ବନ୍ଧୁ ହେବ ତ ଏମିତି: ପୂରା କଲେ ମୃତ ବନ୍ଧୁଙ୍କ ଅଧାଗଢ଼ା ଘର

ସୁନ୍ଦରଗଡ଼: ‘ଉତ୍ସବେ ବ୍ଯସନ ଚୈବ, ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଲବେ। ରାଜଦ୍ବାରେ ଶ୍ମଶାନ ଚ ଯ ତିଷ୍ଠତି ସ ବାନ୍ଧବଃ’। ଏହି ସଂସ୍କୃତ ବାଣୀ ଭିତରେ ରହିଛି ସଠିକ ବନ୍ଧୁତ୍ବର ପରିଭାଷା। ଏହାକୁ କାର୍ଯ୍ଯରେ ଦେଖାଇ ବନ୍ଧୁପ୍ରେମର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ସୁନ୍ଦରଗଡ଼ର କିଛି ଯୁବକ। ନିକଟରେ ପ୍ରାଣ ହରାଇଥିବା ଜଣେ ବ୍ଯକ୍ତିଙ୍କ ଅଧାଗଢ଼ା ଘରକୁ ତାଙ୍କ ସ୍କୁଲବେଳର ସହପାଠୀ ମିଶି ପୂରା କରି ଦେଇଛନ୍ତି।

ମଇ ୨୪ ତାରିଖରେ ରାଣିବଗିଚା ବାସିନ୍ଦା ତଥା ପୂର୍ବତନ କ୍ରୀଡ଼ାବିତ ସୁଶାନ୍ତ କୁମାର ଧର ଆଦର୍ଶନଗର ସ୍ଥିତ ଭଡାଘରକୁ ଯାଉଥିବା ବେଳେ ବାଇକରୁ ପଡ଼ି ପ୍ରାଣ ହରାଇଥିଲେ। ପଛରେ ଛାଡ଼ି ଯାଇଥିଲେ ବିଧବା ପତ୍ନି ଓ ଏକ କନ୍ୟା ସନ୍ତାନ ।
ସବୁ ଲୋକଙ୍କ ଭଳି ସ୍ବର୍ଗତ ସୁଶାନ୍ତ ମଧ୍ଯ ଏକ ଘର ତିଆରି କରିବାର ସ୍ବପ୍ନ ଦେଖିଥିଲେ। ରାଣୀବଗିଚା ରାଧାକୃଷ୍ଣ ମନ୍ଦିର ପଛପଟେ ନିଜର ଏକ ଘର ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ଘର ତିଆରି ଅଧାରେ ରହି ଯାଇଥିଲା। ବିଧବା ପତ୍ନୀ ବି ଚିନ୍ତା ରେ ପଡ଼ିଯାଇଥିଲେ। ଅଧା ଗଢ଼ା ଘର କେମିତି ଶେଷ ହେବ ବୁଦ୍ଧିବାଟ ପାଇ ନଥିଲେ। ଏହି ସମୟରେ ସୁଶାନ୍ତଙ୍କ ୧୯୮୯ ବ୍ଯାନର ସହପାଠୀ ଆଗେଇ ଆସିଲେ। ସମସ୍ତ ବନ୍ଧୁ କେମିତି ସୁଶାନ୍ତ ଙ୍କ ଅର୍ଧନିର୍ମିତ ଘରକୁ ସମ୍ପୁର୍ଣ୍ଣ କରିବେ, ସେ ନେଇ ଯୋଜନା କଲେ। ଏହା ଏକ ବନ୍ଧୁଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ଭାବି ବାହାରେ, ଦୂର ଦୂରାନ୍ତରରେ ରହୁଥିବା ବନ୍ଧୁ ମଧ୍ଯ ସହଯୋଗର ହାତ ବଢ଼ାଇଲେ। ଶୁକ୍ରବାର ବନ୍ଧୁମାନେ ଲକ୍ଷାଧିକ ଟଙ୍କା ଠୁଳ କରି ଛାତ ପକାଇ ଦେଇଛନ୍ତି। ଆଗକୁ ଘର ସମ୍ପୂର୍ଣ୍ଣ କରି ବନ୍ଧୁପତ୍ନୀଙ୍କ ହାତରେ ସମର୍ପି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସୁନ୍ଦରଗଡ଼ରେ ଏ ବନ୍ଧୁପ୍ରେମ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର