ନିର୍ମାଣାଧୀନ ପୋଲ ଭୁଶୁଡ଼ିଲା: ୧୧ ଗୁରୁତର

କୋଇଡ଼‌ା/ବଣାଇଁଗଡ଼ : ବଣାଇଁ ଉପଖଣ୍ଡ କୋଇଡ଼ା ବ୍ଲକ୍ ଅନ୍ତର୍ଗତ ଜାମୁଡିହି-କୁଞ୍ଜପାଣି ରାସ୍ତାରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ୨୫ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ୧୧ ଜଣଙ୍କୁ ଚିକିତ୍ସା‌ ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ‌ପୋଲର କଙ୍କ୍ରିଟ୍ ଢଲାଇ କାର୍ଯ୍ୟ ଚାଲିଥିବା ବେଳେ ସେଣ୍ଟ୍ରିଂ ଭୁଶୁଡ଼ି ଏହି ଦୁର୍ଘଟଣା ଘଟିଛି।

ଏହି ପୋଲ ନିର୍ମାଣ କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୧ କୋଟି ୧୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହେଉଛି। ବିହାର ରାଜ୍ୟର ଏନ୍‌ବିସିସି କମ୍ପାନୀ ଟେଣ୍ଡର ନେଇ କାର୍ଯ୍ୟ କରୁଛି। ଆଜି ପୋଲର କଙ୍କ୍ରିଟ ଢଳାଇ କାର୍ଯ୍ୟ ଚାଲିଥିଲା। ଏଥିରେ ସ୍ଥାନୀୟ ଜାମୁଡିହି ଓ କୁଡୁପାଣି ଗ୍ରାମର ଶ୍ରମିକ କାର୍ଯ୍ୟ କରୁଥିଲେ। ସେମାନଙ୍କ ପାଇଁ କମ୍ପାନୀ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନ ଥିଲା। କମ୍ପାନୀର କୌଣସି କର୍ମଚାରୀ କିମ୍ବା ବିଭାଗୀୟ ଯନ୍ତ୍ରୀ ସେଠାରେ ଉପସ୍ଥିତ ନ ଥିଲେ। ଢଳାଇ କାର୍ଯ୍ୟ ଚାଲୁଥିବା ବେଳେ ଆଜି ଦିନ ସାଢେ ୧୨ଟା ବେଳେ ହଠାତ୍ ସେଣ୍ଟ୍ରିଂଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ଶ୍ରମିକମାନେ ତଳକୁ ଖସି ପଡ଼ି ଆହତ ହୋଇଥିଲେ। ଆହତ ୨୫ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ କେ.ବଲାଙ୍ଗ, ଲହୁଣିପଡ଼ା ଏବଂ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ବଣାଇଁରେ ଚିକିତ୍ସାଧୀନ ଥିବା ସବରା ମୁଣ୍ଡାରୀ (୩୫), ଗମୀ ମୁଣ୍ଡାରୀ (୩୦), ରନୋ ମୁଣ୍ଡା (୨୫), ଗଙ୍ଗା ମୁଣ୍ଡାରୀ (୨୭), ଚିନ୍ତାମଣୀ ମୁଣ୍ଡାରୀ (୩୬), ଜାଲମନି ମୁଣ୍ଡାରୀ (୩୦), ମଙ୍ଗଳ ମୁଣ୍ଡାରୀ, ଗୁରୁବାରୀ ଓରାମ, ଶିବରାମ ମୁଣ୍ଡାରୀ ଏବଂ ବିହାର ରାଜ୍ୟର ଓଲଟପୁର ଅଞ୍ଚଳର ସନ୍ଥ କୁମାର ଓ ସନ୍ତୋଷ କୁମାରଙ୍କ ଅବସ୍ଥା ଗୁରୁତର ଥିବାରୁ ୧୧ ଜଣଙ୍କୁ ଚିକିତ୍ସା ପାଇଁ ରାଉରକେଲା ପଠାଯାଇଛି।

ସମ୍ବନ୍ଧିତ ଖବର