ଭୁବନେଶ୍ୱର/ସୁନ୍ଦରଗଡ଼: ବଣ ପାହାଡ଼ଘେରା ତଥା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକମାନେ ଧାନ ସହିତ ବିଭିନ୍ନ ପ୍ରକାରର ଋତୁକାଳୀନ ଫସଲ କରିଥାନ୍ତି। ତେଣୁ ଭଲ ଫସଲ ଅମଳ ପାଇଁ ଜଳସେଚନର ଆବଶ୍ୟକତା ରହିଥିବାରୁ ଚାଷୀଙ୍କ ଜମିରେ କ୍ଷେତ ପୋଖରୀ ଖୋଳାଯାଉଛି। ଏହି କାର୍ଯ୍ୟକ୍ରମ ଚାଷୀମାନଙ୍କ ଜୀବିକାରେ ଉନ୍ନତି ଆଣିବା ସହିତ ଭୂତଳ ଜଳସ୍ତର ହ୍ରାସକୁ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଲାଗି ବିଶେଷ ସହାୟକ ହେଉଛି।
ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଚାଲିଛି। ଏଥିପାଇଁ ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ଆର୍ଥିକ ସହାୟତା ଯୋଗାଇ ଦେଉଛି। ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି। ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ରସ୍ତରୀୟ ଅନୁଧ୍ୟାନ ପରେ କ୍ଷେତ ପୋଖରୀ ନିର୍ମାଣ ଲାଗି ହିତାଧିକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୬୨ଟି କ୍ଷେତ ପୋଖରୀ ଖୋଳାଯାଇଛି। ତା’ ଭିତରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଧୀନରେ ୨୩୮ଟି ରହିଥିବା ବେଳେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ ୨୪ଟି ପ୍ରକଳ୍ପ ରହିଛି। ଏଥିପାଇଁ ଓମ୍ବାଡସି ଆର୍ଥିକ ସହାୟତା ଯୋଗାଇ ଦେଇଛି। ‘‘ମୋର ୫ ଏକର ଜମି ଅଛି। ଆଗରୁ ଜଳସେଚନ ସୁବିଧା ନଥିବାରୁ ଏଥିରେ ଭଲ ଚାଷ ହେଉ ନଥିଲା। ଏବେ ଫାର୍ମ ପଣ୍ଡ ଖୋଳିବା ଫଳରେ ମୁଁ ବିଭିନ୍ନ ପ୍ରକାରର ପନିପରିବା ଚାଷ କରୁଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ମୋ’ ପରିବାର ଭଲରେ ଚଳୁଛି,’’ କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ ମଙ୍ଗସପୁର ଗ୍ରାମର ସଂଯୁକ୍ତା ପଟେଲ।
ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାର ସଂଯୁକ୍ତା ପଟେଲ ନିଜ ଜମିରେ ଫାର୍ମ ପଣ୍ଡ ବା କ୍ଷେତ ପୋଖରୀ (୨୨ ମିଟର X ୨୨ ମିଟର) କରିଛନ୍ତି। ସଂଯୁକ୍ତାଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ ନିଜ ଜମିରେ କ୍ଷେତ ପୋଖରୀ କରୁଛନ୍ତି। ଏହା ଦ୍ୱାରା ସେମାନଙ୍କ ଦୀର୍ଘସ୍ଥାୟୀ ଜୀବିକା ସୁନିଶ୍ଚିତ ହେବା ସହ ସେମାନଙ୍କ ଜୀବନ ଧାରଣ ମାନରେ ବିଶେଷ ପରିବର୍ତ୍ତନ ଆସିପାରୁଛି।
‘‘ଆଗରୁ ଆମ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ଫାର୍ମ ପଣ୍ଡ ହେବା ଫଳରେ ଚାଷଜମିକୁ ସବୁ ସମୟରେ ପାଣି ମିଳୁଛି। ବିଭିନ୍ନ ଫସଲ ବିକ୍ରି କରି ମୁଁ ବାର୍ଷିକ ୧ ଲକ୍ଷ ଟଙ୍କା ପାଉଛି। ଫଳରେ ଆମ ପରିବାରର ଆର୍ଥିକ ସ୍ଥିତିରେ ବେଶ୍ ଉନ୍ନତି ଆସିପାରିଛି,’’ କହିଛନ୍ତି ସଂଯୁକ୍ତା ପଟେଲ। କ୍ଷେତ ପୋଖରୀ ଖୋଳାଯିବା ଫଳରେ ଚାଷଜମି ଆଉ ଆଗଭଳି ପଡ଼ିଆ ପଡୁନାହିଁ। ବର୍ଷ ସାରା ପୋଖରୀରେ ପାଣି ସଂରକ୍ଷିତ ହୋଇ ରହୁଥିବାରୁ ଜମିରେ ବିଭିନ୍ନ ପ୍ରକାରର ଫସଲ ହେଉଛି। ଏହାକୁ ବିକ୍ରି କରି ଚାଷୀମାନେ ଭଲ ଦି’ ପଇସା ରୋଜଗାର କରିପାରୁଛନ୍ତି।
ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅନେକ ସମୟରେ ମୌସୁମୀ ବର୍ଷାରେ ଅନିୟମିତତା ଦେଖାଦେଉଛି। ପୁଣି ଯେତିକି ବର୍ଷା ହେଉଛି ସବୁ ପାଣି ନଦୀ, ସମୁଦ୍ରକୁ ବହିଯାଉଛି। ଅନ୍ୟପକ୍ଷରେ ଜନସଂଖ୍ୟା ବୃଦ୍ଧି ଫଳରେ ଭୂତଳ ଜଳର ବ୍ୟବହାର ମଧ୍ୟ ବଢ଼ି ଚାଲିଛି। ଏହି ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନ ପାଇଁ ଭୂତଳ ଜଳସ୍ତର ବୃଦ୍ଧି ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଓମ୍ବାଡସି ପାଣ୍ଠି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ କ୍ଷେତ ପୋଖରୀ ସହିତ ଜଳ ଅମଳ ପ୍ରକଳ୍ପ, ଆଡ଼ି ବନ୍ଧ ଓ ସୋଲାର ଚାଳିତ ଗଭୀର ନଳକୂପ କରାଯାଉଛି। ଭୂତଳ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଓ ମୃତ୍ତିକା ସଂରକ୍ଷଣ ଆଦିରେ ଏହିସବୁ ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-13-at-15.48.28_c383c5a8.jpg)