ଜମିଜମା ବିବାଦ ଯୋଗୁଁ ଝିଆରୀକୁ ହତ୍ୟା କଲା ଦାଦା !

ଉମରକୋଟ: ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ନିଜ ଝିଆରୀକୁ ହତ୍ୟା କଲା ଦାଦା । ଏପରି ଏକ ଗୁରୁତର ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଇନ୍ଦ୍ରପୁରୀ ୟୁଭି-୫୪ ଗାଁରେ। ମୃତକ ଝିଆରୀ ହେଲେ ଜ୍ୟୋତିରାଣୀ ମଣ୍ଡଳ(୨୨)। ସୂଚନା ମୁତାବକ ଜ୍ୟୋତିରାଣୀଙ୍କ ବାପା ମୃତ୍ୟୁବରଣ କରିସାରିଥିବାବେଳେ ୨ ଭଉଣୀ ଓ ତାଙ୍କ ମା ଗୋଟିଏ ଘରେ ରହୁଛନ୍ତି। ତାଙ୍କ ପୈତୃକ ଜମି ୫ ଏକର ରହିଥିବା ବେଳେ ଏହି ଜମି ଭାଗ ବଣ୍ଟା ହୋଇପାରିନଥିଲା। ଯାହା ଫଳରେ ଅନେକ ଥର ତାଙ୍କ ଦାଦା ଓ ତାଙ୍କ ପରିବାର ମଧ୍ୟରେ କଳହ ହୋଇଛି।

ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ଦାଦା ଭଳାନାଥ ମଣ୍ଡଳ ତାଙ୍କ ଘରେ ପଶି ମାରଧର କରିବା ସହ ମାରିଦେବା ପାଇଁ ଟାଙ୍ଗିଆ ଆଣିବା ପାଇଁ ଯାଇଥିଲେ। ଦାଦା ଭୟରେ ମା ଓ ୨ ଭଉଣୀ ଘରୁ ବାହାରକୁ ଦୌଡି ପଳାଇଥିଲେ। ଏ ସମୟରେ ପୁଲିସକୁ ବି ଖବର ଦେଇଥିଲେ।

ପୁଲିସ ଆସିବା ପରେ ସବୁକିଛି ଶାନ୍ତ ଥିବାବେଳେ ପୁଲିସ ଗଲା ପରେ ସକାଳୁ ଜ୍ୟୋତିର ମୃତଦେହ ଗାଁ ମଧ୍ୟରେ ହିଁ ଦେଖିବାକୁ ଲୋକେ ପାଇଥିଲେ। ଏ ନେଇ ଉମରକୋଟ ଥାନାରେ ଖବର ଦେବା ପରେ ଉମରକୋଟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେଜେବାପାକୁ ଥାନାକୁ ଆଣି ଅଟକ ରଖିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର