ଯକୃତ ପ୍ରତିରୋପଣ ପାଇଁ ବୁଝାମଣା: ଆସ୍ତର ହସ୍ପିଟାଲ, ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ପ୍ରାରମ୍ଭରେ ଏସ୍‌ସିବିରେ ଶିଶୁଙ୍କୁ ମିଳିବ ଏହି ସେବା

ଭୁବନେଶ୍ବର: ଶିଶୁମାନଙ୍କ ଯକୃତ ପ୍ରତିରୋପଣ ପାଇଁ ବେଙ୍ଗାଲୁରୁସ୍ଥିତ ଆସ୍ତର ସିଏମ୍‌ଆଇ ହସ୍ପିଟାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ସିଏମ୍‌ଆଇ ହସ୍ପିଟାଲର ଆଞ୍ଚଳିକ ନିର୍ଦେଶକ ଡା.ନିତୀଶ ସେଟ୍ଟୀ ଓ ଡିଏମ୍‌ଇଟି ଡା.ରମାରମଣ ମହାନ୍ତି ଏଥିରେ ସ୍ବାକ୍ଷର କରିଛନ୍ତି। ଏହି ସୁବିଧା ପ୍ରଥମ ଥର କରି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଉପଲବ୍ଧ ହେବ। ଆସ୍ତର ହସ୍ପିଟାଲର ଡାକ୍ତରମାନେ ଯକୃତ ରୋଗରେ ପୀଡ଼ିତ ଶିଶୁମାନଙ୍କର ପରୀକ୍ଷାନିରୀକ୍ଷା କରିବା ପରେ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ିଲେ ସେମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବେ। ଏହାସହ ଆସ୍ତର ପକ୍ଷରୁ ଡାକ୍ତର, ନର୍ସ ଓ ପାରାମେଡିକ୍ସମାନଙ୍କୁ ଯକୃତ ପ୍ରତିରୋପଣ ସଂପର୍କିତ ସମସ୍ତ ପ୍ରକାର ତାଲିମ ପ୍ରଦାନ କରାଯିବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହେବା ଦ୍ବାରା ରାଜ୍ୟରେ ସୁପରସ୍ପେଶାଲିଟି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ ହୋଇଛି। ଏହାଦ୍ବାରା ପ୍ରକୃତି ରୋଗୀଟି ବିନା ମୂଲ୍ୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ପାଇପାରିବେ। ଲୋକଙ୍କୁ ଆଉ ଖର୍ଚ୍ଚାନ୍ତ ହୋଇ ରାଜ୍ୟ ବାହାରକୁ ଚିକିତ୍ସା ପାଇଁ ଯିବାକୁ ପଡ଼ିବ ନାହିଁ। ସରକାରଙ୍କ ଯୋଜନା ଅନୁଯାୟୀ ଆଗାମୀ ଦିନରେ ବୟସ୍କମାନଙ୍କୁ ମଧ୍ୟ ଯକୃତ ପ୍ରତିରୋପଣ ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଅବସରରେ ଅତିରିକ୍ତ ଡିଏମ୍‌ଇଟି ଡା.ଉମାକାନ୍ତ ଶତପଥୀ, ଆସ୍ତର ସିଇଓ ରମେଶ କୁମାର ଏସ୍‌, ଡା.ସୋନାଲ ଆସ୍ଥାନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର