ଭଣଜା ଶିବର ମୃତଦେହ ଘର ବାହାରେ ପଡ଼ିଥିଲା ତେବେ ପୁଲିସ ଓ ଶିବଙ୍କ ପରିବାର ଲୋକଙ୍କୁ ନଜଣାଇ ମାମୁ ଗୋପାଳ କାହିଁକି ରାତାରାତି ଶବ ପୋଡ଼ିଦେଲେ ତାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ତଦନ୍ତ ଆଗକୁ ବଢ଼ିଲେ ଘଟଣାର ପର୍ଦ୍ଦାଫାସ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର