ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଂଚଳରେ ୨ ବର୍ଷ ପରେ ବି ଅଧାପନ୍ତରିଆ ୭୬ ଲକ୍ଷ ଟଙ୍କାର ପ୍ରକଳ୍ପ : ନିର୍ମାଣ ସରୁନାହିଁ କି ପାଣି ମିଳୁନାହିଁ, ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ

ଭାପୁର : କେମିତି ଚାଲିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ଅଂଚଳରେ ୨ ବର୍ଷ ବିତିଯାଇଥିଲେ ମଧ୍ୟ ୭୬ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇପାରୁନାହିଁ। ଘଟଣାଟି ଦେଖିବାକୁ ମିଳିଛି, ଭାପୁର ବ୍ଲକ୍‌ ଚକ୍ରଧରପ୍ରସାଦ ପଞ୍ଚ‌ାୟତରେ। ମିଳିଥିବା ସୂଚନାରୁ ଜଣାପଡ଼ିଛି, ଭାପୁର ବ୍ଲକ୍‌ ଚକ୍ରଧରପ୍ରସାଦ ପଞ୍ଚାୟତ ଅଧୀନରେ ଗୋବର୍ଦ୍ଧନ ପ୍ରସାଦ, ଆନନ୍ଦପୁର ଏବଂ ଚକ୍ରଧରପ୍ରସାଦ ଗ୍ରାମଗୁଡ଼ିକ ରହିଛି। ୧୫ଟି ୱାର୍ଡ ବିଶିଷ୍ଟ ଏହି ପଞ୍ଚାୟତର ଗ୍ରାମଗୁଡ଼ିକ ପାହାଡ଼ ତଳ ଏବଂ ଢିପ ସ୍ଥାନରେ ଗଢ଼ିଉଠିଛି। ଫଳରେ ଗ୍ରାମଗୁଡ଼ିକ ସ୍ଥାପନ ହେବାର ପ୍ରାୟ ୯୦ ବର୍ଷ ତଳୁ ବର୍ଷତମାମ୍ ପାନୀୟ ଜଳ ମୁନ୍ଦାଏ ପାଇଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ଚକ୍ରଧରପ୍ରସାଦ ଗ୍ରାମର ଉତ୍ତର ଦିଗ ଗହୀରମଥାରେ ଥିବା ଏକ କୂଅ ନଚେତ୍ ପଶ୍ଚିମ ପଟେ ଥିବା ଏକ ନଳକୂପରୁ ଲମ୍ବା ଧାଡ଼ିରେ ପାନୀୟ ଜଳ ମହିଳାମାନେ ସଂଗ୍ରହ କରୁଥିବା ବେଳେ, ଅନେକ କ୍ଷେତ୍ରରେ ପୁରୁଷମାନେ ସାଇକେଲ୍‌ରେ ଭାର କରି ବୋହୂଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଗୁହାରୀ କରିଥିବାରୁ, ପ୍ରାୟ ଦୁଇ ବର୍ଷ ହେବ, ୭୬ ଲକ୍ଷ ଟଙ୍କା ବ୍ୟୟବରାଦରେ ନୟାଗଡ଼ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗ ଦ୍ବାରା ଟେଣ୍ତର୍‌ ମାଧ୍ୟମରେ ଠିକାଦାର ଚୟନ କରାଯାଇ ଆନ୍ଦପୁର ଗ୍ରାମ ନିକଟରେ ଏକ ଇନ୍‌ଟେକ୍ ୱେଲ୍ କାର୍ଯ୍ୟ ଆରମ୍ଭ ହୋଇଛି। ଆଜିକୁ ମାସ ମାସ ଧରି ନିର୍ମାଣ ହୋଇଥିବା କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଗୋବର୍ଦ୍ଧନପ୍ରସାଦ ଗ୍ରାମ ମଠ ନିକଟରେ ୫୦ ହଜାର ଲିଟର କ୍ଷମତାସଂପନ୍ନ ଏକ ସମ୍ପ୍‌ (ପାଣିଟାଙ୍କି) ନିର୍ମାଣ ହୋଇଛି। ବର୍ତ୍ତମାନ ସୁଦ୍ଧା ସେହି ସମ୍ପ‌୍‌ରୁ କିମ୍ବା ପୋଖରୀ ମଧ୍ୟରେ ନିର୍ମାଣ ହୋଇଥିବା ଇନ୍‌ଟେକ୍ ୱେଲ୍‌କୁ ପାଇପ୍ ସଂଯୋଗ ହୋଇନାହିଁ କି ସେହି ସ୍ଥାନରୁ ଗ୍ରାମଗୁଡ଼ିକୁ ସଂଯୋଗ ପାଇପ୍ ବିଛାଯାଇ ନାହିଁ। ମୋଟର ସଂଯୋଗ ମଧ୍ୟ ହୋଇନାହିଁ। ଠିକାଦାର ଅଧାପନ୍ତରିଆ କାର୍ଯ୍ୟ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଦିନକୁ ଦିନ ପ୍ରଚଣ୍ତ ଖରା ମାଡ଼ି ଆସୁଥିବା ବେଳେ ନଳକୂପ କିମ୍ବା କୂପଗୁଡ଼ିକର ଜଳସ୍ତର ନିମ୍ନଗାମୀ ହେବାରେ ଲାଗିଛି। ଫଲରେ ଜନସାଧାରଣ ପାନୀୟ ଜଳ ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମାପ୍ତ କରିବା ପାଇଁ ସରପଞ୍ଚ ପ୍ରତିମା ମହାପାତ୍ର ନୟାଗଡ଼ ଜିଲ୍ଲାପାଳଙ୍କୁ ୪ ଥର, ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ୬ ଥର, ବିଡିଓଙ୍କୁ ୪ ଥର, ବିଭାଗୀୟ ଯନ୍ତ୍ରୀଙ୍କୁ ୨ ଥର କହି କହି ଥକିପଡ଼ିଲେଣି ପଛେ କାର୍ଯ୍ୟ ଶେଷ କରିବାର ନାଁ ଗନ୍ଧ କେହି ଧରୁ ନଥିବା କହିଛନ୍ତି ସରପଞ୍ଚ ଶ୍ରୀମତୀ ମହାପାତ୍ର। ଆଗାମୀ ଦିନରେ ଏହି କାର୍ଯ୍ୟ ଯଦି ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ନ ହୁଏ, ତେବେ ଶହ ଶହ ଜନସାଧାରଣ ବ୍ଲକ୍‌ କାର୍ଯ୍ୟାଳୟ ଘେରିବେ ବୋଲି ଚରମବାଣୀ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର