ଅନିୟନ୍ତ୍ରିତ ସିମ୍‌ ବେପାର ବଢ଼ାଉଛି ସାଇବର୍‌ ଅପରାଧ

 

ରାଉରକେଲା: ସାଇବର ଠକଙ୍କ ଉତ୍ପାତ ପୂର୍ବାପେକ୍ଷା ସୀମା ଟପିଲାଣି। ରାଉରକେଲାରେ କୁଖ୍ୟାତ ଝାଡ଼ଖଣ୍ଡ ଜମତରା ଗ୍ୟାଙ୍ଗ୍‌ର ଉପସ୍ଥିତିଠାରୁ ଆରମ୍ଭକରି ନକଲି ନୋଟ୍‌ ଛପା ହେବା ପର୍ଯ୍ୟନ୍ତ; ପୁଣି ଅନ୍ତଃରାଜ୍ୟ ଠକ ଦଳଙ୍କ କାର୍ଯ୍ୟାଳୟ ଠାବ ହେବା, ଏମାନଙ୍କ ସାମ୍ରାଜ୍ୟ ଉପରେ ସହଜରେ ଠାଉରାଇ ହୁଏ। ଫୋନ୍‌, ଇଣ୍ଟର୍‌ନେଟ୍‌ର ଦୁରୂପଯୋଗକରି ଏମାନେ ଠକିବାରେ ଲାଗିପଡ଼ିଛନ୍ତି। ତେବେ ଏହି ଠକ ଗ୍ୟାଙ୍ଗ୍‌କୁ ସୁହାଇଛି ସହରର ଅନିୟନ୍ତ୍ରିତ ସିମ୍‌ ବେପାର। ମାଗଣାରେ ତଥା ସ୍ବଳ୍ପ ମୂଲ୍ୟରେ ସିମ୍‌ ବିକ୍ରି ହେଉଥିବାରୁ ଏହାର ଫାଇଦା ଉଠାଉଛନ୍ତି ଠକ ଦଳ। ଏମିତିକି ରାଉରକେଲାର କିଛି ସିମ୍‌ ବେପାରୀ ଝାଡ଼ଖଣ୍ଡକୁ ଯାଇ ଜମତରା ଗ୍ୟାଙ୍ଗ୍‌କୁ ସିମ୍‌ ଯୋଗାଉଥିବା ବି ଅଭିଯୋଗ ହୁଏ।

ଇସ୍ପାତ ସହରରେ ଏବ ଛତୁ ଫୁଟିଲା ଭଳି ସିମ୍‌ ବେପାର ଚାଲିଛି। ସେକ୍ଟର-୬ ଟେଲିଫୋନ ଭବନ ଠକଠାରୁ ଆରମ୍ଭକରି ରିଂ ରୋଡ୍‌, ବିଭିନ୍ନ ଛୋଟ ବଡ଼ ଦୋକାନରେ ସିମ୍‌ ଉପଲବ୍ଧ। ବିନା ପରିଚୟପତ୍ର ତଥା ନକଲି ପରିଚୟ ପତ୍ର ମାଧ୍ୟମରେ ସହଜରେ ସିମ୍‌ ଉପଲବ୍ଧ ହେଉଥିବାରୁ ସୁଯୋଗ ହାତଛଡ଼ା କରୁନାହାନ୍ତି ଠକ ଦଳ। ଗତ ୧୨ ତାରିଖରେ ସ୍ଥାନୀୟ ଉଦିତନଗରରେ ଏକ ଫ୍ଲାଟ୍‌ରେ ଚାଲିଥିବା ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗ୍‌ର ୮ ଜଣଙ୍କୁ କାବୁ କରିଥିଲା ରାଉରକେଲା ପୁଲିସ। ବିହାର, ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ସାମିଲ ଥିବା ଏହି ଠକମାନେ ନାମୀଦାମୀ ଅନଲାଇନ୍‌ କମ୍ପାନି ନାଁରେ ଲୋକଙ୍କୁ ଠକୁଥିଲେ।

ଅନ୍ତଃରାଜ୍ୟ ଠକଙ୍କ ପାଖରେ ଓଡ଼ିଶା ପଞ୍ଜିକୃତ ସିମ୍‌କାର୍ଡ

ଜମ୍‌ତରା ଗ୍ୟାଙ୍ଗ୍‌କୁ ରାଉରକେଲାରୁ ଯାଉଛି ସିମ୍‌କାର୍ଡ

ପୁଲିସ ସେମାନଙ୍କଠାରୁ ନଗଦ ୬୦ ହଜାର ଟଙ୍କା ୪ଟି ଲାପଟପ୍‌, ୩ଟି କଲର ପ୍ରିଣ୍ଟର, ଦୁଇଟି ବାଇକ୍‌,ଏଲ୍‌ଇଡି ଟିଭି, ୧୦ଟି ନକଲି ପ୍ଲାଷ୍ଟିକ୍‌ ଷ୍ଟାମ୍ପ୍‌ ସିଲ୍‌, ୪୨ଟି ସ୍ପିଡ୍‌ ପୋଷ୍ଟ୍‌ ବାର୍‌କୋଡ୍‌, ଗୋଟିଏ ନକଲି ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ କମ୍ପାନିର ୧ କ୍ବିଣ୍ଟାଲ ୨୮ କେଜି ନକଲି ସ୍କ୍ରାଚ୍‌ କୁପନ, ଦେଢ଼ କ୍ବିଣ୍ଟାଲ ଏନ୍‌ଭେଲପ୍‌ ୫୫ କେଜି ୩ ଶହ ଗ୍ରାମ୍‌ କଷ୍ଟମର ଆପ୍ଲିକେସନ ଫର୍ମ, ୫ଟି ଷ୍ଟାମ୍ପ୍‌ପ୍ୟାଡ୍‌ ଆଦି ଜବତ କରିଥିଲା। ଏମାନଙ୍କଠାରୁ ୫୪ଟି ସ୍ମାର୍ଟ ଫୋନ୍‌, କି-ପ୍ୟାଡ୍‌ ଫୋନ୍‌ ଏବଂ ପ୍ରତ୍ୟେକ ମୋବାଇଲ୍‌ରେ ଥିଲା ଓଡ଼ିଶା ପଞ୍ଜିକୃତ ସିମ୍‌କାର୍ଡ। ତେବେ ଏମାନଙ୍କୁ ୫୪ଟି ସିମ୍‌କାର୍ଡ ଦେଲା କିଏ? ସିମ୍‌କାର୍ଡ ବିକ୍ରିବେଳେ ପରିଚୟ ପତ୍ର ଯାଞ୍ଚ କରାଗଲାନି କେମିତି? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କିମାରିଛି।

ସେମାନେ ରାଉରକେଲାର ନିର୍ଦ୍ଦିଷ୍ଟ କେଉଁ ଦୋକାନରୁ ୫୪ଟି ସିମ୍‌ କାର୍ଡ କିଣିଥିଲେ, ସେ ଦିଗରେ ପୁଲିସର ତଦନ୍ତ ଜାରି ରହିଛି ନା ଅଣଦେଖା କରାଯାଇଛି ତାହା ଅସ୍ପଷ୍ଟ। ଏତଦ୍‌ବ୍ୟତୀତ, ଗତ ଜୁଲାଇ ୧୫ ତାରିଖରେ ରାଉରକେଲା ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୁଲିସ ଜଣେ ସ୍ବେଚ୍ଛାକୃତ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ ଠକିଥିବା ଜମତରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ ଗିରଫ କରିଥିଲା। ଏମାନଙ୍କଠାରୁ ମଧ୍ୟ ୪ଟି ମୋବାଇଲ ଫୋନ ଓ ରାଉରକେଲାରୁ ଜାରି ସିମ୍‌କାର୍ଡ ସମେତ, ପାନ୍‌ କାର୍ଡ, ଆଧାର କାର୍ଡ, ପାସ୍‌ବୁକ୍‌, ସିମ୍‌କାର୍ଡ ଆଦି ଜବତ ହୋଇଥିଲା। ଏହି ଗ୍ୟାଙ୍ଗ୍‌ ଗତ ନଭେମ୍ବର ୨୯ ତାରିଖରେ କୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଲ ବିରିଙ୍ଗାଟୋଲିର ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ ଏକ ଓଡ଼ିଶା ନମ୍ବର (୭୦୬୪୮୮୫୬୬୯)ରୁ ଫୋନ୍‌ କରିଥିଲେ। ଠକ ଦଳ ଫୋନ୍‌ ପେ’ ମାଧ୍ୟମରେ ୨୦ ହଜାର ଟଙ୍କା ପେମେଣ୍ଟ୍‌ କରାଯାଇଥିବା ଓ ଆକାଉଣ୍ଟ୍‌ଣୁ କଟିଥିବା କହିଥିଲେ।

ତେବେ ସଂପୃକ୍ତ ଅବସରପ୍ରାପ୍ତ କର୍ମଚାରୀ ଜଣଙ୍କ କୌଣସି ଟଙ୍କା ପୈଠ କରିନଥିବା କହିବାରୁ ଠକ ଦଳ ଉକ୍ତ ଟଙ୍କା ଫେରାଇ ଦିଆଯିବ କହି ଆକାଉଣ୍ଟ୍‌ ନମ୍ବର, ପାସ୍‌ୱାର୍ଡ ଆଦି ସଂଗ୍ରହ କରି ୧୫ ଲକ୍ଷ ୫୬ ହଜାର ଟଙ୍କା ଠକିନେଇଥିଲେ। ଏମିତିକି ଗତ ୧୧ ତାରିଖରେ ସେକ୍ଟର-୧୭, କ୍ବାର୍ଟର ନଂ ସି’ ୨୩୧ରେ ନକଲି ନୋଟ୍‌ ଛାପୁଥିବା ଅଭିଯୁକ୍ତ ପାଖରୁ ନଗଦ ୧୬ ଲକ୍ଷ ୧୧ ହଜାର ଟଙ୍କା ସମେତ ନକଲି ନୋଟ୍‌ ଛାପିବାରେ ବ୍ୟବହୃତ କଲର୍‌ ପ୍ରିଣ୍ଟର୍‌, ଲାପଟପ୍‌, ମୋବାଇଲ, ସ୍ୟାହି, ସ୍କେଲ ଆଦି ଜବତ ହୋଇଥିଲା। ଅଭିଯୁକ୍ତ ସ୍ଥାନୀୟ ବଜାରରୁ ସିମ୍‌ କାର୍ଡ କିଣି ନମ୍ବର ବ୍ୟବହାର କରୁଥିବା ଜଣାପଡ଼ିଥିଲା। କେବଳ ଏତିକି ନୁହେଁ, ବିଗତ ଦିନରେ ପରିଲକ୍ଷିତ ଏକାଧିକ ଘଟଣାରେ ନକଲି ସିମ୍‌ର ବ୍ୟବହାର କରାଯାଉଥିବାର ନଜିର ରହିଛି।

ଗତ ଜୁଲାଇ ମାସରେ ସାଇବର ଧରାପଡ଼ିଥିବା ଜମ୍‌ତରା ଗ୍ୟାଙ୍ଗ୍‌ଠାରୁ ପୁଲିସ ଯେଉଁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା, ତାହା ନିଶ୍ଚିତଭାବେ ଚାଞ୍ଚଲ୍ୟକର ଓ ଉଦ୍‌ବେଗଜନକ ମଧ୍ୟ। ଏହି ଗ୍ୟାଙ୍ଗ୍‌ ପାଖରେ ଦେଶର ସବୁ ରାଜ୍ୟର ପଞ୍ଜିକୃତ ସିମ୍‌ କାର୍ଡ ଉପଲବ୍ଧ। ଏଥିରେ ଓଡ଼ିଶା ତଥା ରାଉରକେଲାରୁ ଦିଆଯାଇଥିବା ସିମ୍‌କାର୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରୁ ଇସ୍ୟୁ ହୋଇଥିବା ଏକାଧିକ ସିମ୍‌ କାର୍ଡ ଏମାନଙ୍କ ପାଖରେ ମହଜୁଦ ରହିଛି। ଏମାନଙ୍କ ପାଖରେ ସିମ୍‌ ପହଞ୍ଚାଇବାକୁ ଏକ ରୢାକେଟ୍‌ ଦିନରାତି କାର୍ଯ୍ୟରତ। ପ୍ରଥମେ ଠକ ଗ୍ୟାଙ୍ଗର ସଦସ୍ୟମାନେ ଝାଡ଼ଖଣ୍ଡରେ ସିମ୍‌କାର୍ଡ ବେପାର କରୁଥିବା ନିଜର ଭରସାଯୋଗ୍ୟ ସହଯୋଗୀଙ୍କୁ ବରାଦ ଦେଉଛନ୍ତି। ଉକ୍ତ ବେପାରୀମାନେ ହିଁ ପରବର୍ତ୍ତୀ ସମୟରେ ସୀମାବର୍ତ୍ତୀ ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା ଆଦି ସମେତ ଆଖପାଖ ଅଞ୍ଚଳର ସିମ୍‌କାର୍ଡ ବିତରଣକାରୀଙ୍କୁ ଯୋଗାଯୋଗ କରୁଛନ୍ତି। ପରେ ସ୍ଥାନୀୟ ବେପାରୀ ହିଁ ଠକ ଗ୍ୟାଙ୍ଗ୍‌ ପାଖରେ ଓଡ଼ିଆ ପଞ୍ଜିକୃତ ସିମ୍‌ ପହଞ୍ଚାଉଛନ୍ତି। ସିମ୍‌କାର୍ଡ ବେପାର ଉପରେ ପୁଲିସ୍‌ର ଅଙ୍କୁଶ ନ ଲାଗିବା ପର୍ଯ୍ୟନ୍ତ ଜନସାଧାରଣ ଏଭଳି ଠକାମିର ଶିକାର ହେବ, ତାହା ସହଜରେ ଅନୁମେୟ।

ସମ୍ବନ୍ଧିତ ଖବର