ପରିବହନ ଟେଣ୍ଡର ପାଇଁ ଲାଞ୍ଚ: ଏଫ୍‌ସିଆଇରେ ସିବିଆଇ ପଶିଲା

ଭୁବନେଶ୍ବର: ଓଡ଼ିଶାରେ ଏଫ୍‌ସିଆଇର ଚାଉଳ ପରିବହନ ଟେଣ୍ଡର ହାତେଇବା ଘଟଣାରେ ଏକ ବଡ଼ ଧରଣର ଦୁର୍ନୀତି ଓ ଲାଞ୍ଚ କାରବାର ସାମ୍ନାକୁ ଆସିଛି। ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ପକ୍ଷରୁ ଓଡ଼ିଶା ସମେତ କଲିକତାରେ ଚଢ଼ାଉ ହୋଇଛି। ଆପରାଧିକ ଷଡ଼୍‌ଯନ୍ତ୍ର ଓ ଅହେତୁକ ଅନୁକମ୍ପା ଦେଖାଇ ତାହା ପ୍ରତିବଦଳରେ ଲାଞ୍ଚ କାରବାର ଅଭିଯୋଗରେ ଏଫ୍‌ସିଆଇ ଓଡ଼ିଶାର ଆଞ୍ଚଳିକ ମହାପ୍ରବନ୍ଧକ ପ୍ରେମ ସିଂହ ବାହାନୋଟ, ମ୍ୟାନେଜର(ଆକାଉଣ୍ଟସ୍) ସଂଜୟ ଦେଙ୍କ ସମେତ ୫ଜଣଙ୍କୁ ସିବିଆଇ ଜାଲରେ ଛନ୍ଦିଛି। ଟେଣ୍ଡର ଆବେଦନକାରୀ ଦକ୍ଷିଣ ୨୪ ପ୍ରଗଣାର ସୌମୀ ଭଟ୍ଟାଚାର୍ଯ୍ୟ, କୋଲକାତାର ମଧ୍ୟସ୍ଥତା କରୁଥିବା ସ୍ବପନ କୁମାର ଘୋଷାଲ, ଓଭରସିଜ୍ ଟ୍ରେଡିଂ ସଂସ୍ଥାର ସୟଦ ହସନୈନ ଅହମ୍ମଦଙ୍କ ସମେତ ଏକାଧିକ ମଧ୍ୟସ୍ଥ ଓ କିଛି ଫାର୍ମ ଏହି ଷଡ଼୍‌ଯନ୍ତ୍ରରେ ସାମିଲ ଥିବା ଅଭିଯୋଗ ହୋଇଛି। ସିବିଆଇ ୧୨୦ (ବି) ଆପରାଧିକ ଷଡ଼୍‌ଯନ୍ତ୍ର, ୭, ୮, ୯, ୧୦, ୧୨ ପିସି ଆଇନରେ ମାମଲା ରୁଜୁ କରିବା ସହ ସେମାନଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରି ବହୁ ଗୁରୁତ୍ବପୂର୍ଣ ଦସ୍ତାବିଜ ଜବତ କରିଛି। ଚଢ଼ାଉ ବେଳେ ମହାପ୍ରବନ୍ଧକ ଶ୍ରୀ ବାହନୋଟ, ମ୍ୟାନେଜର ସଂଜୟ ଦେଙ୍କୁ ସିବିଆଇ ନିଜ କାର୍ଯ୍ୟାଳୟକୁ ନେଇ ପଚରାଉଚରା ଜାରି ରଖିଛି।

ମିଳିଥିବା ସୂଚନା ଅନୁସାରେ, ଚାଉଳ ପରିବହନ ଟେଣ୍ଡର ପାଇଁ ୨୪ ପ୍ରଗଣାର ସୌମୀ ଭଟ୍ଟାଚାର୍ଯ୍ୟ ଏକ ଅଜଣା ଫାର୍ମ ପକ୍ଷରୁ ଟେଣ୍ଡର ଆବେଦନ କରିଥିଲେ। ଏଫ୍‌ସିଆଇର ମହାପ୍ରବନ୍ଧକ ପ୍ରେମ ସିଂହ ବାହନୋଟ ଅନୁକମ୍ପା ଦେଖାଇବା ସହ ଏହି ଫାର୍ମକୁ ଟେଣ୍ଡରରେ ଏଲ-୧ ଦର୍ଶାଇଥିଲେ। କୋଲକାତାର ମଧ୍ୟସ୍ଥ ସ୍ବପନ କୁମାର ଘୋଷାଲଙ୍କୁ ଶ୍ରୀ ବାହନୋଟ ଯୋଗାଯୋଗ କରିବା ସହ ଶ୍ରୀମତୀ ଭଟ୍ଟାଚାର୍ଯ୍ୟଙ୍କଠାରୁ ୫ଲକ୍ଷ ଟଙ୍କା ଦାବି କରିଥିଲେ। ସେ ଆକାଉଣ୍ଟସ୍‌ ମ୍ୟାନେଜର ସଞ୍ଜୟ ଦେଙ୍କ ସହ ମଧ୍ୟ ଯୋଗାଯୋଗରେ ରହିଥିଲେ। ୨୬ ତାରିଖରେ ଅର୍ଥ ପ୍ରଦାନ ପାଇଁ ଟେଣ୍ଡର ଆବେଦନକାରୀ ଶ୍ରୀମତୀ ଭଟ୍ଟାଚାର୍ଯ୍ୟ ଶ୍ରୀ ବାହାନୋଟ୍‌ଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦେଖା କରିବା ସହ ଅଗ୍ରୀମ ୨ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି କହିଥିଲେ। ସୌମୀ ଦୁଇଟି ପର୍ଯ୍ୟାୟରେ ଶ୍ରୀ ବାହାନୋଟ୍‌ଙ୍କୁ ସାଢ଼େ ୪ଲକ୍ଷ ଟଙ୍କା ଦେଇଥିଲେ। ପ୍ରଥମ ୨ଲକ୍ଷ ସରକାରୀ କାର୍ଯ୍ୟାଳୟରେ ଓ ବଳକା ୨ଲକ୍ଷ ତାଙ୍କ ବାସଭବନରେ ଦେଇଥିଲେ। ଏହିଭଳି ଭାବରେ ଚାଉଳ ଟେଣ୍ଡର ହାତେଇବା ପାଇଁ ବଡ଼ ଧରଣର ଲାଞ୍ଚ କାରବାର ସହ ଆପରାଧିକ ଷଡ଼୍‌ଯନ୍ତ୍ର ହୋଇଥିବା ସିବିଆଇ ନଜରକୁ ଆସିଥିଲା। ସିବିଆଇ ଏ ନେଇ ଚଢ଼ାଉ କରିବା ସହିତ ଅଧିକ ପଚରାଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର