କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଉପରସଜା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିର୍ମାଣାଧୀନ କଲଭର୍ଟ ବା ଛୋଟ ବ୍ରିଜ ତଳେ ଗାଧୋଉଥିବା ସମୟରେ ତାହା ଭୁଶୁଡ଼ି ପଡ଼ିବା ଫଳରେ ୪ଜଣ ନାବାଳକଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଲକ୍ଷ୍ମୀଧର ମିଣିଆକା(୪୫), ପ୍ରିନ୍ସ ମିଣିଆକା, ସୁମନ ମିଣିଆକା (୫), ସାରନ ମିଣିଆକା(୫) ଓ ମନୋଜ ମିଣିଆକା (୫)।

Advertisment

ଲଗାଣ ବର୍ଷା ହେଉଥିବାରୁ ବ୍ରିଜତଳେ ୬ଜଣ ଗାଧୋଉଥିବା ବେଳେ ହଠାତ କଲଭର୍ଟ ଭୁଶୁଡ଼ି ପଡ଼ିବାରୁ ସେମାନେ ବ୍ରିଜ ତଳେ ଚାପି ହୋଇଯାଇଥିଲେ। ଖବର ପାଇ ଗ୍ରାମବାସୀ ପହଞ୍ଚି ଉଦ୍ଧାର କରିବା ସମୟରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୱେଷ ମିଣିଆକା(୫)ଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଦୁଇଟି ପରିବାରର ଦୁଇ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଏକ ପରିବାର ଜଣଙ୍କର ପ୍ରାଣହାନି ଘଟିଛି।

ଏଣେ ଖବର ପାଇ ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାସ, ଜିଲ୍ଲା ଆରକ୍ଷୀ ବିବେକାନନ୍ଦ ଶର୍ମା, ଏସ ଡିପିଓଆର ସେନାପତି , ବିଡିଓ ସୁନିଲ ଖରା, ତହସିଲଦାର ସୁଧାକର ରଇତ, ଥାନା ଅଧିକାରୀ ସୁମନ୍ତୀ ମହାନ୍ତି , ଅଗ୍ନିଶମ ବିଭାଗ ଅଧିକାରୀ ବଳରାମ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତ ପରିବାରକୁ ସମବେଦନା ଜଣାଇଥିଲେ। ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାଯାଇଛି।ଅନ୍ୟ ପଟେ ସ୍ୱାମୀ ଲକ୍ଷ୍ମୀଧର ଓ ପୁଅ ପ୍ରିନ୍ସଙ୍କ ମୃତ୍ୟୁ ସହି ନପାରି ସ୍ତ୍ରୀ ଦୀପାଇ ମିଣିଆକା ବିଷପାନ କରି ଆହତ ହୋଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏହାର ତଦନ୍ତ କରିବା ପରେ ମୃତ ପରିବାରକୁ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି।