ଲକ୍‌ଡାଉନ୍ ଘୋଷଣା ପରେ ଭୟଭୀତ ସ୍ମାର୍ଟସିଟିବାସୀ; ମାନିଲେନି କଟକଣା, ବଜାରରେ ଅସମ୍ଭାଳ ଭିଡ

ବୋହିନେଲେ ରାସନ, ପନିପରିବା, ମଦ ଦୋକାନରେ ମଦୁଆଙ୍କ ଠେଲାପେଲା

ରାଉରକେଲା: ଦିନକ ପରେ ଆରମ୍ଭ ହେବ ୧୫ ଦିନିଆ ଲକ୍‌ଡାଉନ୍। ରାଜ୍ୟ ସରକାରଙ୍କ ଦ୍ବାରା ଜାରି ୧୫ ଦିନିଆ ଲକ୍‌ଡାଉନ୍ ଘୋଷଣାକୁ ନେଇ ଭୟଭୀତ ସ୍ମାର୍ଟସିଟିବାସିନ୍ଦା। ତେବେ ଲକ୍‌ଡାଉନରେ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ମିଳିବା ସତ୍ବେ ଲୋକେ ଛାନିଆ ହୋଇ ପଡିଛନ୍ତି। ଦୁଇ ଦିନ ସପ୍ତାହାନ୍ତ ସଟ୍‌ଡାଉନ୍ ରହିବା ପରେ ସୋମବାର ସକାଳୁ ଦୋକାନ, ବଜାର ଖୋଲିବା ମାତ୍ରେ ଜମିଥିଲା ଲୋକଙ୍କ ଅସମ୍ଭାଳ ଭିଡ। ପନି ପରିବା ଦୋକାନ ଠାରୁ ଆରମ୍ଭ କରି ରାସନ ଓ ହୋଲସେଲ୍ ବଜାର ସମେତ ଅନ୍ୟାନ୍ୟ ଦୋକାନରେ ହାଉଜାଉ ହୋଇଥିଲେ ଲୋକେ। କେବଳ ଅତ୍ୟାବଶ୍ୟକ ଦୋକାନ ନୁହେଁ ମଦ ଦୋକାନରେ ମଧ୍ୟ ସମାନ ସ୍ଥିତି ଉପୁଜିଥିଲା। କୋଭିଡ୍ କଟକଣାକୁ ସମସ୍ତେ ଯେମିତି ଫୁଃ କରି ଦେଇଥିଲେ। କେଉଁଠି ଦେଖିବାକୁ ମିଳିନଥିଲା ସାମାଜିକ ଦୂରତା। କେଉଁ ଦୋକାନରେ ଲମ୍ବା ଲାଇନ ତ ପୁଣି ଅନ୍ୟ କେଉଁ ଦୋକାନରେ ସାମଗ୍ରୀ ନେବାଙ୍କୁ ଲୋକଙ୍କ ମଧ୍ୟରେ ଠେଲାପେଲା।

ସହରର ପ୍ରମୁଖ ହୋଲେ୍ସେଲ୍ ବଜାର, ପରିବା ହାଟରେ ଜଣେ ହେଲେ ଲୋକଙ୍କ ମଧ୍ୟରେ ଯେମିତି କରୋନା ସଂକ୍ରମଣ ଭୟ ବି ନଥିଲା। ଉଭୟ ବ୍ୟବସାୟୀ ଓ ଗ୍ରାହକ କେହି କାହାକୁ ପ୍ରତିବାଦ କରି ନଥିଲେ। କାହା ମୁହଁରେ ମାସ୍କ ଥିଲା ତ କାହା ମୁହଁରେ ନଥିଲା। ଅଧିକାଂଶ ଲୋକ ନାମ ତଳକୁ ମାସ୍କ ପିନ୍ଧି ଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପୁଲିସର ଗଠିତ ୩୦ ଟି ଏନ୍ଫୋର୍ସମେଣ୍ଟ ଟିମ୍ ଏମାନଙ୍କୁ ଦାଗିଦ୍ କରିବା ପରିବର୍ତ୍ତେ ଯେମିତି ଘଟଣାସ୍ଥଳରେ ନୀରବଦ୍ରଷ୍ଟା ସାଜିଥିଲା। ଗତ ଦୁଇ ଦିନ ତଳେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ, ଆଇନଶୃ୍ଙ୍ଖଳା ଏଡିଜି ଯଶବନ୍ତ ଜେଠୁଆ ରାଉରକେଲାରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ସହ ଅମାନିଆଙ୍କୁ ସାବାଡ କରିବାକୁ ସୁନ୍ଦରଗଡ ଓ ରାଉରକେଲା ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିଜିପିଙ୍କ ନିର୍ଦ୍ଦେଶର କୌଣସି ପ୍ରଭାବ ସହର ପ୍ରମୁଖ ବଜାର, ହାଟରେ ଆଦୌ ଦେଖିବାକୁ ମିଳି ନଥିଲା।

