ଭିଏସ୍‌ଏସ୍‌ରେ ହେବ ୧୯ ବର୍ଷରୁ କମ୍ କୁଚ୍‌ ବେହାର ଟ୍ରଫି: ଗୁରୁତ୍ବପୂର୍ଣ୍ଣ ଓଡ଼ିଶା-ହରିଆଣା ମୁକାବିଲା ୨୬ରୁ

ସମ୍ବଲପୁର: ଆସନ୍ତା ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ହରିଆଣା ମଧ୍ୟରେ ୧୯ ବର୍ଷରୁ କମ୍ କୁଚ୍‌ ବେହାର ଟ୍ରଫି ମ୍ୟାଚ୍ ଖେଳାଯିବ। ଓଡ଼ିଶା ନିଜ ପ୍ରଥମ ମ୍ୟାଚ୍‌ରେ ବିହାର ବିପକ୍ଷରେ ପାଳି ଆଗୁଆ ହୋଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ମଣିପୁର ବିପକ୍ଷରେ ପାଳି ବିଜୟ ଲାଭ କରିଥିଲା। କିନ୍ତୁ ଗତ ସପ୍ତାହରେ ଅନୁଷ୍ଠିତ ନିଜ ତୃତୀୟ ମ୍ୟାଚ୍‌ରେ ଆନ୍ଧ୍ର ପ୍ରଦେଶଠାରୁ ଗୋଟିଏ ପାଳି ଓ ୬୪ ରନ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ତେଣୁ ପ୍ରତିଯୋଗିତାରେ ତିଷ୍ଠି ରହିବା ନିମନ୍ତେ ଘରୋଇ ଦଳ ପାଇଁ ସମ୍ବଲପୁର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ବୁଧବାର ରାତିରେ ଓଡ଼ିଶା ଦଳ ସମ୍ବଲପୁର ପହଞ୍ଚିଥିବା ବେଳେ ଗୁରୁବାର ହରିଆଣା ଦଳ ଆସିବ। ଓଡ଼ିଶା ଦଳ ହୋଟେଲ୍‌ ଗ୍ରାଣ୍ଡ ଶିବା ଓ ହରିଆଣା ଦଳ ହୋଟେଲ୍‌ ରିଜେଣ୍ଟା ଇନ୍‌ରେ ଅବସ୍ଥାନ କରିବେ। କରୋନା ପାଇଁ ୨ ବର୍ଷ ଧରି କୌଣସି ବଡ଼ ଖେଳ ହୋଇନଥିବାରୁ ସମ୍ବଲପୁରରେ ଏହି ମ୍ୟାଚ୍‌ ପାଇଁ ଉତ୍ସାହ ଦେଖାଦେଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସମ୍ବଲପୁର ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବୁଧବାର ସଂଧ୍ୟାରେ ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ମ୍ୟାଚ୍ ସଂପର୍କରେ ସୂଚନା ଦେଇ ଜିଲ୍ଲା କ୍ରୀଡ଼ା ସଂଘର ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ କହିଲେ, ଝାରସୁଗୁଡ଼ାରେ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବାରୁ ଏଥର ସମ୍ବଲପୁରକୁ ରଣଜୀ ସମେତ ସବୁ ବୟସ ବର୍ଗର ମ୍ୟାଚ୍ ଦେବାକୁ ଆମେ ଓଡ଼ିଶା କ୍ରିକେଟ୍ ସଂଘକୁ ଅନୁରୋଧ କରିଥିଲୁ।

ଆମ ଅନୁରୋଧ ରକ୍ଷା କରି ଓସିଏ ପ୍ରଥମେ ହରିଆଣା ବିପକ୍ଷ କୁଚ୍‌ ବେହାର ଟ୍ରଫି ମ୍ୟାଚ୍ ଆୟୋଜନର ସୁଯୋଗ ଦେଇଛି। ମ୍ୟାଚ୍‌ ପାଇଁ ପିଚ୍‌, ପଡ଼ିଆ ଓ ପ୍ୟାଭିଲିୟନ୍‌ର ଆବଶ୍ୟକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମ୍ୟାଚ୍‌ ପାଇଁ ସମ୍ବଲପୁରର ଯୁବ ବ୍ୟାଟର୍‌ ଅଭିନବ ନନ୍ଦ ପ୍ରଥମ ଥର ଓଡ଼ିଶା ଦଳରେ ସାମିଲ ହୋଇଥିବା ବେଳେ ସମ୍ବଲପୁରର ବରିଷ୍ଠ ଖେଳାଳି ତଥା ଅମ୍ପାୟାର୍‌ ଅବିନାଶ ନନ୍ଦ ମ୍ୟାନେଜର୍‌ ଭାବେ ସୁଯୋଗ ପାଇଛନ୍ତି। ଝାରସୁଗୁଡ଼ାର ପୂର୍ବତନ ରଣଜୀ ତାରକା ଶୋଭନ ଦେବ ଓଡ଼ିଶା ଦଳର ପ୍ରଶିକ୍ଷକ ଅଛନ୍ତି। ପିଚ୍‌, ପଡ଼ିଆ ସହ ବର୍ତ୍ତମାନ ପାଗ ଭଲ ଥିବାରୁ ୪ ଦିନ ଧରି ଭଲ କ୍ରିକେଟ୍ ଦେଖିବାକୁ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଜିଲ୍ଲା କ୍ରୀଡ଼ା ସଂଘ ସଂପାଦକ ସୁନୀଲ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିବା‌ ବେଳେ ଉପସଭାପତି ସାବିର ଅହମ୍ମଦ ଧନ୍ୟବାଦ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ କ୍ରିକେଟ୍ ସଂପାଦକ ଅବିନାଶ ନନ୍ଦ, ଦୌଡ଼କୁଦ ସଂପାଦକ ବିକାଶ ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟ ରତିକାନ୍ତ ମହାନ୍ତି, ଶାନ୍ତନୁ ନନ୍ଦ, ବିଭୂତି ମିଶ୍ର, ମହମ୍ମଦ ଇସାକ୍ ଏବଂ ପଦ୍ମନାଭ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର