ଫୁଲବାଣୀ ଜିଲ୍ଲା କାରାଗାରର ବିଚାରାଧୀନ କଏଦୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଫୁଲବାଣୀ : ଫୁଲବାଣୀସ୍ଥିତ ଜିଲ୍ଲା କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କଏଦୀଙ୍କ ନାମ ମୃତ୍ୟୁଞ୍ଜୟ କହଁର (୩୮) ଏବଂ ତାଙ୍କ ଘର ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ଜାରକିକେତା ଗ୍ରାମରେ ବୋଲି ଜଣାପଡ଼ିଛି। ତେବେ ତାଙ୍କୁ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ମୃତ କଏଦୀଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବିରେ ଆଜି ଗୋଚ୍ଛାପଡ଼ା ଥାନା ସମ୍ମୁଖରେ ଶବ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ସ୍ଥାନୀୟ ଲୋକେ ଗୋଛାପଡ଼ା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ମୃତ୍ୟୁଞ୍ଜୟ କହଁରଙ୍କୁ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗୋଚ୍ଛାପଡ଼ା ପୁଲିସ ଗିରଫ କରିଥିଲା। ଏହି ମାମଲାରେ ମୃତ୍ୟୁଞ୍ଜୟ ବିଚାରାଧୀନ କଏଦୀ ଭାବେ ଫୁଲବାଣୀ କାରାଗାରରେ ରହୁଥିଲେ। କିନ୍ତୁ ଗତ ମାର୍ଚ୍ଚ ମାସ ୧୬ ତାରିଖ ଦିନ ମୃତ୍ୟୁଞ୍ଜୟ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନ ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ‌କୁ ନିଆ ଯାଇଥିଲା। ତେବେ ଗତକାଲି ତାଙ୍କର ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ହୋଇ ଯାଇଥିଲା। ପରିବାର ଲୋକେ ତାଙ୍କ ମୃତଦେହକୁ ବ୍ରହ୍ମପୁର ମେଡିକାଲରୁ ଆଣିବା ପରେ ଆଜି ସକାଳୁ ତାଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ଗୋଚ୍ଛାପଡ଼ା ରାସ୍ତା ଅବରୋଧ କରିଥିଲେ। ତେବେ ଗୋଚ୍ଛାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଗ୍ରାମବାସୀ ରାସ୍ତା ଅବରୋଧରୁ ହଟିଥିଲେ।
ସମ୍ବନ୍ଧିତ ଖବର