ମାଗଣା ଚଳଚ୍ଚିତ୍ର ଦେଖାଇବା ବାହାନାରେ ହେଉଛି ସାଇବର୍‌ ଠକେଇ

ସତର୍କ ହୁଅନ୍ତୁ, ନହେଲେ ହୋଇଯିବ ଆକାଉଣ୍ଟ ଖାଲି

ସମ୍ବଲପୁର: କୋଭିଡ୍‌ କଟକଣା ହଟିବା ପରେ ପୂର୍ଣ୍ଣ କ୍ଷମତାରେ ସିନେମା ହଲ୍‌ ଚାଲିବା ଆରମ୍ଭ ହୋଇଥିଲା। ଏହାପରେ ଧୀରେ ଧୀରେ ଚଳଚ୍ଚିତ୍ର ଜଗତ ପୁଣିଥରେ ଚଳଚଞ୍ଚଳ ହୋଇଛି। ପୂର୍ବଭଳି ପ୍ରତି ଶୁକ୍ରବାର ନୂଆ ନୂଆ ଚଳଚ୍ଚିତ୍ର ରିଲିଜ୍‌ ହେବାରେ ଲାଗିଛି। ନିକଟରେ ରିଲିଜ୍‌ ହୋଇଥିବା କିଛି ଫିଲ୍ମ ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିବା ବେଳେ ଅନେକ ଲୋକ ବ୍ଲାକ୍‌ରେ ଟିକେଟ୍‌ କିଣି ଫିଲ୍ମ ଦେଖିବା ନଜରକୁ ଆସିଛି। ତେବେ ଅନେକ ଲୋକ ଟିକେଟ୍‌ ନପାଇ ଫିଲ୍ମ ଦେଖିବାରୁ ବଞ୍ଚିତ ଥିବା ବେଳେ ଆଉକିଛି ଟଙ୍କା ଖର୍ଚ୍ଚ ନ କରି ଫିଲ୍ମ ଦେଖିବାକୁ ଚାହିଥାନ୍ତି। ସେଭଳି ଲୋକଙ୍କୁ ଏବେ ସାଇବର୍‌ ଠକମାନେ ଟାର୍ଗେଟ୍‌ କରୁଛନ୍ତି। ପୁଷ୍ପା, କାଶ୍ମୀର ଫାଇଲ, ଆର୍‌ଆର୍‌ଆର୍‌, ବଚପନ୍‌ ପାଣ୍ଡେ ଭଲି ଚଳଚ୍ଚିତ୍ର ନାମରେ ସାଇବର ଠକମାନେ ଲୋକଙ୍କୁ ଠକିବାକୁ ଜାଲ ବିଛାଉଛନ୍ତି। ଲୋକଙ୍କୁ ମାଗଣା ଚଳଚ୍ଚିତ୍ର ଦେଖାଇବା ବାହାନାରେ ସାଇବର ଠକମାନେ ମୋବାଇଲ୍ ଫୋନ୍ ହ୍ୟାକ୍ କରୁଛନ୍ତି ଏବଂ ଖାତା ଖାଲି କରୁଛନ୍ତି। ଏହି ପରିପେକ୍ଷୀରେ, ଏଡିସିପି ନୋଏଡା ଟ୍ୱିଟ୍ କରି ଲୋକଙ୍କୁ ଏହି ଲିଙ୍କ୍ ବିଷୟରେ ସତର୍କ ରହିବାକୁ ସଚେତନ କରିଛନ୍ତି।

କେମିତି ହୁଏ ଠକେଇ 

ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଫିଲ୍ମ ନାମରେ ଏହି ଲିଙ୍କ୍ ପଠାଇ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ମାଗଣା ଚଳଚ୍ଚିତ୍ର ଦେଖିବା ଲୋଭରେ ଲୋକେ ଠକେଇର ଶିକାର ମଧ୍ୟ ହେଉଛନ୍ତି। ଯେତେବେଳେ ଲୋକେ ସେହି ଲିଙ୍କ୍ ଖୋଲୁଛନ୍ତି, ଅଭିଯୁକ୍ତ ମାନେ ମୋବାଇଲ୍ ହ୍ୟାକ୍ କରିବା ସହ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଛନ୍ତି। ଠକ ପଠାଉଥିବା ଲିଙ୍କ୍‌ରେ ମାଲ୍‌ୱେର୍‌ ଭାଇରସ୍‌ ଥାଏ। ଲିଙ୍କ କ୍ଲିକ୍‌ କରିବା ଦ୍ବାରା ଏହି ଭାଇରସ୍‌ ଆପଣଙ୍କ ମୋବାଇଲ୍‌ରେ ପ୍ରବେଶ କରିଥାଏ। ତାପରେ ଏହି ଭାଇରସ୍‌ ମୋବାଇଲରେ ଥିବା ଗୋପନୀୟ ତଥ୍ୟ, ପିନ୍‌, ମୋବାଇଲ୍‌କୁ ଆସୁଥିବା ଓଟିପି ଆଦିକୁ ସାଇବର୍‌ ଠକ ପାଖକୁ ପଠାଇଥାଏ। ଯାହା ଦ୍ବାରା ସାଇବର୍‌ ଠକ ଠକେଇ କରିଥାଏ।

କେମିତି ବର୍ତ୍ତିବେ

ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଅଜଣା ସୋର୍ସରୁ ଆସୁଥିବା କୌଣସି ଲିଙ୍କ୍ ଉପରେ କ୍ଲିକ ନକରିବାକୁ ସାଇବର୍‌ ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି। କେହି ଯଦି ଓଟିପି, ବ୍ୟାଙ୍କ ସମ୍ବନ୍ଧୀୟ କିମ୍ବା ବ୍ୟକ୍ତିଗତ ଗୋପନୀୟ ତଥ୍ୟ ମାଗନ୍ତି ତେବେ ଦିଅନ୍ତୁ ନାହିଁ। ନିଜର ଆବଶ୍ୟକ ନଥିଲେ ଏନି ଡେସ୍କ ଭଲି ରିମୋର୍ଟ କଣ୍ଟ୍ରୋଲ୍‌ ଆପ୍‌ ମୋବାଇଲ୍‌ରେ ନ ରଖିବାକୁ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର