ନିର୍ମାଣାଧୀନ ରେଳବ୍ରିଜ୍‌ରୁ ଖସିଲା ସ୍ଲାବ୍‌, ଦକ୍ଷିଣପୂର୍ବ ରୁଟ୍‌‌ରେ ଦିନତମାମ ବନ୍ଦ ରହିଲା ଟ୍ରେନ୍‌ ଚଳାଚଳ

ବାଲେଶ୍ୱର : ରବିବାର ପୂର୍ବାହ୍‌ଣରେ ବାଲେଶ୍ବର ରେଳଷ୍ଟେସନ୍‌ ଦକ୍ଷିଣ ପାର୍ଶ୍ବରେ ନିର୍ମାଣଧୀନ ଏକ ଓଭରବ୍ରିଜ୍‌ ଉପରୁ ଗୋଟିଏ ଗାର୍ଡର (ଲୁହାସ୍ଲାବ୍‌) ତଳକୁ ଖସି ପଡ଼ିବା ସହ ଉପରେ ଆଉ ଦୁଇଟି ସ୍ଲାବ୍‌ ବଙ୍କା ହୋଇ ତଳକୁ ନଇଁ ପଡ଼ିଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଖସି ପଡ଼ିଥିବା ଗାର୍ଡର ‌ଯୋଗୁଁ ରେଳ ଧାରଣା ଉପର ଦେଇ ଯାଇଥିବା ସମସ୍ତ ବିଦ୍ୟୁତ୍‌ ତାର ଛିଡ଼ିଯାଇଛି। ଫଳରେ ବାଲେଶ୍ବର ଦେଇ ଦକ୍ଷିଣପୂର୍ବ ରୁଟ୍‌ରେ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍ ୬ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିଥିଲା। ସନ୍ଧ୍ୟା ସାଢେ ୫ଟା ପରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିବା ଖବର ମିଳିଛି।

ସୂଚନାଯୋଗ୍ୟ, ବାଲେଶ୍ବର ସହରରୁ ଶୋଭାରାମପୁର, ଭାସ୍କରଗଞ୍ଜ ଓ ରେମୁଣା ଅଞ୍ଚଳକୁ ଯାଇଥିବା ରାସ୍ତା ତଥା ବାଲେଶ୍ବର ‌ରେଳ ଷ୍ଟେସନ୍‌ର ଦକ୍ଷିଣ ପାର୍ଶ୍ବରେ ଏହି ଓଭରବ୍ରିଜ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ରେଳଧାରଣା ଯାଇଥିବା ଅଂଶର ଉଭୟ ପାର୍ଶ୍ବରେ ନିର୍ମିତ ଦୁଇଟି ଖମ୍ଭ ଉପରେ ଆଜି ୬ଟି ଗାର୍ଡର୍‌ (ସ୍ଲାବ୍‌) କ୍ରେନ୍‌ ସାହାଯ୍ୟରେ ବସାଯିବାର ଥିଲା। ଏଥିପାଇଁ ଉକ୍ତ ରାସ୍ତା ଦେଇ ଆଜି ସକାଳୁ ଯାନବାହ‌ନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରଖାଯିବା ସହ ୫ ଘଣ୍ଟା‌ ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ନିର୍ମାଣ କାମ ଚାଲିଥିବାବେଳେ ପୂର୍ବାହ୍‌ଣ ପ୍ରାୟ ସାଢ଼େ ୧୧ଟା ବେଳକୁ ହଠାତ ଗୋଟିଏ ଗାର୍ଡର୍‌ ତଳକୁ ଗଳିପଡ଼ିଥିଲା। ପରକୁ ପର ତୃତୀୟ ଏବଂ ଚତୁର୍ଥ ଗାର୍ଡର୍‌ ମଧ୍ୟ ବଙ୍କିଯାଇ ତଳକୁ ଓହଳି ପଡ଼ିଥିଲା। ଏଥିଯୋଗୁଁ ରେଳଧାରଣା ଉପରେ ଯାଇଥିବା ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ତାର ଛିଡ଼ିଯାଇଥିଲା। ଅଘଟଣ ଆଶଙ୍କାରେ ଆଖପାଖ ଅଞ୍ଚଳକୁ ରେଳ ସୁରକ୍ଷା ବଳ (ଆରପିଏଫ୍‌) ଓ ସ୍ଥାନୀୟ ପୁଲିସ ତରଫରୁ ସମ୍ପୂର୍ଣ୍ଣ ସିଲ୍‌ କରି ଦିଆଯାଇଥିଲା। ଖବର ପାଇ ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ୍‌ର ଡିଆର୍‌ଏମ୍ ମନୋରଞ୍ଜନ ପ୍ରଧାନ ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଟ୍ରେନ୍‌ ଚଳାଚଳ ସ୍ବାଭାବିକ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରାଇଥିଲେ। କ୍ରେନ୍‌ ସାହାଯ୍ୟରେ ସମସ୍ତ ଗାର୍ଡରଗୁଡ଼ିକୁ ଖମ୍ବ ଉପରୁ ତଳକୁ ଅଣାଯିବା ପରେ ତଳେ ପଡ଼ିଥିବା ଗାର୍ଡରକୁ ଗ୍ୟାସ୍‌ କଟରରେ କଟାଯାଇ ରେଳଧାରଣା ଉପରୁ ହଟାଯାଇଥିଲା।

ରେଲୱେ ଡିଭିଜନାଲ୍‌ ଟ୍ରାଫିକ୍‌ ଇନ୍ସପେକ୍ଟର ଆଶିଷ କୁମାର ଖୁଣ୍ଟିଆଙ୍କ ସୂଚନା ମୁତାବକ, ଓଭରବ୍ରିଜ୍ କାମ ରେଲୱେ ନିର୍ମାଣ ବିଭାଗ ଦ୍ବାରା କରାଯାଉଥିଲା। କେଉଁ କାରଣରୁ ସ୍ଲାବ୍‌ ଖସିଲା ଓ କେଉଁଠି ତ୍ରୁଟି ରହିଲା ତାର ତଦନ୍ତ କରାଯିବ। ଏହି ରୁଟ୍‌ରେ ରେଳ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ଜୋରସୋରରେ କାମ ଚାଲିଛି। ତେବେ ଏଥିପାଇଁ କୌଣସି ଟ୍ରେନ୍‌ ବାତିଲ ହୋଇନାହିଁ, କେବଳ ବିଭିନ୍ନ ସ୍ଥାନରେ ଟ୍ରେନ୍‌ଗୁଡ଼ିକୁ ଅଟକାଯାଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସଂଧ୍ୟା ସୁଦ୍ଧା ରେଳଧାରଣା ମରାମତି ପରେ ଅଟକି ରହିଥିବା କିଛି ମାଲବାହୀ ଟ୍ରେନ୍‌ଗୁଡ଼ିକୁ ଡିଜେଲ ଇଞ୍ଜିନ୍‌ ସାହାଯ୍ୟରେ ସେହି ସ୍ଥାନ ପାର୍‌ କରାଯ‌ାଇଛି। ସ୍ଥିତି ସ୍ବାଭାବିକ ପାଇଁ ରେଳ ବିଭାଗର ଏକାଧିକ ଅଧିକାରୀ, ଇଞ୍ଜିନିୟର୍‌, ମେକାନିକ୍‌ ଓ କର୍ମଚାରୀ କାମରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର