ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ୍‌ରୁ ଚିକିତ୍ସାଧୀନ କଏଦୀ ଚମ୍ପଟ

ବ୍ରହ୍ମପୁର: ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ (ଡିସିଏଚ୍‌-୧)ରୁ ଜଣେ ଚିକିତ୍ସାଧୀନ କଏଦୀ ଚମ୍ପଟ ମାରିଛି। ସମ୍ପୃକ୍ତ କଏଦୀର ନାମ ମିର୍ତା ସିଂ(୩୭)। ତାର ଘର ନୟାଗଡ଼ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ କଏଦୀଙ୍କୁ ଜଗିଥିବା ଜେଲ୍‌ ୱାର୍ଡ଼ର୍‌ଙ୍କ ତରଫରୁ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରାଯାଇଛି। ପୁଲିସ ଏକ ମାମଲା ରୁଜୁ କରିଛି। ଡିସିଏଚ୍‌-୧ରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁସାରେ ଗତ ଜୁଲାଇ ୪ତାରିଖରେ ଗଂଜେଇ ଚୋରା ଚାଲାଣ ମାମଲାରେ ବାଲିଗୁଡ଼ା ପୁଲିସ ମିର୍ତାକୁ ଗିରଫ କରିଥିଲା। ସେ ଦିନଠାରୁ ମିର୍ତା ବାଲିଗୁଡ଼ା ସବ୍‌ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ଥିଲା। ଗତ ୨୮ତାରିଖରେ ତାଙ୍କୁ ଜ୍ବର ହେବା ସହିତ କୋଭିଡ୍‌ ଲକ୍ଷଣ ଜଣାପଡ଼ିଥିଲା। ୩୦ତାରିଖରେ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁୁ ୩୧ତାରିଖରେ ଏମ୍‌କେସିଜି ମେଡିକାଲ ପରିସରରେ ଥିବା ଡିସିଏଚ୍‌-୧କୁ ସ୍ଥାନାନ୍ତର କରାଯାଇଥିଲା। ସେ ଚତୁର୍ଥ ମହଲାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲା।

ଆଜି ମିର୍ତା ସିଂ ଡିସଚାର୍ଜ ହୋଇଥାନ୍ତା ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଗତରାତିରୁ ସେ କୁଆଡ଼େ ଗାଏବ ହୋଇ ଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ସେ ଚମ୍ପଟ ମାରିଥିବା ଅନୁମାନ କରାଯାଉଛି। ତାଙ୍କୁ ଜଗିବା ପାଇଁ ବାଲିଗୁଡ଼ା ଜେଲ୍‌ର ୱାର୍ଡ଼ର୍‌ ଏବଂ ପୁଲିସ କର୍ମଚାରୀ ମୁତୟନ ରହିଥିଲେ। କୋଭିଡ୍‌ ହସ୍ପିଟାଲ୍‌ ଭିତରକୁ‌ ରୋଗୀ ବ୍ୟତୀତ ଅନ୍ୟମାନଙ୍କୁ ଛଡ଼ା ଯାଉ ନଥିବାରୁ ସେମାନେ ବାହାରେ ଜଗି ରହିଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ମିର୍ତା ଚମ୍ପଟ ମାରିଥିବା କୁହାଯାଉଛି। ଏହି ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର