ଭଗବାନଙ୍କୁ ବଞ୍ଚାଇଲେ ଭଗବାନ

ନୀଳଗିରି/ଔପଦା: ରଖେ ହରି ମାରେ କିଏ? ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ନୟାପାଟଣା ଗାଁର ଭଗବାନ ସଙ୍କ କ୍ଷେତ୍ରରେ। ଟ୍ରକ୍‌ ଚଢ଼ିଯିବା ପରେ ଭଗବାନ୍ ଗାଡ଼ିତଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଚାପି ହୋଇ ରହିଥିଲେ। ଶେଷରେ ଜେସିବିରେ ରାସ୍ତା ଖୋଳି ଭଗବାନଙ୍କୁ ଉଦ୍ଧାର କରାଯାଇଛି। ଈଶ୍ବରଙ୍କ ଆଶୀର୍ବାଦରୁ ଭଗବାନଙ୍କୁ ପୁନଃଜନ୍ମ ମିଳିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଔପଦା ବ୍ଲକ୍‌ ଅଧୀନ ନୟାପାଟଣା ଗାଁର ରାମକୃଷ୍ଣ ସଙ୍କ ପୁଅ ଭଗବାନ ସ (୫୫) ସନ୍ତରାଗଡ଼ିଆ କଲେଜ ନିକଟରେ ଏକ ଚା ଦୋକାନ କରିଛନ୍ତି। ଗତକାଲି ରାତି ପ୍ରାୟ ୯ଟା ବେଳେ ସେ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ନୀଳଗିରିରୁ ବଉଳଗଡ଼ିଆ ଆଡ଼କୁ ଯାଉଥିବା ଏକ ଧାନ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ତାଙ୍କ ଉପରେ ଚଢ଼ିଯାଇଥିଲା। ଟ୍ରକ୍‌ ତଳେ ଭଗବାନ ଚାପି ହୋଇ ରହିଥିବାବେଳେ ସ୍ଥାନୀୟ ଲୋକେ ରୁଣ୍ଡହୋଇ ତାଙ୍କୁ ଉଦ୍ଧାର ପାଇଁ ଆପ୍ରାଣ ଚେଷ୍ଟା କରିଥିଲେ। ହେଲେ, ସଫଳ ହୋଇ ପାରି ନଥିଲେ। ପରେ ଦୁର୍ଘଟଣାସ୍ଥଳକୁ ୪ଟି ଜେସିବି ଅଣାଯାଇଥିଲା।। ଦୀର୍ଘ ୨ ଘଣ୍ଟା ପରେ ଟ୍ରକ୍‌ ତଳୁ ଭଗବାନ ଉଦ୍ଧାର ହୋଇଥିଲେ।

ଟ୍ରକ୍‌ ତଳେ ଚପି ବାପା-ପୁଅ ମୃତ

Advertisment

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ୧୬ ନମ୍ବର୍ ଜାତୀୟ ରାଜପଥର ବଡ଼ଘାଟିରେ ଆଜି ଭୋର୍‌ରୁ ଏକ ମାଲ୍ ବୋଝେଇ ଟ୍ରକ୍ ଓଲଟି ପଡ଼ିବାରୁ ଏହାତଳେ ଚାପି ହୋଇ ବାଇକ୍‌ରେ ଥିବା ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ପୁରୁଷୋତ୍ତମପୁର ବ୍ଲକ୍ ସମା ବଜରଙ୍ଗସାହିର ବାବୁଲା ପ୍ରଧାନ(୪୫) ଓ ତାଙ୍କ ପୁଅ ରାକେଶ ପ୍ରଧାନ(୨୦)।

ଉଭୟ ବାପାପୁଅ କାମ କରିବା ପାଇଁ ଭୋର୍‌ରୁ ବାଇକ୍ ଯୋଗେ ଭେଜିପୁଟ ଯାଉଥିବା ବେଳେ ବଡ଼ଘାଟିଠାରେ ଉକ୍ତ ମାଲ୍ ବୋଝେଇ ଟ୍ରକ୍‌ଟି ଓଲଟିପଡ଼ି ତାଙ୍କ ବାଇକ୍‌ ଉପରେ ପଡ଼ିଥିଲା। ପ୍ରବଳ କୁହୁଡ଼ି ଯୋଗୁଁ ସେମାନେ ଟ୍ରକ୍ ତଳେ ଚାପି ହୋଇ ଯାଇଥିବା କେହି ଜାଣିପାରି ନଥିଲେ। ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲେ ହେଁ ଗାଡ଼ିଟିକୁ ଛିଡ଼ା କରାଇବା ପାଇଁ ତତ୍ପରତା ଦେଖାଇ ନଥିଲେ। ପରେ ଟ୍ରକ୍‌ରେ ମାଲ୍ ନେଉଥିବା ବ୍ୟବସାୟୀ କିଛି ଶ୍ରମକଙ୍କୁ ଲଗାଇ ମାଲ୍ ଖଲାସ କରି ପାର୍ଶ୍ବରେ ରଖୁଥିବା ସମୟରେ ଟ୍ରକ୍‌ ତଳେ ଏକ ବାଇକ୍ ଚାପି ହୋଇଥିବା ଜଣା ପଡ଼ିଥିଲା। ଏହାପରେ ପୁଲିସ ତୁରନ୍ତ ଟ୍ରକ୍‌ଟିକୁ ଉଠାଇବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ, ବହୁତ ପୂର୍ବରୁ ବାପା ପୁଅଙ୍କର ମୃତ୍ୟୁ ହୋଇ ସାରିଥିଲା।