ନିଶ୍ଚିତ ହେଲାନି ଟିକେଟ୍‌, ଟ୍ରେନ୍‌ ଆଗରେ ଶୋଇଲେ ମହିଳା

ରାଉରକେଲା: ଟିକେଟ୍‌ କନ୍‌ଫର୍ମ ନ ହେବାରୁ ସାଉଥ-ବିହାର ଏକ୍ସପ୍ରେସ୍‌ ଆଗରେ ଶୋଇଲେ ଜଣେ ମହିଳା। ଆଜି ଅପରାହ୍ନ ପ୍ରାୟ ୪ଟାରେ ରାଉରକେ‌‌ଲା ଷ୍ଟେସନରେ ଏମିତି ଘଟଣା ସମସ୍ତ ଯାତ୍ରୀ ଓ ରେଳ କର୍ମଚାରୀଙ୍କୁ ଚକିତ କରିଥିଲା। ପ୍ରାୟ ୨୦ ମିନିଟ୍‌ ଧରି ଟ୍ରେନ୍‌କୁ ଅଟକାଇଥିଲେ। ‌ଷ୍ଟେସନ ମ୍ୟାନେଜର ଓ ଆର୍‌ପିଏଫ୍‌ ଅଧିକାରୀ ପହଞ୍ଚି ଟିକେଟ୍‌ କନ୍‌ଫର୍ମ କରିବା ସହ ମହିଳାଙ୍କୁ ଟ୍ରେନ୍‌ରେ ବସାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଟ୍ରେନ୍‌ଟି ୨୦ ମିନିଟ୍‌ ବିଳମ୍ବରେ ବିହାର ଅଭିମୁଖେ ଯାତ୍ରା କରିଥିଲା।

ଗାଁରେ ଗୁରୁତ୍ବପୂର୍ଣ୍ଣ କାମ ଥିବାରୁ ରାଉରକେଲାର ଜଣେ ମହିଳା ଗତ ୫ ଦିନ ପୂର୍ବରୁ ସାଉଥ-ବିହାର ଏକ୍ସପ୍ରେସ୍‌ରେ ରିଜର୍ଭଭେସନ୍‌ ଟିକେଟ୍‌ କାଟିଥିଲେ। ଆଜି ତାଙ୍କୁ ସାଉଥ-ବିହାର ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବିହାର ଯିବାକୁ ଥିଲା। ମାତ୍ର ତାଙ୍କ ଟିକଟେ୍‌ କନ୍‌ଫର୍ମ ହୋଇ ପାରି ନଥିଲା। ଷ୍ଟେସନରେ ସାଉଥ-ବିହାର ଏକ୍ସପ୍ରେସ୍‌ ଡ୍ୟୁଟିରେ ଥିବା ଟିଟିଇଙ୍କୁ ଟିକେଟ୍‌ କନଫର୍ମ କରି ଦେବାକୁ କହିଥିଲେ। ମାତ୍ର ତାଙ୍କର କଥା କେହି ଶୁଣି ନଥିଲେ। ଶେଷରେ ବାଧ୍ୟ ହୋଇ କୌଣସି ଉପାୟ ନ ପାଇ ସାଉଥ-ବିହାର ଏକ୍ସପ୍ରେସ୍‌ ଇଞ୍ଜିନ ଆଗରେ ଶୋଇ ପଡିଥିଲେ। ଟିକେଟ୍‌ କନଫର୍ମ କରିବାକୁ ଜିଦ୍‌ ଧରିଥିଲେ। ଟ୍ରେନ୍‌ରେ ଟିଟିଇ ଓ ଅନ୍ୟ କର୍ମଚାରୀ ‌ଯେତେ ବୁଝାସୁଝା କରିଥିଲେ ହେଁ ମହିଳା ଜଣଙ୍କ ଶୁଣି ନଥିଲେ। ଖବର ପାଇ ଷ୍ଟେସନ ମ୍ୟାନେଜର ଓ ଆର୍‌ପିଏଫ୍‌ ଅଧିକାରୀ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ସହ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ କନ୍‌ଫର୍ମ ଟିକେଟ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର