ହାଣ୍ଡିଧୂଆଁ ଭୂତଳ କୋଇଲା ଖଣି: ୫ରୁ ୨ ଜୋନ୍‌ରେ ଭର୍ତ୍ତି ହେଉଛି ବାଲି

ତାଳଚେର : ତାଳଚେର ଭୂଗର୍ଭରୁ କୋଇଲା ଖୋଳିନେବା ପରେ କିଛି କୋଇଲା ସ୍ତମ୍ଭ ଉପରେ ଭୂପୃଷ୍ଠ ଅଟକି ରହିଛି। ଫମ୍ପା ଖଣିରେ ବାଲି ଭର୍ତ୍ତି କରାଯିବା ନିୟମ ରହିଛି। ନିୟମିତ ବାଲି ଭର୍ତ୍ତି କରାଯାଉ ନଥିବାରୁ ତାଳଚେର ସହର ପ୍ରତି ବିପଦ ଆଶଙ୍କା ଲାଗି ରହିଛି। ଏଥିଯୋଗୁଁ ଅଞ୍ଚଳବାସୀ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ତାଳଚେର, ହାଣ୍ଡିଧୂଆଁ ଏବଂ ଦେଉଳବେଡ଼ା ଭୂତଳ ଖଣି ପ୍ରକଳ୍ପ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ମୁତାବକ, ହାଣ୍ଡିଧୂଆଁ ଭୂତଳ କୋଇଲା ଖଣି ଅଧୀନରେ ମୋଟ ୫ଟି ଜୋନ୍‌ ରହିଛି। ଏହି ୫ଟି ଜୋନ୍‌ ମଧ୍ୟରୁ ମାତ୍ର ୨ଟି ଜୋନ୍‌ ୧ ନମ୍ବର ଓ ୨ ନମ୍ବରରେ ବାଲି ଭର୍ତ୍ତି କରାଯାଉଥିବା ଖଣି ପ୍ରକଳ୍ପ ଅଧିକାରୀ ଦାଶରଥି ସାହୁ କହିଛନ୍ତି। ଏହି କୋଇଲା ଖଣିରୁ‌ ୧୯୯୮ ମସିହାରୁ କୋଇଲା ଉତ୍ତୋଳନ ବନ୍ଦ ରହିଛି। ଖଣି ଶୂନ୍ୟସ୍ଥାନ ଭରିବା ପାଇଁ ୫ ଲକ୍ଷ ୮୫ ହଜା‌ର କ୍ବିବିକ୍‌ ମିଟର ବାଲି ଆବଶ୍ୟକ ଥିଲା। ସେଦିନଠାରୁ ଖଣି କର୍ତ୍ତୃପକ୍ଷ ବାଲି ଭର୍ତ୍ତି କାର୍ଯ୍ୟ ଜାରି ରଖିଛନ୍ତି। ଆଜି ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୪୨ ହଜାର କ୍ବିବିକ୍‌ ମିଟର ବାଲି ଭର୍ତ୍ତି କରାଯାଇଛି। ଫମ୍ପା ଖଣିରେ ବାଲି ଭରିବାକୁ ଭୂପୃଷ୍ଠରେ ଆବଶ୍ୟକ ଜମି ମିଳୁନାହିଁ। ତେଣୁ ଆବଶ୍ୟକ ବାଲି ଭର୍ତ୍ତି ନହେବାର ଏହା ଏକ କାରଣ ବୋଲି କୁହାଯାଉଛି।


ଜୋନ୍‌ ୧ରେ ହାଣ୍ଡିଧୂଆଁ ଗାଁ ତଥା ଗାୟତ୍ରୀ ସ୍କୁଲ ପଛପାଖରେ ଏବେ ବାଲି ଭର୍ତ୍ତି କାମ ଚାଲୁ ରହିଛି। ଉକ୍ତ ଅଞ୍ଚଳକୁ ବିପଦମୁକ୍ତ କରିବାକୁ ହେଲେ ଅଧିକ ୭ ହଜାର ‌କ୍ବିବିକ୍‌ ମିଟର ବାଲି ଭର୍ତ୍ତି କରିବା ଦରକାର। ଜୋନ୍‌ ୨ରେ ଅଧିକ ୭୪ ହଜାର କ୍ବିବିକ୍‌ ମିଟର ବାଲି ଭର୍ତ୍ତି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ, ଏଥିପାଇଁ ଆବଶ୍ୟକ ଜମି ନଥିବାରୁ ଏଠାରେ ବାଲି ଭରିବା କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁ ନାହିଁ। ଏହି ଜୋନ୍‌ରେ ହାଣ୍ଡିଧୂଆଁ ଗାଁର ଠିକ୍‌ ତଳଭାଗରେ ୬୦ ହଜାର କ୍ବିବିକ୍‌ ମିଟର ବାଲି ଭରିବା ଆବଶ୍ୟକ ଥିବାବେଳେ ଦେଉଳବେଡ଼ା ତେଲିସାହି ଅଞ୍ଚଳରେ ପ୍ରାୟ ୧୪ ହଜାର କ୍ବିବିକ୍‌ ମିଟର ସ୍ଥାନ ଫମ୍ପା ହୋଇ ରହିଛି। ଜୋନ୍‌ ୩ରେ ରହିଛି ତାଳଚେରରୁ ଡେରା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା। ଏହି ରାସ୍ତା ମଧ୍ୟ ଏବେ ସୁରକ୍ଷିତ ନୁହେଁ। ଏହି ରାସ୍ତାର ପ୍ରାୟ ୪୨ ହଜାର କ୍ବିବିକ୍‌ ମିଟର ସ୍ଥାନ ଫମ୍ପା ରହିଛି। ଏଠାରେ ୪୨ ହଜାର କ୍ବିବିକ୍‌ ମିଟର ବାଲି ଭର୍ତ୍ତି କରିବା ପରେ ରାସ୍ତା ସୁଦୃଢ଼ ରହିବ ବୋଲି ଆଶା କରାଯାଉଛି। କୋଲିୟରି ଥାନା ପଛପାଖ ଅଞ୍ଚଳ ହେଉଛି ଜୋନ୍‌ ନମ୍ବର ୪। ଏହି ଜୋନ୍‌ରେ ପ୍ରାୟ ୪ ହଜାର କ୍ବିବିକ୍‌ ମିଟର ଭୂଗର୍ଭ ଫମ୍ପା ରହିଛି। ଭଗାକଟା ଅଞ୍ଚଳକୁ ଜୋନ୍‌ ୫ ରୂପେ ଦର୍ଶାଯାଇଛି। ଏହି ଅଞ୍ଚଳର ଭୂଗର୍ଭ ପ୍ରାୟ ସାଢ଼େ ୪ ହଜାର କ୍ବିବିକ୍‌ ମିଟର ଫମ୍ପା ରହିଛି। ଏହିପରି ହାଣ୍ଡିଧୂଆଁ ଭୂତଳ କୋଇଲା ଖଣିର ପ୍ରାୟ ୧ ଲକ୍ଷ ୪୧ ହଜାର କ୍ବିବିକ୍‌ ମିଟର ଭୂଗର୍ଭ ଫମ୍ପା ରହିଥିବା ପ୍ରକଳ୍ପ ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
ଦୀର୍ଘ ୨୫ ବର୍ଷ ପରେ ୪ ଲକ୍ଷ ୪୨ ହଜାର କ୍ବିବିକ୍‌ ମିଟର ବାଲି ଭର୍ତ୍ତିହୋଇଛି। ବାକି ଥିବା ଫମ୍ପା ଅଞ୍ଚଳରେ ବାଲି ଭର୍ତ୍ତି କରିବାକୁ ଆଉ କେତେ ଦଶନ୍ଧି ଲାଗିବ, ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର