ଭୁଶୁଡ଼ିଲା ନିର୍ମାଣାଧୀନ କୁଶେଇ ସେତୁ; ୩ ଗୁରୁତର, ନିମ୍ନମାନର କାମ ସନ୍ଦେହ

ଆନନ୍ଦପୁର : ପାଣିକୋଇଲି-ରିମୁଳି ୨୦ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ ‌ବେଲବାହାଳିଠାରେ କୁଶେଇ ନଦୀ ଉପରେ ନିର୍ମାଣାଧୀନ ଦ୍ବିତୀୟ ସେତୁଟି ଭୁଶୁଡ଼ି ପଡ଼ିଛି। ଏଥିରେ ତିନିଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବ୍ରହ୍ମପୁରର ଶଙ୍କର ଦାସ (୪୦), ଗଗନ ମହାନ୍ତି (୪୮) ଓ ପଶ୍ଚିମବଙ୍ଗର କୁମାର ଫାରୁକ୍ (୨୪)। ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଶଙ୍କର ଓ ଗଗନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୋଲ ଭୁଶୁଡ଼ିବା ପରେ କାମର ମାନକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ମେସିନ ସାହାଯ୍ୟରେ ଦୁଇଟି ଗାର୍ଡର ବିମ୍‌କୁ ଉପରେ ଥିବା ପିଲାର କପ୍ ଉପ‌ରେ ରଖାଯାଉଥିଲା। ଏହିସମୟରେ ହଠାତ୍ ପିଲାରଟି ଭାଙ୍ଗି ପଡ଼ିଥିଲା। ଦୁଇଟି ବିମ୍ ମଧ୍ୟ ଭାଙ୍ଗିଯାଇ ତଳକୁ ଖସି ପଡ଼ିଥିଲା। ଫଳରେ, କାମ କରୁଥିବା ଶ୍ରମିକମାନେ ଆହତ ହୋଇଥିଲେ। ଖବର ପାଇ ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ, ଏନେଇ ଆହତଙ୍କ ପକ୍ଷରୁ କୌଣସି ଅଭିଯୋଗ ହୋଇନଥିବାରୁ ମାମଲା ରୁଜୁ କରାଯାଇ ନାହିଁ।
ଏପଟେ ଏହି ଅଘଟଣ ପରେ ଠିକାସଂସ୍ଥା ଏଆରଏସ୍‌ଏସ୍‌ର କର୍ମଚାରୀମାନେ ଶିବିର ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର