ସମ୍ବଲପୁର : ରାଜ୍ୟରେ ୫ଟି ମହାନଗର ନିଗମରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଟିକାକରଣ ଜାରି ରହିଛି। ଏହି ବର୍ଗରେ ୫ଟି ମହାନଗର ନିଗମ ମଧ୍ୟରେ ସମ୍ବଲୁପର ମହାନଗର ନିଗମ(ଏସ୍‌ଏମ୍‌ସି) ସବୁଠୁ ପଛରେ ରହିଛି। ଏ ନେଇ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଏସ୍‌ଏମ୍‌ସି କର୍ତ୍ତୃପକ୍ଷ ଟିକାକରଣ ବୃଦ୍ଧି କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। କିନ୍ତୁ ଅବ୍ୟବସ୍ଥା କାରଣରୁ ଟିକାକରଣ କେନ୍ଦ୍ରରେ ଏବେ କରୋନା ଫ୍ରି’ରେ ମିଳୁଛି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି। ଏହାର ମୁଖ୍ୟ କାରଣ ହେଲା ବିନା ସ୍ଲଟ ବୁକିଂରେ ଟିକାକରଣ।

Advertisment

ଶନିବାର ସକାଳ ୯ଟାରୁ ୨ଟା ଯାଏ ୧୮ରୁ ୪୪ ବର୍ଷ ବୟସ ବର୍ଗ ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ୪୫ ବର୍ଷରୁ ଅଧିକ ବର୍ଗର ଟିକାକରଣ ଅଇଁଠାପାଲି ସ୍ବାସ୍ଥ୍ୟକେନ୍ଦ୍ରଠାରେ କରାଯିବ ବୋଲି ଏସ୍‌ଏମ୍‌ସି ପକ୍ଷୁରୁ ସୂଚନା ଦିଆଯାଇଥିଲା। ସବୁଠାରୁ ବଡ଼ କଥା ହେଲା ଏଠାରେ ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ କରିବାର ଆବଶ୍ୟକତା ନଥିବା କହିବା ସହ କେବଳ ଆଧାର କାର୍ଡ ଦେଖାଇ ଟିକା ନେଇପାରିବେ ବୋଲି ଏସ୍‌ଏମ୍‌ସି ପକ୍ଷରୁ କହାଯାଇଥିଲା। ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ହୋଇଥିଲେ ମଧ୍ୟ କୌଣସି ସଠିକ୍‌ ବ୍ୟବସ୍ଥା କରା ନଯାଇ ଘୋଷଣା କରି ଦିଆଯାଇଥିବାରୁ ଶନିବାର ଅଇଁଠାପାଲି ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତାର ନାଁ ଗନ୍ଧ ନଥିବା ବେଳେ ଲୋକମାନେ ଟିକା ନେବା ପାଇଁ ମାଡଗୋଳ ହୋଇଥିଲେ। ଅଧିକାଂଶ ଲୋକ ମାସ୍କ ପିନ୍ଧିଥିଲେ, କିନ୍ତୁ ତା ଭିତରେ ଅନେକ ଲୋକଙ୍କ ମାସ୍କ ବେକରେ ଓ ନାକ ତଳେ ଥିଲା।

ଲୋକମାନଙ୍କ ଭିଡକୁ ନିୟନ୍ତ୍ରଣ କରିବାକୁ ଏସ୍ଏମ୍‌ସି ପକ୍ଷରୁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଯେଉଁଥିପାଇଁ ଟିକାକରଣ ବେଳେ ହିଁ ଲୋକଙ୍କୁ କରୋନା ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଯାହାକୁ ନେଇ ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।