ଭୁବନେଶ୍ବର: କରୋନା/ ଓମିକ୍ରନକୁ ନେଇ ସାରା ବିଶ୍ବରେ ଚିନ୍ତାଜନକ ପରିସ୍ଥିିତି। ସତର୍କ ରହିବା ଲାଗି କେନ୍ଦ୍ର ସରକାର ବାରମ୍ବାର ତାଗିଦ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ଅନେକ କଟକଣା ଲଗାଇଛନ୍ତି। ଗାଇଡଲାଇନ୍ସ ପାଳନ ନକଲେ ଜରିମାନା ପାଇଁ ଚେତାବନୀ ଦେଉଛନ୍ତି। କିନ୍ତୁ ଏହାର ସାମାନ୍ୟତମ ପ୍ରଭାବ ଲୋକମାନଙ୍କ ଉପରେ ପଡ଼ୁଥିବାର ମନେହେଉ ନାହିଁ। ଆଜି ସନ୍ଧ୍ୟାରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା ରାଜଧାନୀ ଭୁବନେଶ୍ବରରେ। ସନ୍ଧ୍ୟାରେ ଅସମ୍ଭାଳ ଭିଡ଼। କାର ଓ ବାଇକରେ ରାସ୍ତା ଜାମ୍। ଚାଲିବାକୁ ବି ବାଟ ନଥିଲା। ଏହାକୁ ନେଇ କିଛି ସ୍ଥାନରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏମିତି ଅବସ୍ଥା ଲାଗି ରହିଥିଲା ବେଳେ ରସୁଲଗଡ଼ରେ ପରିସ୍ଥିତି ଭୟଙ୍କର ହୋଇପଡ଼ିଥିଲା। ଏସ୍ପ୍ଲାନେଡ୍ ଛକରୁ ରସୁଲଗଡ଼ ଦେଇ ପଳାସୁଣି ପର୍ଯ୍ୟନ୍ତ, ବିପରୀତ ପାର୍ଶ୍ବରେ ଝାରପଡ଼ା ପର୍ଯ୍ୟନ୍ତ ଓ ୧୬ ନମ୍ବର ଜାତୀୟ ରାଜପଥରେ ପଳାସୁଣିରୁ ବାଣୀବିହାର ପର୍ଯ୍ୟନ୍ତ ସବୁଠି ରାସ୍ତା ରୁନ୍ଧି ହୋଇଯାଇଥିଲା। ପୂର୍ବରୁ ଏଭଳି ରାସ୍ତା ଜାମ୍ କେବେ ଦେଖାଯାଇନଥିଲା। ଜାତୀୟ ରାଜପଥ ସହ ସର୍ଭିସ୍ ରୋଡ୍ ଓ ମାର୍କେଟ୍ ଛକ ପର୍ଯ୍ୟନ୍ତ ସବୁଆଡ଼ ଜାମ୍ ହୋଇଗଲା। ସନ୍ଧ୍ୟା ୫ଟା ପ୍ରାୟ ୪ଘଣ୍ଟା କାଳ ଲୋକେ ଜାମ୍ ଭିତରେ ପେଷି ହୋଇଯାଇଥିଲେ। ଦୁଇ ଚକିଆରୁ ଚାରିଚକିଆ ପର୍ଯ୍ୟନ୍ତ ସବୁ ଗାଡ଼ି ଅଟକି ଯାଇଥିଲେ। ଏମିତିକି ଚାଲିଚାଲି ଯାଉଥିବା ଲୋକେ ବି ବାଟ ପାଇନଥିଲେ। ଏଭଳି ସ୍ଥିତିରେ ଭିଡ଼ ଭିତରେ ରାସ୍ତା ନପାଇ ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା। ସେହିଭଳି କିଛି ସ୍ଥାନରେ ଭିଡ଼କୁ ନେଇ ପିଟାପିଟି ହୋଇଥିଲା। ଠେଲାପେଲା ଯୋଗୁଁ ରାସ୍ତାକଡ଼ର ଜଣେ ଦୋକାନୀ ଆହତ ହେବା ପରେ ଲୋକେ ଜଣେ ଯୁବକଙ୍କୁ ଏଥିପାଇଁ ନିସ୍ତୁକ ପିଟିଥିଲେ।
ଭିଡ଼ ନିୟନ୍ତ୍ରଣ ଲାଗି ଜଣେ ଦୁଇ ଜଣ ଟ୍ରାଫିକ କର୍ମଚାରୀଙ୍କୁ ଛାଡ଼ିଦେଲେ କାହାରି ଦେଖାନଥିଲା। ତେବେ ସନ୍ଧ୍ୟା ୭ଟା ପରେ ଅଧିକ ଟ୍ରାଫିକ କର୍ମଚାରୀ ଘଟଣା ସ୍ଥଳରେ ପହଂଚିଥିଲେ ମଧ୍ୟ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଟ୍ରାଫିକ୍ ପୁଲିସ ସହ ମଞ୍ଚେଶ୍ବର ଓ ସହିଦନଗର ଥାନା ପୁଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଯାଇ ନାକେଦମ୍ ହୋଇଥିଲା। ବଡ଼ଦିନ ପାଇଁ ରାଜଧାନୀ ପ୍ରଶାସନ ଧର୍ମାନୁଷ୍ଠାନ ଉପରେ କଟକଣା ଲାଗୁ କରିଥିବା ବେଳେ ମଲ୍ ଓ ହାଟ ବଜାର ଉପରେ ନଜର ଦେଇନଥିବାରୁ ଏହି ପରିସ୍ଥିତି ଉପୁଜିଥିଲା। ଓମିକ୍ରନ୍କୁ ନେଇ କଟକଣା ଲାଗୁ କରାଯାଉଥିବା ବେଳେ ବିଏମ୍ସି କିଭଳି ବଡ଼ଦିନ ଭଳି ପର୍ବରେ ମଲ୍ଗୁଡ଼ିକ ଉପରେ ଦୃଷ୍ଟି ଦେଲା ନାହିଁ, ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ବିସ୍ମୟ ପ୍ରକାଶ ପାଇଛି।