ସହରର ପାନପୋଷ ଏନ୍ଏସି ମାର୍କେଟ, ଛେଣ୍ଡ ଭିଏସ୍ଏସ୍ ମାର୍କେଟ, ଡେଲିମାର୍କେଟ, ସେକ୍ଟର-୧୯ ଇସ୍ପାତ ହାଟ (ମୁଣ୍ଡା ମାର୍କେଟ), ସେକ୍ଟର-୧୮, ରାଉରକେଲା ମୁଖ୍ୟ ବଜାର, ପ୍ଲାଣ୍ଟସାଇଟ୍ ହୋଲ୍ସେଲ୍ ମାର୍କେଟ, ପରିବା ଗଦି, ମାଛ ମାର୍କେଟ ସବୁଠି ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ପ୍ଲାଣ୍ଟସାଇଟ୍ ହୋଲ୍ସେଲ୍ ମାର୍କେଟରେ ଲୋକଙ୍କୁ ଯାତାୟତ କରିବାକୁ ବାଟ ମିଳି ନଥିଲା। ସେମିତି ଉଦିତନଗର ଆମ୍ବେଦକର ଛକରୁ କଚେରି ରୋଡ, ଡେଲିମାର୍କେଟ, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ବିର୍ସା ମୁଣ୍ଡା ଛକ, ନୂଆ ବସଷ୍ଟାଣ୍ଡ ମାର୍କେଟରେ ନାହିଁ ନଥିବା ଭିଡ଼ ହୋଇଥିଲା। ମୁଣ୍ଡା ମାର୍କେଟ ପରିବା ହାଟରେ ସକାଳୁ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଲୋକଙ୍କ ଭିଡ ଜମିଥିଲା। କେହି ଜଣେ ହେଲେ ବ୍ୟବସାୟୀ ସାମାଜିକ ଦୂରତା କଟକଣାକୁ ନିୟମକୁ ପାଳନ କରି ନଥିଲେ।

ସବୁଠୁ ଆଶ୍ଚର୍ଯ୍ୟ କଥା ପାନପୋଷରୋଡ, ଡେଲିମାର୍କେଟ, ବିଶ୍ରା ଛକରେ ଖୋଲିଥିବା ବିଦେଶୀ ମଦ ଦୋକାନରେ ଅସମ୍ଭାଳ ଭିଡ। ମଦ ନେବାକୁ ଗ୍ରାହକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏମିତି କିଛି ଗ୍ରାହକ ମଧ୍ୟ ପରସ୍ପର ମଧ୍ୟରେ ପାଟିତୁଣ୍ଡ କରିଥିଲେ। ଉତ୍ତେଜନା ସୃଷ୍ଟି ହେବାରୁ ଅବକାରୀ ପୁଲିସ, ସ୍ଥାନୀୟ ପୁଲିସ ଖୋଲାଯାଇଥିବା ମଦ ଦୋକାନକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ତେବେ ରାଉରକେଲାରେ ସହରରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିଲାବେଳେ ଲୋକଙ୍କ ଏଭଳି ଭିଡରୁ ସଂକ୍ରମଣ ସ୍ଥିତି ଭୟାନକ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର